ଭିମ୍‌ସାର୍‌ ଉନ୍ନତୀକରଣରେ ଖର୍ଚ୍ଚହେବ ହଜାରେ କୋଟି: ୫-ଟି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ ନବୀକରଣ ଓ ଫୁଟବଲ୍‌ ଷ୍ଟାଡିୟମ୍‌ ପାଇଁ ୩୫୦ କୋଟି, ନିର୍ମାଣ ହେବ ୭୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ

ଭିମ୍‌ସାର୍‌ ଉନ୍ନତୀକରଣରେ ଖର୍ଚ୍ଚହେବ ହଜାରେ କୋଟି: ୫-ଟି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ରବିବାର ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନତୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ର ଉନ୍ନତୀକରଣ ଓ ବୁର୍ଲାରେ ଏକ ଫୁଟବଲ୍‌ ଷ୍ଟାଡିୟମ୍‌ ନିର୍ମାଣ ପାଇଁ ୩୫୦ କୋଟି ଓ ଭିମ୍‌ସାର୍‌ର ଉନ୍ନତୀକରଣ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି।
ଶ୍ରୀ ପାଣ୍ଡିଆନ ଆଜି ସକାଳେ ଏଠାରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମା’ ସମଲେଇଙ୍କ ମନ୍ଦିର ନିକଟରେ ଆୟୋଜିତ ମହାନଦୀ ହାପ୍‌ ମାରାଥନ୍‌କୁ ସକାଳ ୬ଟାରେ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ, ସମ୍ବଲପୁରର କ୍ରୀଡ଼ା ସଂସ୍କୃତି ବହୁତ ଭଲ ଏବଂ ପ୍ରତିଭାର ବିକାଶ ପାଇଁ ସର୍ବୋତ୍ତମ ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ବୁର୍ଲା ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଉଦ୍‌ଘାଟନ ହେବା ସହ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏବେ ବୁର୍ଲାରେ ଏକ ନୂତନ ଫୁଟ୍‌ବଲ ଷ୍ଟାଡିୟମ୍‌ ନିର୍ମାଣ ଓ ଭିଏସ୍‌ଏସ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌କୁ ଆଧୁନିକ ଷ୍ଟାଡିୟମ୍‌ରେ ନବୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ୩୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ, ଯାହାକି ଜିଲ୍ଲାର କ୍ରୀଡ଼ା ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ମା’ ସମଲେଶ୍ବରୀଙ୍କ ମନ୍ଦିର ଗସ୍ତ କରି ସମଲେଇ ପ୍ରକଳ୍ପ ପରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଭକ୍ତମାନଙ୍କ ସହ ଆଲୋଚନା କରିଥିଲେ। ୫-ଟି ଅଧ୍ୟକ୍ଷ ପରେ ସମ୍ବଲପୁର ସହରସ୍ଥିତ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ପହଞ୍ଚି ଖେଳାଳିମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସେ ଖେଳାଳିମାନଙ୍କ ସହ କ୍ରିକେଟ୍‌ ଖେଳିଥିଲେ। ବ୍ୟାଟିଂ କରି କଭର୍‌ ଡ୍ରାଇଭ୍‌, ପୁଲ୍‌ ଭଳି ଚିତ୍ତାକର୍ଷକ ସଟ୍‌ ମଧ୍ୟ ଖେଳିଥିଲେ। ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ପଢ଼ିବାର ଅଭିଜ୍ଞତା ମଧ୍ୟ ଖେଳାଳିମାନଙ୍କ ସହ ବାଣ୍ଟିଥିଲେ। ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ ପରିଦର୍ଶନ କରିବା ପରେ ୫-ଟି ଅଧ୍ୟକ୍ଷ ବୁର୍ଲା ଭିମ୍‌ସାର୍‌ ଗସ୍ତ କରି ନିର୍ଦ୍ଦେଶକ, ବରିଷ୍ଠ ଡାକ୍ତର ଓ କର୍ମଚାରୀଙ୍କ ସହ ଉନ୍ନତୀକରଣ ବିଷୟରେ ଆଲୋଚନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମା’ ଓ ଶିଶୁ ବିଭାଗକୁ ଗୁରୁତ୍ବ ଦିଆଯାଇ ୭୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଥିଲେ। ହଷ୍ଟେଲ କ୍ୟାମ୍ପସ୍‌ର ଉନ୍ନତୀକରଣ ସହ କ୍ରୀଡ଼ା କମ୍ପ୍ଲେକ୍ସ କରାଯିବ। କର୍ମଚାରୀଙ୍କ ଆବାସକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଭିମସାର୍‌ରେ ଉନ୍ନତୀକରଣ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ସେ କହିଛନ୍ତି। ପୂରା ଉନ୍ନତୀକରଣ ପାଇଁ ଏକ ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ ହେବ। ପରେ ସେ ଖିଣ୍ଡା ଗସ୍ତ କରି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ପ୍ରକଳ୍ପର ସମୀକ୍ଷା କରିବା ସହ ଯଥାଶୀଘ୍ର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe