୨୦୧୫ ମସିହା ଗଣ ଦୁଷ୍କର୍ମ ଘଟଣା: ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

Advertisment
୨୦୧୫ ମସିହା ଗଣ ଦୁଷ୍କର୍ମ ଘଟଣା: ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ପୁରୀ : ଗତ ୨୦୧୫ ମସିହାରେ ଟାଉନ ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ଗଣଦୁ‌ଷ୍କର୍ମ ମାମଲାର ବିଚାର କରି ମାନ୍ୟବର ବିଚାରପତି ତିନି ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଏହି ୫୦ ହଜାର ଟଙ୍କା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ୧୧ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଆଧାରରେ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ରାଜକିଶୋର ଲେଙ୍କା ତିନି ଜଣ ଆସାମୀଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଗଛକାଳୀ ନିକଟ ସିଦ୍ଧବକୁଳ ଲେନ୍‌ରେ ଚରଣ ସାହୁଙ୍କ ପୁଅ ସନ୍ତୋଷ କୁମାର ସାହୁ(୨୫) ଏକ ଗ୍ୟାରେଜ୍‌ ଦୋକାନ କରିଥିଲା। ତେବ‌େ ସେ ସଦର ଥାନା ଅଞ୍ଚଳରେ ରହୁଥିବା ତା’ର ଜଣେ ସାଙ୍ଗର ପତ୍ନୀଠାରୁ ୫ ହଜାର ଟଙ୍କା କରଜରେ ନେଇଥିଲା। ଗତ ୨୦୧୫ ମସିହା ଅଗଷ୍ଟ ମାସ ୯ ତାରିଖ ଦିନ ସନ୍ତୋଷ ଏହି ଟଙ୍କା ଫେରାଇବା ପାଇଁ ତା’ର ସାଙ୍ଗର ପତ୍ନୀଙ୍କୁ ପୁରୀକୁ ଡକାଇଥିଲା। ମହିଳା ଜଣକ ପୁରୀ ଡାକ୍ତରଖାନା ଛକରେ ପହଞ୍ଚିଥିବା ଜଣାଇବାରୁ ସନ୍ତୋଷ ସେଠାକୁ ଯାଇ ଟଙ୍କା ଘରେ ଅଛି ବୋଲି କହି ଏକ ଆପାଚୀ ଗାଡ଼ିରେ ତାଙ୍କୁ ସିଦ୍ଧବକୁଳ ଲେନ୍‌କୁ ନେଇ ଆସିଥିଲା। ସେଠାରେ ତା’ର ଘରେ କେହି ନଥିବା କହି ଖାଦ୍ୟ ଆଣିବାକୁ ଚାଲି ଯାଇଥିଲା। ମହିଳା ଜଣକ ଗାଧୁଆ ଘରୁ ଆସି ସନ୍ତୋଷ ଓ ଅନ୍ୟ ଦୁଇ ଜଣଙ୍କୁ ଦେଖିଥିଲା। ସନ୍ତୋଷ ଓ ତା’ର ଦୁଇ ସାଙ୍ଗ ମହିଳାଙ୍କୁ ସେହି ଘରେ ଦୁଷ୍କର୍ମ କରିଥିଲେ। ଏହାପରେ ମହିଳା ଜଣକ ଏନେଇ ଟାଉନ ଥାନାରେ ଅଭିଯୋଗ କରିବାରୁ ପୁଲିସ ୧୩୮/୧୫ ନମ୍ବରରେ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଟାଉନ ଥାନା ଆଇଆଇସି ଦୟାନିଧି ନାୟକ ଅଭିଯୁକ୍ତ ସନ୍ତୋଷ ଓ ତା’ର ଦୁଇ ସାଙ୍ଗ କାଳିକାଦେବୀ ସାହିର ବଟକୃଷ୍ଣ ବାରିକ(୨୯) ଓ ଟାଉନ ଥାନା ଅନ୍ତର୍ଗତ ତିଆଡ଼ିସାହି ବାଲି ଉପରର କାଳୁ ଶତପଥୀ(୪୦)କୁ ଗିରଫ କରି କୋର୍ଟଚାଲାଣ କରିଥିଲେ।

ଏହି ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ରାଜକିଶୋର ଲେଙ୍କା ୧୧ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ସନ୍ତୋଷ, ବଟକୃଷ୍ଣ ଓ କାଳୁଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ୫୦ ହଜାର ଟଙ୍କା ଅନାଦେୟ ପୁଣି ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ସନ୍ତୋଷ କୁମାର ମୁଣ୍ଡ ଓ ତାଙ୍କ ସହଯୋଗୀ ସାଗର କୁମାର ପାଣ୍ଡିଆ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe