ଯାଜପୁରରୁ ବସ୍ତା ବିଧାୟକଙ୍କୁ ଧମକପୂର୍ଣ୍ଣ କଲ୍

ଯାଜପୁରରୁ ବସ୍ତା ବିଧାୟକଙ୍କୁ ଧମକପୂର୍ଣ୍ଣ କଲ୍

Pragativadi

ବାଲେଶ୍ବର: ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଧମକପୂର୍ଣ୍ଣ କଲ୍। ଆଜି ସକାଳ ସାଢ଼େ ୮ଟା ବାଲେଶ୍ବର ଜିଲ୍ଲା ବସ୍ତା ବିଧାୟକ ଶ୍ରୀ ସାହୁଙ୍କ ମୋବାଇଲ ନମ୍ବରକୁ ଏକ ଅଜଣା ନମ୍ବର(୮୦୯୩୮୯୯୦୮୮)ରୁ ଆସିଥିଲା ଫୋନ୍‌ କଲ୍‌। ସେ ଫୋନ୍‌ ଉଠାଇବା ପରେ ଉକ୍ତ ନମ୍ବରରୁ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ, ‘ଆପଣଙ୍କୁ ହତ୍ୟା କରିବାକୁ ୩ ଜଣ ବ୍ୟକ୍ତି ମତେ ସୁପାରି ଦେବାକୁ ଆସିଛନ୍ତି। ହେଲେ ସେମାନେ ଭୁଲ ଜାଗାରେ ପହଞ୍ଚିଛନ୍ତି, ମୁଁ ସୁପାରି କିଲର ନୁହେଁ।’

ଏତିକି କହି ବ୍ୟକ୍ତିଜଣକ ଫୋନ୍‌ କାଟି ଦେଇଥିଲେ ଏବଂ କିଛି ସମୟ ପରେ ପୁଣି ସେହି ନମ୍ବରରୁ ଫୋନ୍‌ କରି ବ୍ୟକ୍ତିଜଣକ ବିଧାୟକ ଶ୍ରୀ ସାହୁଙ୍କୁ କହିଥିଲେ ‘ସେମାନଙ୍କୁ ମୁଁ ଅଟକ ରଖିଛି, ଆପଣ ମୋ ନିକଟକୁ ଆସିବେ ନା ମୁଁ ସେମାନଙ୍କୁ ନେଇ ଆପଣଙ୍କ ନିକଟରେ ପହଞ୍ଚିବି।’ ବିଧାୟକ ଶ୍ରୀ ସାହୁ ତାଙ୍କୁ ଆସିବାକୁ କହିବାରୁ ସେ କିଛି ଟଙ୍କା ଦାବି କରି ଫୋନ କାଟି ଦେଇଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁ ଘଟଣା ସମ୍ପର୍କରେ ବାଲେଶ୍ବର ଏସ୍‌ପି ସୁଧାଂଶୁଶେଖର ମିଶ୍ରଙ୍କୁ ଜଣାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ସାଇବର ଥାନା ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାଇବର ଥାନା ପୁଲିସ ଆଜି ସଂଧ୍ୟାରେ ଯାଜପୁର ଅଞ୍ଚଳରୁ ଧରିଥିବା ସୂଚନା ମିଳିଛି। ତାଙ୍କ ପରିଚୟ ପ୍ରକାଶ କରାଯାଇନଥିବା ବେଳେ ତଦନ୍ତ ଜାରି ରହିଥିବା ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe