୨୩ ବର୍ଷ ପରେ ଦେଖାଗଲା ଶତାବ୍ଦୀର ପ୍ରଥମ ଧୂମକେତୁ; ୧୨ ସନ୍ଧ୍ୟାରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗବଳୟରେ ଦୃଶ୍ୟମାନ ହେବ

Advertisment
୨୩ ବର୍ଷ ପରେ ଦେଖାଗଲା ଶତାବ୍ଦୀର ପ୍ରଥମ ଧୂମକେତୁ;  ୧୨ ସନ୍ଧ୍ୟାରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗବଳୟରେ ଦୃଶ୍ୟମାନ ହେବ

Astronomy Magazine

ଭୁବନେଶ୍ୱର: ଚଳିତ ଶତାଦ୍ଦୀରେ ଖାଲି ଆଖିରେ ଦେଖାଯାଉଛି ପ୍ରଥମ ଧୂମକେତୁ ବା ଲଞ୍ଜାତାରା । କରୋନା କାଳରେ ସମସ୍ତେ ଘର ଭିତରେ ବନ୍ଦ ରହୁ ଥିଲା ବେଳେ ପ୍ରକୃତି ଆମ ପାଇଁ ତାର ସୁନ୍ଦର ଦୃଶ୍ୟର ଦ୍ୱାରା ଖୋଲି ଦେଇଛି। ପ୍ରାୟ ୨୩ବର୍ଷ ପରେ ଶତାଦ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିକୁ ଦେଖାଯାଉଛି। ଉତ୍ତର-ପଶ୍ଚିମ ଦିଗବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁ ଜୁଲାଇ ମାସ ୧୨ରୁ ୩୦ ତାରିଖ ଭିତରେ ଖାଲି ଆଖିରେ ଦେଖି ହେବ। ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାରରେ ଏହା ନିଶ୍ଚୟ ଦେଖାଯିବ। ଦୀର୍ଘ ୨୩ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁ ଦେଖିବାର ବିରଳ ସୁଯୋଗ ଆସିଛି। ବିଶେଷକରି ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଅସଂଖ୍ୟ ଲୋକ ଏପରି ଏକ ବିରଳ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ବୋଲି କହିଛନ୍ତି  ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ।

ଏହା ଚଳିତ ମାସ ୧୨ ତାରିଖରେ ସନ୍ଧ୍ୟା ସମୟରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗବଳୟରେ ୨୦ଡିଗ୍ରି ଉପରେ ଦେଖାଯିବ। ସବୁ ଦିନ ଧୀରେଧୀରେ ଏହା ଉପର ଆଡକୁ ଗତି କରି ମାସ ଶେଷର ଦିଗବଳୟର ପ୍ରାୟ ୪୦ଡିଗ୍ରି ଉପରେ ପହଞ୍ଚିବ। ସେହି ସମୟରେ ଏହା ସପ୍ତର୍ଷିମଣ୍ଡଳର ନିକଟରେ ରହିବ ଓ ପ୍ରାୟ ଏକଘଣ୍ଟା ଧରି ଦେଖାଯିବ। ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ୧୦ ତାରିଖ ପରଠାରୁ ଏହାର ଉଜ୍ୱଳତା କମିକମି ଜୁଲାଇ ୩୦ପରେ ଏହାକୁ ଆଉ ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ। ଏହି ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ।

publive-image

ଗତ ମାର୍ଚ୍ଚ ମାସ ୨୭ ତାରିଖରେ ସୂର୍ଯ୍ୟଠାରୁ ୩୧.୨ କୋଟି କିଲୋମିଟର ଦୂରରେ ଥିବା ‘ସି/୨୦୨୦ ଏଫ୍‌-୩’ ଧୁମକେତୁ ‘ନ୍ୟୁଓଓ୍ଵାଜ’ ନାମକ ଦୁରବୀକ୍ଷଣ ଦ୍ୱାରା ଆବିଷ୍କୃତ ହୋଇଥିଲା। ସେତେବେଳେ ଏହା କେବଳ ଅତି ବଡ଼ ଦୂରବୀକ୍ଷଣରେ ଦୃଶ୍ୟମାନ ହେଉଥିଲା। ହଠାତ ଜୁଲାଇ ମାସ ଆରମ୍ଭରେ ଧୂମକେତୁଟି ଖାଲି ଆଖିରେ ଦେଖାଯାଇଥିଲା।

ଗତ ୧୯୯୭ ମସିହାରେ ଶେଷ ଥର ପାଇଁ ‘ହେଲ୍‌ ବଫ୍‌’ ନାମକ ଧୂମକେତୁ ଖାଲି ଆଖିକୁ ଦେଖା ଯାଇଥିଲା। ସେତେବେଳେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ତରଫରୁ ନିଆଯାଇଥିବା ଏହାର ଫଟୋ ବହୁତ ଲୋକପ୍ରିୟ ହୋଇଥିଲା। ସି/ ୨୦୨୦ ଏଫ୍‌-୩ ଏବେ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍‌ ତଥା ଆଲୋକ ଓ ବାୟୁ ପ୍ରଦୂଷଣ ନଥିବା କିଛି ସ୍ଥାନରେ ଖାଲି ଆଖିରେ ଦେଖାଗଲାଣି ଏବେ ଏହାର ସୂର୍ଯ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗବଳୟର ନିକଟରେ ଅଳ୍ପ ସମୟ ପାଇଁ ଦେଖାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe