ଏଥର ମଳରୁ ହେବ ହାତୀ ଗଣନା

Advertisment

୩୦୦ ହାତୀଙ୍କ ମଳ ନମୁନା ପଠାଗଲା

୩୦୦ ହାତୀଙ୍କ ମଳ ନମୁନା ପଠାଗଲା

ବଣୁଆ ହାତୀ ଗ୍ରାମାଭିମୁଖୀ, ଲୋକେ ଆତଙ୍କିତ

firstpost.com

ଅନୁଗୁଳ : ହାତୀଙ୍କ ମଳ କହିବ, ଜଙ୍ଗଲରେ ସେମାନଙ୍କ ସଂଖ୍ୟା କେତେ। ସେମାନଙ୍କର ବୟସ କେତେ? ସେମାନେ ଦନ୍ତା ନା ମାଈ। ସବୁକିଛି ହାତୀଙ୍କ ମଳ ପରୀକ୍ଷା କଲେ ଜଣାପଡ଼ିବ। କେନ୍ଦ୍ର ସରକାର ଏହି ନୂଆ ପଦ୍ଧତି ଆପଣାଇ ଏଥର ହାତୀଗଣନା କରୁଥିବା‌ ବେଳେ ସାତକୋଶିଆ ଅଭୟାରଣ୍ୟ କର୍ତ୍ତୃପକ୍ଷ ପ୍ରାୟ ୩୦୦ ହାତୀଙ୍କ ମଳ ନମୁନା ସଂଗ୍ରହ କରି ପଠାଇଛନ୍ତି। ପ୍ରତିଟି ମଳର ପରୀକ୍ଷଣ ପରେ ବାସ୍ତବରେ ସାତକୋଶିଆରେ କେତୋଟି ହାତୀ ଅଛନ୍ତି ଓ ସେମାନଙ୍କର ସ୍ଥିତି କ’ଣ, ତାହା ସ୍ପଷ୍ଟ ହୋଇପାରିବ ବୋଲି ସାତକୋଶିଆ ଡିଏଫ୍‌ଓ ଡ. ସରୋଜ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାର ପ୍ରତି ୪ ବର୍ଷରେ ଥରେ ମହାବଳ ବାଘ ଗଣନା କରୁଥିଲେ। ଦେଶର ଜଙ୍ଗଲରେ ଏହି ବିରଳ ପ୍ରଜାତିର ଜନ୍ତୁଙ୍କ ସଂଖ୍ୟା କେତେ ଅଛି, ଏନ୍‌ଟିସିଏ ତଥ୍ୟ ପ୍ରମାଣ ସହିତ ଜଣାଇ ଦେଉଥିଲା। କିନ୍ତୁ, ହାତୀଗଣନା କରୁଥିଲେ ରାଜ୍ୟ ସରକାର। ପ୍ରତି ଦୁଇବର୍ଷରେ ଥରେ ଓଡ଼ିଶା ସରକାର ଜଙ୍ଗଲରେ ହାତୀଗଣନା କରି ଏକପ୍ରକାର ତଥ୍ୟ ରଖୁଥିଲେ। ଏଥର କିନ୍ତୁ ହାତୀ ଗଣନା କେନ୍ଦ୍ର ସରକାର କରୁଛନ୍ତି। ପୂର୍ବରୁ ହାତୀ ଗଣନା ସାଧାରଣତଃ ଖରାଦିନେ କରାଯାଉଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ହାତୀମାନେ ଦଳବଦ୍ଧ ଭାବେ ଗାଧୋଇବାକୁ ଆସନ୍ତି। ପ୍ରତିଟି ହାତୀଗୋଠ ଅନ୍ୟ ଦଳଠାରୁ ବାରି ହୋଇପଡ଼େ। ତେଣୁ, ବନ ବିଭାଗ ଜଙ୍ଗଲ ଭିତରେ ଥିବା ଜଳାଶୟଗୁଡ଼ିକରେ ଡେରା ପକାଇ ହାତୀମାନଙ୍କ ଗଣନା କରିଥାନ୍ତି। କିନ୍ତୁ, ଏ ପ୍ରକାର ଗଣନାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠୁଥିଲା। ସେଥିପାଇଁ ଚଳିତବର୍ଷ ବୈଜ୍ଞାନିକ ପଦ୍ଧତିରେ ହାତୀଗଣନା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସୂଚନା ମୁତାବକ, ପ୍ରତିଟି ହାତୀର ମଳ ଅନ୍ୟ ହାତୀଠୁ ଭିନ୍ନ। ମଳରୁ ହିଁ ହାତୀର ଡିଏନ୍ଏ ପ୍ରୋଫାଇଲ୍ କରାଯାଇପାରିବ। ତେଣୁ, ମଳକୁ ହାତୀ ଗଣନାର ଆଧାର କରାଯାଇଛି। ଏହାର ପରୀକ୍ଷଣ ଦାୟିତ୍ବ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ୱାଇଲ୍‌ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ)କୁ ଦିଆଯାଇଛି। ପ୍ରତ୍ୟେକ ବନଖଣ୍ଡ ହାତୀମାନଙ୍କ ମଳ ସଂଗ୍ରହ କରିବେ। ତାକୁ ଡବ୍ଲୁଆଇଆଇ ପରୀକ୍ଷା କରି ଜଣାଇବ ବୋଲି ଜଣାପଡ଼ିଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପ୍ରାୟ ୩୦୦ରୁ ଅଧିକ ହାତୀଙ୍କ ମଳ ସଂଗ୍ରହ କରି ଡବ୍ଲୁଆଇଆଇକୁ ପଠାଯାଇଛି ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଡ. ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe