ଏଥର ବି ‌ହେବନି ଛାତ୍ର ସଂସଦ ନିର୍ବାଚନ

Advertisment
ଏଥର ବି ‌ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର : ଏଥର ବି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଲଗାତାର ଦ୍ବିତୀୟ ବର୍ଷ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି। ପାଠପଢ଼ା ସ୍ବାଭାବିକ ସ୍ଥିତିକୁ ଫେରିନାହିଁ। ସେମିଷ୍ଟର ପରୀକ୍ଷା ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ରେ କରାଯାଉଛି। ଏବେ ବି ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇନାହିଁ। ଏସବୁ ବିଷୟକୁ ଗୁରୁତ୍ବ ଦେଇ ବିଶ୍ବବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଏନେଇ ବିଧିବଦ୍ଧ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ‌ଯେ ବର୍ତମାନ ପରିସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ କଥା ଆମେ ଆଦୌ ଚିନ୍ତା କରିନାହୁଁ। କରୋନା ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଶିକ୍ଷାବର୍ଷ ଠିକ୍‌ ଭାବେ ଚାଲି ପାରିନାହିଁ। ଏ ପର୍ଯ୍ୟନ୍ତ ଯୁକ୍ତ୩ ଓ ପିଜି ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର୍‌ ପରୀକ୍ଷା ବି ହୋଇପାରିନାହିଁ। କରୋନାକୁ ନଜରରେ ରଖି ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ରେ ସେମିଷ୍ଟର୍‌ ପରୀକ୍ଷା କରାଇବାକୁ ବିଶ୍ବବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ‌କ୍ଲାସରୁମ୍‌ ପାଠପଢ଼ା ହେଉଥିଲେ ମଧ୍ୟ କରୋନା ଭୟରେ ଅଧିକାଂଶ ପିଲା ଆସୁନାହାନ୍ତି। ଯେତିକି ପିଲା ଆସୁଛନ୍ତି, ସେମାନଙ୍କୁ ନେଇ କ୍ଲାସ ହେଉଛି। ଏଭଳି ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଆଦୌ ସମ୍ଭବପର ନୁହେଁ। ୨୦୨୨ରେ ବି ଛାତ୍ର ସଂସଦ ନିର୍ବାଚନ କରିବା ସପକ୍ଷରେ ଉଚ୍ଚଶିକ୍ଷା ବିଭାଗ ନାହିଁ। ଶିକ୍ଷାବର୍ଷର ପାଠପଢ଼ା ଏବେ ବହୁ ପଛରେ ରହିଛି। ଆସନ୍ତା ଶିକ୍ଷାବର୍ଷ ବି ଏଭଳି ଭାବେ ବିଳମ୍ବିତ ହେବା ନେଇ ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ଏହାକୁ ମିଶାଇ ଲଗାତାର ୪ର୍ଥ ବର୍ଷ ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି। ୨୦୧୮ରେ ବାତ୍ୟା ‘ତିତିଲି’ ପାଇଁ ଅଧାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା। ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ମତ ପ୍ରକାଶ କରିବା ପରେ ଛାତ୍ର ସଂସଦ ନିର୍ବାଚନ ନ ନ କରିବାକୁ ସ୍ଥିର ହୋଇଥିଲା। ୨୦୨୦ ତଥା ଗତବର୍ଷ କରୋନା ଯୋଗୁଁ କ୍ୟାମ୍ପସ ହିଁ ଆଦୌ ଖୋଲିପାରି ନ ଥିଲା। ଆଉ ଏଥର ମଧ୍ୟ ସମାନ ସ୍ଥିତି ଲାଗି ରହିଥିବାରୁ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe