photo by : Times of India
ଭୁବନେଶ୍ବର: ଏବର୍ଷ ଦେଶରେ ମୌସୁମୀ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଜି ସ୍ପଷ୍ଟ କରିଛି। କିଛି ଦିନ ତଳେ ସ୍କାଏମେଟ୍ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଓଡ଼ିଶାରେ ମୌସୁମୀର ପ୍ରଭାବ କେମିତି ରହିବ, ତାହା ଆଇଏମ୍ଡି କହିନାହିଁ। କେନ୍ଦୁଝର, ସୁନ୍ଦରଗଡ଼, ବୌଦ୍ଧ, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜ୍ୟର ଅବଶିଷ୍ଟ ଅଞ୍ଚଳଗୁଡ଼ିକରେ ବର୍ଷା କେଉଁ ଅନୁପାତରେ ହେବ, ତାହା ଏବେଠାରୁ କହି ହେବନାହିଁ ।
ଆଇଏମ୍ଡି ପକ୍ଷରୁ କୁହାଯାଇଛି ଯେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ସଂଲଗ୍ନ କେନ୍ଦ୍ର ଭାରତର ଅଞ୍ଚଳ ଓ ଉତ୍ତର ପଶ୍ଚିମ ଭାଗର କିଛି ସ୍ଥାନରେ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ। ତେବେ ଉତ୍ତରପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର ପଶ୍ଚିମର କିଛି ଅଂଶ ଓ ଦକ୍ଷିଣ-ପୂର୍ବ ଭାଗରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଲଙ୍ଗ୍ ପିରିୟଡ ଆଭରେଜ୍ ଅନୁସାରେ, ଦେଶରେ ୯୯% ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ୫% କମ୍ କିମ୍ବା ୫% ବେଶି ହେଲେ ମଧ୍ୟ ଏହାକୁ ସ୍ୱାଭାବିକ ବର୍ଷା ଭାବେ ବିବେଚନା କରାଯିବ। ୨୦୨୧ରେ ଦେଶରେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିଲା। ଏବେ କ୍ରମାଗତ ତୃତୀୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି। ୨୦୧୯ ଓ ୨୦୨୦ରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ମେ’ ୧୫ ତାରିଖ ଆଡ଼କୁ ମୌସୁମୀର ଆଗମନ ଓ ଏହାର ପ୍ରଭାବ ଉପରେ ସ୍ପଷ୍ଟ ସୂଚନା ମିଳିବ ବୋଲି ପାଣିପାଗ କେନ୍ଦ୍ର କହିଛି।
ଅପରପକ୍ଷେ ଗତକାଲି ୪୪ଡିଗ୍ରି ତାପମାତ୍ରା ସହ ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ସୋନପୁର ଏହି ରେକର୍ଡ ଭାଙ୍ଗିଛି। ଆଜି ସୋନପୁରରେ ୪୪.୨ ଡିଗ୍ରି ରେକର୍ଡ ହୋଇଥିଲା। ଏହା ଦେଶର ସର୍ବାଧିକ ତାପମାତ୍ରା। ଏଥିସହ ରାଜ୍ୟର ୧୬ ଜିଲ୍ଲା ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ଥିବାରୁ ଗରମରୁ ଟିକେ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି। ଆସନ୍ତାକାଲି ଓ ୧୬ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Follow Us