ଏଥର ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଡିଜିଟାଲ୍‌ ସାର୍ଟିଫିକେଟ୍‌: ଫଳ ପ୍ରକାଶନର ସପ୍ତାହକ ଭିତରେ ଅନଲାଇନ୍‌ରେ ମିଳିବ

Advertisment
ଏଥର ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଡିଜିଟାଲ୍‌ ସାର୍ଟିଫିକେଟ୍‌: ଫଳ ପ୍ରକାଶନର ସପ୍ତାହକ ଭିତରେ ଅନଲାଇନ୍‌ରେ ମିଳିବ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଦେବ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍‌। ୨୦୨୪ରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ) ପରୀକ୍ଷା ଦେଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷାଫଳ ପ୍ରକାଶନର ସାତ ଦିନ ଭିତରେ ଡିଜିଟାଇଜଡ୍ ପ୍ରମାଣପତ୍ର ଅନ୍ ଲାଇନ୍‌ରେ ସାର୍ଟିଫିକେଟ ପ୍ରଦାନ କରାଯିବ। ପରୀକ୍ଷାର୍ଥିମାନେ ଅଡ୍‌ମିଟ କାର୍ଡରେ ଥିବା ରୋଲ୍ ନମ୍ବର ସହାୟତାରେ ନିଜ ନିଜର ଡିଜିଟାଇଜଡ୍ ମାଟ୍ରିକ ସାର୍ଟିଫିକେଟ ଓ ମାର୍କସିଟ୍ ବୋର୍ଡ ୱେବସାଇଟରୁ ଡାଉନଲୋଡ୍ କରି ପାରିବେ। ଏହି ଡିଜିଟାଇଜଡ୍ ପ୍ରମାଣପତ୍ର ସାହାଯ୍ୟରେ ସେମାନେ ଉଚ୍ଚଶିକ୍ଷା ପାଇଁ ଆବେଦନ କରିପାରିବେ। ଫଳ ପ୍ରକାଶନର ଏକ ମାସ ମଧ୍ୟରେ ସଂପୃ୍କ୍ତ ସାର୍ଟିଫିକେଟର ହାର୍ଡକପି ବିଦ୍ୟାଳୟ ମୁଖ୍ୟଙ୍କ ଠାରୁ ଛାତ୍ରଛାତ୍ରୀମାନେ ସଂଗ୍ରହ କରି ପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ମାଟ୍ରିକ ଖାତା ମୂଲ୍ୟାୟନ ସଂକ୍ରାନ୍ତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ କହିଛନ୍ତି ଯେ ପ୍ରଥମ ଥର ପାଇଁ ଏଭଳି ଡିଜିଟାଇଜଡ୍ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ପରୀକ୍ଷାଖାତା ମୂଲ୍ୟାୟନ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ ତରାଇ କହିଛନ୍ତି ଯେ ଗତକାଲି ଠାରୁ ରାଜ୍ୟର ୫୫ଟି କେନ୍ଦ୍ରରେ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଖାତା ମୂଲ୍ୟାୟନ ଚାଲିଛି। ଖାତା ଦେଖା ପାଇଁ ୧୬ହଜାର ୨୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ଖାତା ଦେଖା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ୧୫ ଦିନ ସମୟ ଧାର୍ଯ୍ୟ କରାଯାଇଛି। ୨୮ ମାର୍ଚ୍ଚ ସୁଦ୍ଧା ଖାତାଦେଖା ଶେଷ କରିବାକୁ ଯୋଜନା ରହିଛି। ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ଜଣେ ଚେକର ଓ ଜଣେ ମେକରଙ୍କ ଜରିଆରେ ଅନ୍ ଲାଇନ ମାର୍କ ପୋଷ୍ଟିଂ ଚାଲିଛି। ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଓ ବୋର୍ଡ ଦ୍ବାରା ନିୟୋଜିତ କମ୍ପ୍ୟୁଟର ଫାର୍ମକୁ ମାର୍କ ଅନ୍ ଳାଇନରେ ପଠାଯାଉଛି। ମୂଲ୍ୟାୟନ କେନ୍ଦ୍ର ବୋର୍ଡ ଦ୍ବାରା ନିଯୁକ୍ତ ଜଣେ ସେଣ୍ଟର ସୁପରଭାଇଜର ଓ ଜଣେ କ୍ୟାମ୍ପ ଅଫିସରଙ୍କ ତତ୍ତ୍ବାବଧାନରେ ଚାଲିଛି। ଏହି ଦୁଇ ଜଣଙ୍କୁ ଛାଡି ଦେଲେ ଅନ୍ୟ କୌଣସି ମୂଲ୍ୟାୟନକାରୀ କେନ୍ଦ୍ରକୁ ମୋବାଇଲ ଫୋନ୍ ନେବାକୁ ବାରଣ କରାଯାଇଛି। ସଂପୂର୍ଣ୍ଣ ମୂଲ୍ୟାୟନ କାର୍ଯ୍ୟ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଥିବା ୧୦ଜଣ ଅନ୍ ଲାଇନ ସୁପରଭାଇଜରଙ୍କ ତଦାରଖରେ ଚାଲିଛି। ମୂଲ୍ୟାୟନ ସମୟରେ ଯେଉଁ ଶିକ୍ଷକମାନଙ୍କ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି ସେମାନେ ସେଥିପାଇଁ ଯାଇ ପାରିବେ ଓ ପ୍ରଶିକ୍ଷଣ ଶେଷ ହେବା ପରେ ପୁଣି କାର୍ଯ୍ୟରେ ଯୋଗ ଦେଇପାରିବେ।

ନିର୍ବାଚନ ପାଇଁ ମୂଲ୍ୟାୟନ କାର୍ଯ୍ୟ ପ୍ରଭାବିତ ହେବନାହିଁ। ଯୋଜନା ଅନୁସାରେ ନିର୍ଦ୍ଧାରିତ ସମୟସୀମା ଭିତରେ ଫଳ ପ୍ରକାଶ କରାଯିବ। ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀ ତରାଇ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଉପସଭାପତି ଡକ୍ଟର ନିହର ରଂଜନ ମହାନ୍ତି, ସଂସ୍ଥା ଅଧିକାରୀ ଡକ୍ଟର ମଞ୍ଜୁଲତା ଦେବୀ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧, ମଧ୍ୟମା ପାଇଁ ୩୦୩୭ ଓ ମୁକ୍ତ ବିଦ୍ୟାଳୟ ପାଇଁ ୭୮୩୧ ଜଣ ଫର୍ମ ପୂରଣ କରିଥିଲେ। ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରି ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe