ଚଳିତ ବର୍ଷ ୪ ହଜାର ୨ ଶହ ହେକ୍ଟରରୁ ତୋଳାଯିବ: ୧୫ ଶହ କ୍ବିଣ୍ଟାଲ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟ

୫୮ଟି ଫଡ଼ିରେ ନିୟୋଜିତ ହେବେ ୬୧୧୨ ଜଣ ତୋଳାଳି

ଚଳିତ ବର୍ଷ ୪ ହଜାର ୨ ଶହ ହେକ୍ଟରରୁ ତୋଳାଯିବ: ୧୫ ଶହ କ୍ବିଣ୍ଟାଲ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟ

ଦଶପଲ୍ଲା: ପାଗ ଅନୁକୂଳ ହେଉଥିବା ବର୍ଷମାନଙ୍କରେ ଭଲ କେନ୍ଦୁପତ୍ର ସଂଗ୍ରହ ହୋଇଥାଏ। ମାତ୍ର ଯେଉଁ ବର୍ଷ କାଳବୈଶାଖୀ ପ୍ରଭାବରେ ଝଡ଼ିବର୍ଷା ସାଙ୍ଗକୁ କୁଆପଥର ବର୍ଷା ହେଉଛି ସେହିବର୍ଷ ପତ୍ର ସଂଗ୍ରହରେ ବାଧକ ସୃଷ୍ଟି ହେଉଛି। କିନ୍ତୁ ଚଳିତବର୍ଷ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ରହିଛି ପାଗ ଅନୁକୂଳ। ଜଙ୍ଗଲରେ ଗୋଛି ସଫା କାମ ଶେଷ ହୋଇଛି। ଫଡ଼ିଗୁଡ଼ିକର ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲୁ ରହିଛି। ଦଶପଲ୍ଲା କେନ୍ଦୁପତ୍ର ବନାଞ୍ଚଳ ଅଧୀନରେ ଥିବା ଦଶପଲ୍ଲା, ଗଣିଆ, ରଣପୁର ଏବଂ ନୂଆଗାଁ ବ୍ଲକ୍‌ର ୪ ହଜାର ୨ ଶହ ହେକ୍ଟର ସ୍ଥାନରୁ ଚଳିତବର୍ଷ କେନ୍ଦୁପତ୍ର ସଂଗ୍ରହ କରାଯିବ। ଏସବୁ ବ୍ଲକ୍‌ର ୫୮ଟି ଫଡ଼ି ଓ ଗୋଟିଏ କଲେକ୍ସନ ସେଣ୍ଟରରୁ ଗତବର୍ଷ ୧୩ ଶହ କ୍ବିଣ୍ଟାଲ ପତ୍ର ସଂଗ୍ରହ କରାଯାଇଥିବା ବେଳେ ଚଳିତବର୍ଷ ୧୫ ଶହ କ୍ବିଣ୍ଟାଲ ପତ୍ର ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ଆଶିଷ ସେନାପତି କହିଛନ୍ତି। ସରକାର ଚଳିତବର୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପାରିଶ୍ରମିକ ଓ ବୋନସ୍‌ ଅର୍ଥ ବୃଦ୍ଧି କରିଛନ୍ତି।

ଗତବର୍ଷ କେନ୍ଦୁପତ୍ର କେରୀ ପ୍ରତି ୧ ଟଙ୍କା ୪୦ ପଇସା ରହିଥିବା ବେଳେ ଚଳିତବର୍ଷ ୧ ଟଙ୍କା ୬୦ ପଇସା ରହିଛି। ଚଳିତ ବର୍ଷ ୬ ହଜାର ୧୧୨ ଜଣ ତୋଳାଳି ସାମିଲ୍‌ ହେବେ। ଗତ ଫେବ୍ରୁଆରି ୨୧ ତାରିଖଠାରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ଜଙ୍ଗଲରୁ ଗୋଛି ସଫା କରାଯାଇଛି। ଏହା ପରେ ବର୍ଷା ହୋଇ ପାଗ ଅନୁକୂଳ ଦେଇଥିବାରୁ ଭଲ ପତ୍ର ମଧ୍ୟ କଅଁଳିବା ଆରମ୍ଭ ହୋଇଛି। ଆସନ୍ତା ଏପ୍ରିଲ୍ ୨୦ ତାରିଖ ଭିତରେ କେନ୍ଦୁପତ୍ର ତୋଳା ଆରମ୍ଭ କରାଯିବା ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ସଂଗ୍ରହ ହୋଇଥିବା ୨ ହଜାର ୬ ଶହ ୫୦ ବସ୍ତା କେନ୍ଦୁପତ୍ର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧ ହଜାର ୬ ଶହ ୨୦ କ୍ବିଣ୍ଟାଲ କେନ୍ଦୁପତ୍ର ବିକ୍ରୟ ସରିଲାଣି। ପ୍ରଥମେ ପ୍ରଥମେ କ୍ବିଣ୍ଟାଲ ପ୍ରତି ୨୫ରୁ ୨୬ ହଜାର ଟଙ୍କା ରହୁଥିବା ବେଳେ ଏବେ ପତ୍ରର ମାନ ହ୍ରାସ ପାଉଥିବାରୁ ଏହାର ମୂଲ୍ୟ ୧୮ରୁ ୧୯ ହଜାର ଟଙ୍କା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ପ୍ରତିବର୍ଷ କେନ୍ଦୁପତ୍ର ଚୋରାଚାଲାଣ ବୃଦ୍ଧି ପାଉଥିବାରୁ ବିଭାଗ ପକ୍ଷରୁ ବିକ୍ରୟ ହେଉଥିବା ପତ୍ର ଉପରେ ଏହାର ପ୍ରଭାବ ପଡ଼ୁଛି। ଏଥିପ୍ରତି ଗୁରୁତ୍ବ ଦିଆଗଲେ ଅଧିକ ପତ୍ର ସଂଗ୍ରହ ହେବା ସହ ବିକ୍ରୟ ମଧ୍ୟ ଭଲ ହୋଇପାରିବ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe