ଥାନାରେ ଥାର୍ଡ ଡିଗ୍ରି ପରେ ବିଷ ପିଇବା ଘଟଣା: ତଦନ୍ତକାରୀ ଅଧିକାରୀ ସମେତ ୩ ପୁଲିସ ନିଲମ୍ବିତ

ଯାଜପୁର ଜିଲ୍ଲା ଅଣକା ପଞ୍ଚାୟତ ମହିପୁର ଗାଁର ରବୀନ୍ଦ୍ର ମଲ୍ଲିକ(୨୮)ଙ୍କୁ ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରି  ଘଟଣା ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି।

arrest

Photograph: (Van Severen Law Office)

ଯାଜପୁର/ଚଣ୍ଡିଖୋଲ/କଟକ: ଯାଜପୁର ଜିଲ୍ଲା ଅଣକା ପଞ୍ଚାୟତ ମହିପୁର ଗାଁର ରବୀନ୍ଦ୍ର ମଲ୍ଲିକ(୨୮)ଙ୍କୁ ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରି  ଘଟଣା ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି। ଏହି ଘଟଣାରେ ବାଲିଚନ୍ଦ୍ରପୁର ଥାନାର ତଦନ୍ତ ଅଧିକାରୀ ଚିନ୍ମୟ ପୃଷ୍ଟି, ଡିସିଓ ଦୁର୍ଗେଶ ନନ୍ଦିନୀ ଦେ ଓ ସେଣ୍ଟ୍ରି ଦେ‌ବେନ୍ଦ୍ର ବାନରାଙ୍କୁ ନିଲମ୍ବିତ କରାଯାଇଛି। ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରି ଘଟଣାରେ ଯାଜପୁର ଏସ୍‌ଡିପିଓ ଲକ୍ଷ୍ମୀଧର ସ୍ବାଇଁ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବିଷପିଇ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଚିକିତ୍ସାଧୀନ ଅଭିଯୁକ୍ତଙ୍କୁ ଆଜି ଡିସ୍‌ଚାର୍ଜ କରାଯାଇଛି। ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ଜାମିନରେ ପୁଲିସ ଘରକୁ ଛାଡ଼ିଛି। ଅଭିଯୁକ୍ତ ବିଷ ପିଇନଥିବା କଥାକୁ ପୁଲିସ ବାରମ୍ବାର ଦୋହରାଉଥିବା ବେଳେ ଡାକ୍ତରଖାନା ସୂତ୍ରରୁ କିନ୍ତୁ ଚାଞ୍ଚଲ୍ୟକର ସୂଚନା ମିଳିଛି। ଅଭିଯୁକ୍ତ ଏକ ରାସାୟନିକ ଔଷଧ(ଚାରା ବଢ଼ାଇବା ପାଇଁ ବ୍ୟବହୃତ ଏକ ହରମୋନ) ପିଇଦେଇଥିବା ଜଣାପଡ଼ିଛି। ଜଣେ ଡାକ୍ତର ଏ ସୂଚନା ଦେଇଛନ୍ତି। ଏହା ଅଧିକ ପିଇଥିଲେ ଜୀବନ ପ୍ରତି ବିପଦ ଥିଲା। ତେବେ ମାତ୍ରା କମ୍‌ ଯୋଗୁଁ ରୋଗୀ ବଞ୍ଚିଗଲେ ବୋଲି ସେ କହିଛନ୍ତି। ପୁଲିସ ଏହି ଘଟଣାକୁ ଘୋଡ଼ାଇବାକୁ ଯେତେ ଚେଷ୍ଟା କଲେ ବି ସତ ସାମନାକୁ ଆସିଛି। 

‘ହାଜତରେ ବିଷ ପିଇବାକୁ ଦେଇଥିଲା ପୁଲିସ’

ସୂଚନାଥାଉକି ମହିପୁର ଗାଁର ରମେଶ ମଲ୍ଲିକଙ୍କ ପୁଅ ବାଦଲ ଗତ ୩ ତାରିଖରେ ନିଜର ଦିବ୍ୟାଙ୍ଗ ଦାଦା ମହେଶ୍ୱର ଓ  ପଡ଼ୋଶୀ ମହିଳା ନମିତା ମଲ୍ଲିକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଥିଲେ। ଏହି ଘଟଣାରେ ମହେଶ୍ୱରଙ୍କ ପୁଅ ରବୀନ୍ଦ୍ର ବାପାଙ୍କୁ ରକ୍ଷା କରିବାକୁ ଯାଇ ବାଦଲଙ୍କ ଉପରକୁ ଗରମ ପେଜ ଫିଙ୍ଗି ଦେଇଥିଲେ। ଏ ନେଇ ରବୀନ୍ଦ୍ରଙ୍କ ବି‌ରୋଧରେ ବାଦଲ ଥାନାରେ ଅଭିଯୋଗ 
କରିଥିଲେ। ପରେ ରବୀନ୍ଦ୍ର ମଧ୍ୟ ନମିତା ମଲ୍ଲିକଙ୍କୁ ସାଥୀରେ ନେଇ ଥାନାରେ ପାଲଟା ଅଭିଯୋଗ କରିଥିଲେ। ପୁଲିସ ରବୀନ୍ଦ୍ରଙ୍କୁ ଥାନାରେ ଅଟକ ରଖି ଆଉ ଛାଡ଼ିନଥିଲା। ଗତ ୪ତାରିଖରେ ଅଟକ ରବୀନ୍ଦ୍ରଙ୍କ ପରିବାର ଲୋକେ ପୁଅକୁ ଦେଖିବା ପାଇଁ ଥାନାକୁ ଆସିଥିଲେ। ମାତ୍ର ପୁଲିସ ସେମାନଙ୍କୁ ଭେଟ କରିବାକୁ ଦେଇନଥିଲା। ଏହାକୁ ନେଇ ପରିବାର ଲୋକଙ୍କର ପୁଲିସ ଉପରେ ସନ୍ଦେହ ଉପୁଜିଥିଲା। ଘଟଣାର ୨ଦିନ ପରେ ପୁଲିସ ପରିବାର ଲୋକଙ୍କୁ ରବୀନ୍ଦ୍ର କଟକ ବଡ଼ଡାକ୍ତରଖାନାରେ ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିବା ସୂଚନା ଦେଇଥିଲେ। ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିବା ପରେ ଘଟଣା ସଂପର୍କରେ ଅବଗତ ହୋଇଥିଲେ। ଏ ସଂପର୍କରେ ରବୀନ୍ଦ୍ର କହିଛନ୍ତି ଯେ ହାଜତ ଭିତରେ ପୁଲିସ ତାଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରିଥିଲା। ମାଡ଼ ଓ ଗାଳିଗୁଲଜ କରିଥିଲା। ଜଣେ ପୁଲିସ କର୍ମଚାରୀ ଏକ ବିଷ ବୋତଲ ଆଣି ତାଙ୍କ ସାମନାରେ ରଖିଥିଲେ। ଏପରିକି ସେ ବିଷ ପିଉଥିବା ଦେଖି ପୁଲିସ କର୍ମଚାରୀ ତାଙ୍କୁ ଅଟକାଇ ନଥିଲେ ବୋଲି ରବୀନ୍ଦ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe