Hindustan Times
ପୁରୀ: ୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଏହାକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ହାତରେ ଦୁଇଦିନ କମ୍ ଥିବାରୁ ନୀତିକାନ୍ତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ। ୧୩ ଦିନ ଭିତରେ ସବୁ ନୀତିକାନ୍ତି କରିବା ସମ୍ଭବ ନ ଥିବାରୁ, ବିଶେଷକରି ଗୋଟିଏଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓ କୁସୁମି ଲାଗି ଆଦି ଥିବାରୁ ସେବାୟତଙ୍କ ଚିନ୍ତା ବଢ଼ିଛି। ସମ ପରିମାଣରେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବି ଚିନ୍ତା ବଢ଼ିଛି। ଏଭଳି ଅଡ଼ୁଆ ସ୍ଥିତିରେ ଚଳିତବର୍ଷ ଗୋଟିଏଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ଭବ ନଥିବାରୁ ଏହା ଦୁଇଦିନ ଚାଲିବ ବୋଲି ସେବାୟତମାନେ ମତ ଦେଇଛନ୍ତି।
ଚଳିତ ବର୍ଷ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ। ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ। ୧୯୭୧ ମସିହାରେ ରଥଯାତ୍ରାରେ ଶ୍ରୀମନ୍ଦିର ନୀତିକାନ୍ତି ଆଧାରରେ ଚଳିତବର୍ଷର ନୀତିକାନ୍ତି କରିବାକୁ ଯୋଜନା କରାଯାଉଛି। ୧୯୭୧ ମସିହାର ନୀତିକାନ୍ତି ତର୍ଜମା ପରେ ଏଥର ପଟିଦିଅଁଙ୍କଠାରୁ ଆଜ୍ଞାମାଳ ପାଇବା ପରେ ତିନି ରଥ ସିଂହଦ୍ୱାର ଚକଡ଼ାକୁ ବିଜେ କରିବାକୁ ବି ଯୋଜନା ରହିଛି। ପରେ ରଥ ପ୍ରତିଷ୍ଠା ଓ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଶ୍ରୀଗୁଣ୍ଡିଚା ଦିନ ଯେତିକି ନୀତିକାନ୍ତି ରହିଛି, ତାହା ସରିଲା ବେଳକୁ ଭୋର୍ ହୋଇଯିବ। ଯଦି ନୀତି ଠିକ୍ରେ ଚାଲେ, ସେନାପଟା ଲାଗି ଶେଷହେବା ସକାଳ ପ୍ରାୟ ୭ଟାରୁ ୮ଟା ହୋଇଯିବ।
୫୩ ବର୍ଷ ପରେ ୧୩ ଦିନ ଅଣସର ନୀତି
ବିଳମ୍ବିତ ହେବ ସେନାପଟାଲାଗି, ପହଣ୍ଡି ଓ ରଥଟଣା
କେବଳ ବିଧି ରକ୍ଷା ପାଇଁ ବଡ଼ଠାକୁରଙ୍କ ରଥ ଟଣା ହେବ: ବରିଷ୍ଠ ଦଇତାପତି
ପରେ ଅନ୍ୟାନ୍ୟ ନୀତିକାନ୍ତି ସରି ପହଣ୍ଡି ହେଲା ବେଳକୁ ଦ୍ବିପ୍ରହର ହୋଇଯିବ। ପହଣ୍ଡି ସରି ରଥଟଣା ହେଲା ବେଳକୁ ସନ୍ଧ୍ୟା ହୋଇ ଯାଇଥିବ। ପ୍ରଥମେ ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଟଣା ହେବାର ବିଧି ରହିଛି। ଯାହା ଜଣାପଡ଼ୁଛି, ବିଧି ରକ୍ଷା ପାଇଁ କେବଳ ବଡ଼ଠାକୁରଙ୍କ ରଥ ଟଣା ସମ୍ଭବ ହୋଇପାରିବ। ବଡ଼ଠାକୁରଙ୍କ ତାଳଧ୍ବଜ ରଥ କେବଳ ପାଦେ ଟଣା ହୋଇପାରିବ। ଅନ୍ୟ ରଥ ପରଦିନ ଟଣା ହେବ। ଚଳିତ ବର୍ଷ ଦୁଇଦିନରେ ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବେ। ନୀତିରେ ଯଦି କିଛି ପରିବର୍ତ୍ତନ କରାଯାଏ, ତେବେ କିଛି ହୋଇପାରେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଶ୍ରୀ ଦାସମହାପାତ୍ର କହିଛନ୍ତି, ଚଳିତବର୍ଷର ରଥଯାତ୍ରା ଏକ ବଡ଼ ଆହ୍ବାନ। ଏହାକୁ ଶୃଙ୍ଖଳିତ କରିବା ପାଇଁ ଏକ ଦକ୍ଷ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯାଉ। ନଚେତ୍ ରଥଯାତ୍ରାରେ ଅନେକ ବିଶୃଙ୍ଖଳା ହେବ ଓ କାହାରି ସହ କାହାରି ସମନ୍ବୟ ରହିବନି ବୋଲି ସେ କହିଛନ୍ତି।
Follow Us