ରାଜନଗର : କେନ୍ଦ୍ରାପଡ଼ାର ରାଜନଗରରେ ତାଣ୍ଡବ ରଚିଛି ବାତ୍ୟା ‘ୟାସ୍’। ପବନ ଅପେକ୍ଷା ସମୁଦ୍ର ଜୁଆର ଅଞ୍ଚଳରେ ଅଧିକ କ୍ଷତି କରିଛି। ଏହି ବ୍ଲକ୍ର ହଜାରେରୁ ଅଧିକ ପରିବାର ସମୁଦ୍ରର ଜୁଆର ପାଣିଘେରରେ ଥିବାବେଳେ ବର୍ଷା ପାଣିଘେରରେ ଶହଶହ ପରିବାର ରହିଛନ୍ତି। ରଂଗଣୀ ପଞ୍ଚାୟତର ହଜାରରୁ ଅଧିକ ପରିବାର ପାଣି ଘେରରେ ଅଛନ୍ତି। ସେମାନଙ୍କ ଘର ପାଣିରେ ଭିଜିବା ପରେ କାନ୍ଥ ପଡ଼ିବା ସହ ଘର ପଡ଼ିବା ଆରମ୍ଭ କରିଛି। ବର୍ଷା, ପବନ ସାଙ୍ଗକୁ ସମୁଦ୍ର ଜୁଆର ବିପନ୍ନଙ୍କ ସ୍ବପ୍ନ ଛଡ଼ାଇ ନେଇଛି।
ଗତ ୨୫ ତାରିଖ ରାତିରେ ହଠାତ୍ ଭିତରକୁ ସୁସୁ ହୋଇ ଜୁଆର ପାଣି ମାଡ଼ି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ ସବୁଆଡେ ଜଳାର୍ଣ୍ଣବ ହୋଇ ପଡିଥିଲା। ଘର ବାହାରେ ବେକେ ପାଣି ହୋଇ ଯାଇଥିବାବେଳେ ଘର ଭିତରେ ୨/୩ ଫୁଟର ପାଣି ଲହଡ଼ି ଭାଙ୍ଗିଥିଲା। ବାତ୍ୟା ଆଶ୍ରୟସ୍ଥଳରେ ରହି ନିଜ ଘର ବୁଡ଼ି ଯାଉଥିବା ଭୟଙ୍କର ଚିତ୍ର ଦେଖିଥିଲେ ରାଜନଗର ବ୍ଲକ ରଂଗଣୀ ପଞ୍ଚାୟତର ପଟ୍ଟାପାରିଆ, ଭେକ୍ଟା, ସୌରେନ୍ଦ୍ରପୁର, ହରିଣପୋଖରୀ, ନାରାୟଣପୁର ଗାଁର ହଜାରରୁ ଅଧିକ ପରିବାର। ବାତ୍ୟାପରେ ପାଣି ଖସିଥିଲେ ମଧ୍ୟ ଏବେ ବି ଘର ଚାରିପଟେ ଓ ରାସ୍ତା ଉପରେ ୩ ଫୁଟରୁ ଅଧିକ ପାଣି ଜମି ରହିଛି। ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି। ବାତ୍ୟା ପରେ ଲୋକେ ଘରକୁ ଫେରି ନିଜ ଘରର ଦୁର୍ଦ୍ଦଶା ଦେଖି ମୁଣ୍ତରେ ହାତ ଦେଇ ବସିଛନ୍ତି। ଏବେ ସୁଦ୍ଧା ୫ଶହରୁ ଅଧିକ ଘରର କାନ୍ଥ ଭୁଶୁଡି ପଡ଼ିଲାଣି। କିଛି ପରିବାରର ଘର ଶୋଇଗଲାଣି। ଘର ଚାରିପଟେ ପାଣି ଜମି ରହିଥିବାରୁ ଘରଗୁଡ଼ିକୁ ମରାମତି କରାଯାଇ ପାରୁନାହିଁ। ଲୋକେ କିପରି ଭଙ୍ଗାଘରେ ପରିବାର ନେଇ ରହିବେ, ସେ ନେଇ ମୁଣ୍ତରେ ହାତ ଦେଇ ବସିଛନ୍ତି। ପ୍ରଶାସନ ପକ୍ଷରୁ ବିପନ୍ନ ଅଞ୍ଚଳରେ ପହଞ୍ଚିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
Follow Us