ଯୁବକଙ୍କୁ ଥାର୍ଡ ଡିଗ୍ରି: ଥାନାରେ ଏସ୍‌ପିଙ୍କ ଖୋଳତାଡ଼, ସିସି କ୍ୟାମେରା ଫୁଟେଜ୍‌କୁ ନେଇ ଅଡୁଆ!

ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରି ଓ ପୁଲିସର ନିର୍ଯାତନା ସହି ନ ପାରି ବିଷ ପିଇବା ଘଟଣାରେ ଆଜି ଏସ୍‌ପି ୟଶ୍‌ ପ୍ରତାପ ଶ୍ରୀମଲ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାରେ ଜଣେ ଏସ୍‌ଆଇଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ ଏସ୍‌ପି।

arrest

Photograph: (Van Severen Law Office)

ଯାଜପୁର/ଚଣ୍ଡିଖୋଲ/ପାଣିକୋଇଲି: ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରି ଓ ପୁଲିସର ନିର୍ଯାତନା ସହି ନ ପାରି ବିଷ ପିଇବା ଘଟଣାରେ ଆଜି ଏସ୍‌ପି ୟଶ୍‌ ପ୍ରତାପ ଶ୍ରୀମଲ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାରେ ଜଣେ ଏସ୍‌ଆଇଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ ଏସ୍‌ପି। ଗତକାଲି ପୀଡ଼ିତ ରବୀନ୍ଦ୍ର ମଲ୍ଲିକଙ୍କ ପତ୍ନୀ ଥାନାରେ ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ଥାନା ଅଧିକାରୀ, ଏସ୍‌ଆଇଙ୍କ ସମେତ ଥାନାର ୯ ଜଣ ପୁଲିସଙ୍କ ବିରୋଧରେ ଏତଲା ଦେଇଥିଲେ। ଘଟଣାକୁ ଗୁରୁତ୍ବର ସହ ନେଇ ଆଜି ସକାଳ ସାଢ଼େ ୯ଟାରୁ ରାତି ସାଢ଼େ ୭ଟା ପର୍ଯ୍ୟନ୍ତ ଏସ୍‌ପି ଥାନାରେ ଛାନ୍‌ଭିନ୍‌ କରିଥିଲେ। ଥାନାରେ ଲାଗିଥିବା ସମସ୍ତ ସିସିଟିଭିକୁ ନିଜେ ଯାଞ୍ଚ କରିଥିଲେ। ପରେ ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇ ସମ୍ପୃକ୍ତ ଯୁବକଜଣକ ସେଦିନ ଥାନାରେ ନିର୍ଯାତନାର ଶିକାର ହୋଇନଥିବା ଦର୍ଶାଇଥିଲେ। ଏଥିସହ ବିଷ ପିଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ତା’ର ରହସ୍ୟ ମଧ୍ୟ ଉନ୍ମୋଚନ କରିଥିଲେ।

‘ସର୍ଭର୍‌ ଓ ଫୋଲ୍‌ଡର୍‌ରେ ସମାନ ଫୁଟେଜ୍‌ ଅଛି’

ସେ କହିଥିଲେ, ଯୁବକଙ୍କ ନାଁରେ ଯେହେତୁ ପୂର୍ବରୁ ଏତଲା ଦିଆଯାଇଥି‌ଲା, ସେ ଥାନାରେ ପହଞ୍ଚିବା ପରେ ଅଟକ ରଖାଯାଇଥିଲା। ଥାନାର ପଶ୍ଚିମପାର୍ଶ୍ୱ ବାରଣ୍ଡାକୁ ତାଙ୍କୁ ଖାଇବା ଦେବାକୁ ନିଆଯାଇଥିଲା। ସେଠାରେ ବହୁ ଦିନରୁ ଥିବା ଏକ ହରମୋନ୍‌ ଔଷଧ ବୋତଲ ପଡ଼ିଥିଲା। ପୁଲିସ କର୍ମଚାରୀ ଉପସ୍ଥିତ ନଥିବାର ସୁଯୋଗ ନେଇ ସେ ବୋତଲରେ ଥିବା ଔଷଧକୁ ବାହାରକୁ ଫିଙ୍ଗି ଖାଲି ବୋତଲକୁ ପକେଟ୍‌ରେ ରଖିଦେଇଥିଲେ। ଖାଦ୍ୟ ଖାଇସାରିବା ପରେ ଦେହ ଭୀଷଣ ଅସୁସ୍ଥ ଲାଗୁଥିବା ବାହାନା କରିଥିଲେ। ଏସବୁ ସିସି କ୍ୟାମେରାରେ ଥିବା ଏସ୍‌ପି କହିଛନ୍ତି। ତେବେ ଅସୁସ୍ଥତାକୁ ଗୁରୁତ୍ବର ସହ ନେଇ ତାଙ୍କୁ ପ୍ରଥମେ ବଡ଼ଚଣା ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ଏହି ଘଟଣାରେ ଆଇଆଇସି ନିର୍ଦ୍ଦୋଷ ବୋଲି ଏସ୍‌ପି କହିଛନ୍ତି। 

ତେବେ ଏସ୍‌ପି ସାମ୍ବାଦିକମାନଙ୍କୁ ଦେଖାଇଥିବା ସିସିଟିଭି ଫୁଟେଜ୍‌କୁ ନେଇ ସନ୍ଦେହ ଉପୁଜିଛି। ପୁଲିସ ସିଧାସଳଖ ଅଭିଯୁକ୍ତର ବିଷ ପିଇବା ଦୃଶ୍ୟକୁ ସର୍ଭର୍‌ରୁ ନ ଦେଖାଇ ଏହାକୁ କପି କରି ଆଣି ରଖିବା ଓ ଫୋଲ୍‌ଡରରୁ ଭିଡିଓଟିକୁ ଦେଖାଇବାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଗରମ ପେଯ ପଡ଼ି ଗୁରୁତର ହୋଇଥିବା ବାଦଲ ଓ ତାଙ୍କ ଝିଅ ପୂର୍ଣ୍ଣିମା ଆଜି ଥାନାକୁ ଆସି ରବୀନ୍ଦ୍ରଙ୍କ ବିରୋଧରେ ଏସ୍‌ପିଙ୍କୁ ଫେରାଦ ହୋଇ ନ୍ୟାୟ ମାଗିଛନ୍ତି। ଉଭୟ ପରିବାରର କଳିରେ ତଦନ୍ତ କରିବାକୁ ଯାଇ ପୁଲିସ ବଳି ପଡ଼ିଥିବାବେଳେ ସମସ୍ତ ଦିଗକୁ ଆଧାର କରି ତଦନ୍ତ ଜାରି ରହିଥିବା ଏସ୍‌ପି କହିଛନ୍ତି। ସିସିଟିଭିରେ ଯାହା ଅଛି, ଫୋଲ୍‌ଡରରେ ମଧ୍ୟ ସମାନ ଫୁଟେଜ୍‌ ଅଛି ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe