ମଦ ଦୋକାନ ଜଗିଲେ ଅବକାରୀ କର୍ମଚାରୀ, ଏଥର ବି ହୋମ୍‌ ଡେଲିଭରି ବ୍ୟବସ୍ଥା !

ମଦ ଦୋକାନ ଜଗିଲେ ଅବକାରୀ କର୍ମଚାରୀ, ଏଥର ବି ହୋମ୍‌ ଡେଲିଭରି ବ୍ୟବସ୍ଥା !

Image Source: India Today

ସମ୍ବଲପୁର: ଗତକାଲି ଭଳି ଆଜି ମଧ୍ୟ ବିଦେଶୀ ମଦ ଦୋକାନଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଜମି ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଦୋକାନ ସମ୍ମୁଖରେ ଅବକାରୀ କନଷ୍ଟେବଳମାନଙ୍କୁ ନିୟୋଜିତ କରିବାକୁ ପଡ଼ିଥିଲା। ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନେକ ଦୋକାନ ସମ୍ମୁଖରେ ଅବକାରୀ ବିଭାଗର କର୍ମଚାରୀମାନେ ଜଗି ରହିଥିଲେ। ବ‌‌ିଦେଶୀ ମଦର କଳାବଜାର ରୋକିବା ତଥା ଶୃଙ୍ଖଳିତ ଭାବେ ଲୋକ ଯେମିତି ମଦ ନେଇପାରିବେ, ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଅବକାରୀ ଅଧୀକ୍ଷକ କହିଛନ୍ତି। ଅପରପକ୍ଷରେ ଗତ ବର୍ଷ ଭଳି ଏଥର ମଧ୍ୟ ହୋମ ଡେଲିଭରି ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଶୀଘ୍ର ଏ ସଂକ୍ରାନ୍ତରେ ଆଦେଶନାମା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ତେବେ, ଯେ ପର୍ଯ୍ୟନ୍ତ ଏଭଳି କୌଣସି ନିର୍ଦେଶନାମା ଆସିନାହିଁ, ଲକ୍‌ ଡାଉନ୍‌କୁ ଦୃଷ୍ଟିରେ ରଖି ବିଦେଶୀ ମଦ ‌ଦୋକାନଗୁଡ଼ିକ ବନ୍ଦ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ଆସନ୍ତା ୫ ମେ’ଠାରୁ ୧୫ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଦୁଇଦିନିଆ ସପ୍ତାହାନ୍ତ ସଟ୍‌ଡାଉନ୍ ପରେ ଗତକାଲି ଅନ୍ୟ ଦୋକାନଗୁଡ଼ିକ ଭଳି ବିଦେଶୀମଦ ଦୋକାନ ଖୋଲିଥିଲା। ତେବେ, ସକାଳୁ ସକାଳୁ ମଦ ଦୋକାନଗୁଡ଼ିକ ସମ୍ମୁଖରେ ମଦୁଆଙ୍କ ପ୍ରବଳ ଭିଡ଼ ଜମି ଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ସହରର ‌ଅନେକ ଦୋକାନ ଖାଲି ହୋଇଯାଇଥିଲା। ମଦ୍ୟପମାନେ ପେଟି ପେଟି ମଦ ବୋହି ନେଇଥିଲେ। ଚାହିଦାକୁ ଦୃଷ୍ଟିରେ ରଖି ଅନେକ ମଦ ଦୋକାନୀ ଆଜି ଧାର୍ଯ ଦରଠାରୁ ଅଧିକରେ ବିକି ଥିଲେ। ଅପରପକ୍ଷରେ ଗ୍ରାମାଂଚଳର ବହୁ ମଦ ବେପାରୀ ଲକ୍‌ଡାଉନ୍‌ ସମୟରେ ମଦ କଳାବଜାର କରିବା ପାଇଁ ଅଟୋରିକ୍ସା, ଜିପ୍ ଆଦିରେ ମଦ ‌ନେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe