ମନ୍ଦିର ପରିସରରେ ବନ୍ଧୁକ ଦେଖାଇ ଲୋକଙ୍କୁ ଧମକ

୨ ଗିରଫ, ଜଣେ ଫେରାର୍‌, ବନ୍ଧୁକ, ଗୁଳି ଜବତ

ମନ୍ଦିର ପରିସରରେ ବନ୍ଧୁକ ଦେଖାଇ ଲୋକଙ୍କୁ ଧମକ

ବାଲିପାଟଣା: ପରିଡ଼ପାଟଣା ଆଖଣ୍ଡଳମଣି ମନ୍ଦିର‌ ପରିସରରେ ଆଜି ଏକ ଅଭାବନୀୟ କାଣ୍ଡ ଘଟିଛି। ମନ୍ଦିର ପରିସରରେ ବାହାଘର ଭୋଜି ଚାଲିଥିବା ବେଳେ ୩ଜଣ ଯୁବକ ସେଠାରେ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଧରି ଉତ୍ପାତ କରିଥିଲେ। ଲୋକଙ୍କୁ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଧମକ ଦେଇଥି‌ଲେ। ତେବେ କିଛି ଲୋକ ସାହସ ଜୁଟାଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିନେବା ସହ ତା’ ହାତରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ଏହା ଦେଖି ଅନ୍ୟ ୨ ସହଯୋଗୀ ସେଠାରୁ ଖସି ପଳାଇଥିଲେ। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ବାଲିପାଟଣା ଓ ବନମାଳିପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେ ହେଲା, ପ୍ରଧାନପାଟଣା ଗ୍ରାମର ରଞ୍ଜନ କୁମାର ସାହୁ ଓରଫ୍‌ ବାବୁଲି (୨୮)। ସେ ବର ସୋମନାଥ ସାହୁ ଓରଫ୍‌ କାଳିଆଙ୍କ ଭାଇ ବୋଲି ଜଣାଯାଇଛି। ତା’ ନିକଟରୁ ପୁଲିସ୍‌ ଏକ ବନ୍ଧୁକ ଓ କିଛି ଗୁଳି ଜବତ କରିଛି। ଅପରପକ୍ଷେ ରାତିରେ ଅନ୍ୟତମ ଅଭିଯୁକ୍ତ ଚନ୍ଦନ ଆଚାର୍ଯ୍ୟକୁ ବାଲିପାଟଣା ଥାନା ପୁଲିସ୍‌ ଗିରଫ କରିଛି। ବନମାଳିପୁର ବଜାରେ ସେ ବୁଲୁଥିବା ବେଳେ ସାଦା ପୋଷାକରେ ବୁଲୁଥିବା ପୁଲିସ୍‌ ତାକୁ ମାଡ଼ି ବସିଥିଲା। ଏ ସଂପର୍କରେ ଭଅଁରାଗଡ଼ ଗ୍ରାମର ଗନ୍ଧର୍ବସେନ ପାତ୍ର (ପିଣ୍ଟୁ) ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ୧୧୯/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ପ୍ରଧାନପାଟଣା ଗ୍ରାମର ସୋମନାଥଙ୍କ ବାହାଘର ପରିଡ଼ପାଟଣା ଆଖଣ୍ଡଳମଣି ମନ୍ଦିରରେ ହେଉଥିଲା। ମନ୍ଦିରଠାରୁ କିଛି ଦୂରରେ ବରଯାତ୍ରୀ ରୋଶଣୀ କରି ଯାଉଥିବା ବେଳେ ସୋମନାଥଙ୍କ ଦାଦା ପୁଅ ବାବୁଲି ଓ ତା’ ଦୁଇ ସହଯୋଗୀ ଚନ୍ଦନ ଆଚାର୍ଯ୍ୟ ଓ ଚକ ବେହେରାଙ୍କ ସହ ପରିଡ଼ପାଟଣା ଗାଁର କିଛି ଯୁବକଙ୍କ ବଚସା ହୋଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ।ଏଥିରେ ବାବୁଲିଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏଥିରେ ରାଗିଯାଇ ୩ ଅଭିଯୁକ୍ତ ଗାଁକୁ ଫେରି ଆସି ସାଥିରେ ଏକ ବନ୍ଧୁକ ଓ ଷ୍ଟିଲ୍‌ ବାଡ଼ି ଧରି ମନ୍ଦିରକୁ ଯାଇଥିଲେ। ସେତେବେଳେ ଲୋକେ ମନ୍ଦିରରେ ଖାଇ ବସିଥା’ନ୍ତି। ବାବୁଲି ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇଥିଲା। ତେବେ କିଛି ଲୋକ ସାହସ ଜୁଟାଇ ବାବୁଲିକୁ ମାଡ଼ି ବସିବା ସହ ତା’ ହାତରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ଏହା ଦେଖି ଚନ୍ଦନ ଓ ଚକା ଘଟଣାସ୍ଥଳରୁ ଖସି ପଳାଇଥିଲେ। ତେବ‌େ ରାତିରେ ପୁଲିସ୍‌ ଚନ୍ଦନକୁ ବନମାଳିପୁର ବଜାରରୁ ଗିରଫ କରିଛି। ପୁଲିସ୍‌ ସୂଚନାନୁଯାୟୀ, ଫେରାର୍‌ ଥିବା ଅଭିଯୁକ୍ତ ଚନ୍ଦନ ଜଣେ ପେସାଦାର ଅପରାଧୀ। ବ୍ୟାଙ୍କ ଡକାୟତି ଓ ବହୁ ଚୋରି ଘଟଣାରେ ତା’ ବିରୋଧରେ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe