Advertisment

ଏଥର ଦମ୍‌ଦାର ଲଢ଼େଇ: ମଇଦାନରେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ, ପ୍ରତାପ

Advertisment

ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡିର ନୂଆ ରଣନୀତି

ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡିର ନୂଆ ରଣନୀତି

ଏଥର ଦମ୍‌ଦାର ଲଢ଼େଇ: ମଇଦାନରେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ, ପ୍ରତାପ

ବାଲେଶ୍ୱର: ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଏଥର ବଡ଼ ଲଢ଼େଇ ଦେଖିବାକୁ ମିଳିବ। ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ନିର୍ବାଚନ ଲଢ଼ିବେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। କଂଗ୍ରେସ ପ୍ରାର୍ଥୀ ଶ୍ରୀ ଜେନା ୨୦୦୯ ମସିହାରେ ୩୮,୯୦୦ ଭୋଟ୍‌ ବ୍ୟବଧାନରେ ବାଲେଶ୍ୱରର ପୁରୁଖା ନେତା ଅରୁଣ ଦେ’ଙ୍କୁ ହରାଇ ବିଜୟୀ ହୋଇଥିଲେ। କେନ୍ଦ୍ରରେ ତତ୍କାଳୀନ କଂଗ୍ରେସ ସରକାର ସେ ମନ୍ତ୍ରୀଭାବେ ବି କାର୍ଯ୍ୟ କରିଥିଲେ। ହେଲେ, ୨୦୧୪ ନିର୍ବାଚନରେ ତାଙ୍କ ପାଇଁ କଣ୍ଟା ସାଜିଥିଲେ ବିଜେଡିର ରବୀନ୍ଦ୍ର ଜେନା ଏବଂ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏହି ନିର୍ବାଚନରେ ରବୀନ୍ଦ୍ରଙ୍କର ବିଜୟ ହୋଇଥିବା ବେଳେ ପ୍ରତାପ ଦ୍ବିତୀୟ ଏବଂ ଶ୍ରୀକାନ୍ତ ତୃତୀୟ ସ୍ଥାନରେ ରହିଥିଲେ। ଏହାପରେ ୨୦୧୯ରେ ଦଳ ଏହି ଆସନରେ ତାଙ୍କୁ ଆଉ ପ୍ରାର୍ଥୀ କରି ନଥିଲା। ଚଳିତଥର ଶ୍ରୀକାନ୍ତଙ୍କ ଉପରେ କଂଗ୍ରେସ ପୁଣି ଭରସା କରିଛି। ସେ ବଡ଼ସାହି, ରେମୁଣା, ନୀଳଗିରି, ଜଳେଶ୍ବର ଓ ଭୋଗରାଇ ନିର୍ବାଚନମଣ୍ଡଳୀ ବୁଲି କର୍ମୀ ସମ୍ମିଳନୀ କରିବା ସହିତ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେଣି। ବିଜେପି ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କଠାରୁ ୧୨ ହଜାର ୮୫୬ ଭୋଟ୍‌ ଅଧିକ ପାଇ ବିଜୟୀ ହୋଇଥିଲେ। ତାଙ୍କୁ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ କରାଯାଇଥିଲା।

ଅବଶ୍ୟ ପରେ ତାଙ୍କଠାରୁ ମନ୍ତ୍ରୀ ପଦ କାଢ଼ି ନିଆଯାଇଥିଲା। ଚଳିତ ନିର୍ବାଚନରେ ବସ୍ତା ବିଜେପି ନେତା ରଘୁନାଥ ମହାନ୍ତିଙ୍କ ଇସ୍ତଫା, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳ ଛାଡ଼ି ବିଜେଡିକୁ ଚାଲିଯିବା, ରେମୁଣା ଓ ଜଳେଶ୍ୱର ବିଧାନସଭା ଆସନରେ ପ୍ରାର୍ଥୀ ଚୟନରେ ଦଳର କିଛି ପ୍ରମୁଖ ନେତା ଓ କର୍ମୀଙ୍କ ଅସନ୍ତୋଷ ପ୍ରତାପଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି। ଅପରପକ୍ଷେ, ଏହି ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀ ୨୦୧୪ରେ ସେ ନୀଳଗିରିରୁ ବିଜେଡିର ବିଧାନସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ତାଙ୍କୁ ଟିକେଟ୍‌ ନମିଳିବାରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଏବଂ ପ୍ରତାପଙ୍କ ପାଇଁ ପ୍ରଚାର କରିଥିଲେ। ପରବର୍ତ୍ତୀ ସମୟରେ ଦଳର ଜଣେ ଆଗଧାଡ଼ିର ନେତ୍ରୀ ଭାବେ ସେ ପରିଚିତ ହେଲେ। ଚଳିତ ନିର୍ବାଚନରେ ଲେଖାଶ୍ରୀ ବିଜେପି ଛାଡ଼ି ପୁଣି ବିଜେଡିରେ ଯୋଗଦେଇଛନ୍ତି। ଫଳରେ, ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ଏଥରକ ରୋଚକ ଲଢ଼େଇ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe