ବିଷମକଟକ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନାନା ଅପବାଦ ମୁଣ୍ଡାଇଛି ରାୟଗଡ଼ା ଜିଲ୍ଲା। ତଥାପି ସ୍ବାସ୍ଥ୍ୟସେବା କ୍ଷେତ୍ରରେ କୌଣସି ପରିବର୍ତ୍ତନ ହେଉନି। ଅନ୍ୟପଟେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଗୋଟିଏ ପରେ ଗୋଟିଏ କରୁଣ ତଥା ସାଂଘାତିକ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସଦ୍ୟତମ ଘଟଣା ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ଅନ୍ଧାର ଓ ଗରମରେ ଘଣ୍ଟା ଘଣ୍ଟା ବିତାଉଛନ୍ତି ରୋଗୀ, ନବଜାତ ଏବଂ ପ୍ରସୂତି।
ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ଲାଗି ୨୦ଟି ଶଯ୍ୟା ରହିଛି। ସେହିପରି ବ୍ଲକର ଗର୍ଭବତୀ ପ୍ରସବ ନିମନ୍ତେ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ। ବିଡ଼ମ୍ବନା ହେଲା ରୋଗୀଙ୍କୁ ସର୍ବନିମ୍ନ ସୁବିଧା ସୁଦ୍ଧା ଯୋଗାଇ ଦେବାକୁ ବିଫଳ ହୋଇଛି ଡାକ୍ତରଖାନା। କାରଣ ବିଜୁଳି ଚାଲିଗଲେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତଃରୋଗୀ କକ୍ଷ ସଂପୂର୍ଣ୍ଣ ଅନ୍ଧାର ହୋଇଯାଉଛି। ଜରୁରୀ ସେବା ଯୋଗାଇ ଦେବାକୁ ଜେନେରେଟର୍ ରହିଥିଲେ ସୁଦ୍ଧା ତାହା ବହୁଦିନ ହେଲା ଅଚଳ ରହିଛି। କିଛି ଦିନ ହେଲା ସଂଧ୍ୟାରେ କାଳବୈଶାଖୀ ଯୋଗୁ ବିଜୁଳି ଚାଲିଯାଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇପାରୁନି। ଅନ୍ୟପଟେ ଅନ୍ଧାରରେ ଛଟପଟ ହେଉଛନ୍ତି ପ୍ରସୂତି ଏବଂ ରୋଗୀ। ନବଜାତଙ୍କ ଅବସ୍ଥା ନ କହିବା ଭଲ। ବାରମ୍ବାର ଏହି ସମସ୍ୟା ହେଉଥିଲେ ସୁଦ୍ଧା ଜେନେରେଟର୍ ମରାମତି କିମ୍ବା ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଆଦୌ ଧ୍ୟାନ ଦିଆଯାଉନି।
ପ୍ରତ୍ୟେକବର୍ଷ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ତେବେ ସେହି ଟଙ୍କା ରୋଗୀ ସେବା କ୍ଷେତ୍ରରେ ବିନିଯୋଗ କରିବା ପରିବର୍ତ୍ତେ ଆରାମଦାୟକ ଚୌକି ଓ ଏସି କିଣାରେ ଖର୍ଚ୍ଚ ହେଉଛି। ରୋଗୀଙ୍କୁ ବେଡସିଟି୍ ମଧ୍ୟ ଯୋଗାଇ ଦିଆଯାଉନି। ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚି ସାରିଥିଲା ବେଳେ ରୋଗୀ ଏବଂ ସଂପର୍କୀୟ ଅତିଷ୍ଠ ହୋଇସାରିଲେଣି। ଏ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ହରିହର ବଳଦେବ ଟୁଡୁଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଫୋନ୍ ଉଠାଇ ନଥିଲେ।
Follow Us