ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟ୍‌ ଘଟଣା: ୩ ଅଭିଯୁକ୍ତ ଜେଲ ଗଲେ

Advertisment

୨ଟି ବାଇକ୍‌ ଜବତ, ରାଉରକେଲାରୁ ଆସି ଲୁଟ୍‌ କରିଥିଲେ

୨ଟି ବାଇକ୍‌ ଜବତ, ରାଉରକେଲାରୁ ଆସି ଲୁଟ୍‌ କରିଥିଲେ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟ୍‌ ଘଟଣା: ୩ ଅଭିଯୁକ୍ତ ଜେଲ ଗଲେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଯାଲୋଏ ଡିଗ୍ରି କଲେଜ ବୁଦ୍ଧିଆପାଲି ଛକ ନିକଟରେ ସଚ୍ଚିଦାନନ୍ଦ ମହାକୁଡ଼ ଓ ଧୀରେନ୍ଦ୍ର ବାରିକଙ୍କଠାରୁ ବନ୍ଧୁକ ମୁନରେ ୧ ଲକ୍ଷ ୨୦ ହଜାର ଟଙ୍କା ଓ ଏକ ଲ୍ୟାପ୍‌ଟପ୍‌ ନେଇଯାଇଥିଲେ। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାଉରକେଲାର ହେମନ୍ତ ଜଗଦଲା (୩୩), ଶ୍ୟାମବାବୁ ମହତ (୩୦) ଓ ରାଜେଶ ସାହୁ (୨୨)। ଏଥିସହ ପୁଲିସ ୨ଟି ବାଇକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ଗଣ୍ଡାବାହାଲର ସଚ୍ଚିଦାନନ୍ଦଙ୍କ ଯାଲୋଏରେ ଏକ ଗ୍ରାହକ ସେବା କେନ୍ଦ୍ର ରହିଛି। ଗତ ୨ ତାରିଖ ସନ୍ଧ୍ୟା ୬ଟାରେ ଗ୍ରାହକ ସେବା କେନ୍ଦ୍ର ବନ୍ଦ କରି ସଚ୍ଚିଦାନନ୍ଦ ତାଙ୍କ ସହଯୋଗୀ ଧୀରେନ୍ଦ୍ର ସହ ଘରକୁ ଫେରୁଥିଲେ। ବୁଦ୍ଧିଆପାଲି ଛକ ନିକଟରେ ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ସଚ୍ଚିଦାନନ୍ଦଙ୍କୁ ମାଡ଼ପିଟ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ତାଙ୍କ ପାଖରେ ଥିବା ୧ ଲକ୍ଷ ୨୦ ହଜାର ଟଙ୍କା, ଲ୍ୟାପ୍‌ଟପ୍‌, ଆଧାର କାର୍ଡ, ‌ଏଟିଏମ୍‌ କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ନେଇ ପଳାଇଥିଲେ। ଥାନା ଅଧିକାରୀ ପ୍ରଭା ଧାନ ସ୍ବତନ୍ତ୍ର ଟିମ୍‌ ଗଠନ କରି ତନାଘନା କରିଥିଳେ। ଦୁର୍ବୃତ୍ତଙ୍କ ମଧ୍ୟରୁ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ହେମନ୍ତ ଓ ଶ୍ୟାମବାବୁ ରକ୍ସାଠାରେ ପୁଲିସ ଯାଞ୍ଚ ବେଳେ ଧରାପଡ଼ିଥିଲେ। ସେମାନେ ବ୍ୟବହାର କରିଥିବା ବାଇକ୍‌ ଚୋରି ବାଇକ୍‌ ବୋଲି ଜଣାପଡ଼ିଥିଲା। ସେମାନେ ଏହି ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା।

ଏହି ଦୁର୍ବୃତ୍ତ ଦ୍ବୟଙ୍କ ସୂଚନା ଆଧାରରେ ପୁଲିସ ରବିବାର ରାତିରେ ରାଉରକେଲାରୁ ରାଜେଶକୁ ଗିରଫ କରିଥିଲା। ତା’ ପାଖରୁ ବି ଏକ ବାଇକ୍‌ ଜବତ କରିଥିଲା। ଏଥିସହ ସଚ୍ଚିଦାନନ୍ଦଙ୍କ ଆଧାର କାର୍ଡ, ଏଟିଏମ୍ କାର୍ଡ ଓ ଅନ୍ୟାନ୍ୟ ବ୍ୟାଙ୍କ କାଗଜ ପତ୍ର ଜବତ କରିଛି। ଲ୍ୟାପ୍‌ଟପ୍‌କୁ ବିଲ ଭିତରେ ଫିଙ୍ଗି ଦେଇଥିବା ଅଭିଯୁକ୍ତମାନେ କହିଛନ୍ତି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ଵସ୍ତିକ ଭୋଏନା ଆଲିୟାସ୍ ଟିଟୋ ଏବେବି ଫେରାର ଅଛି। ଟିଟୋ ରାଉରକେଲା ଅଞ୍ଚଳରେ ଅନେକ ଡକାୟତି ରେ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ଡକାୟତମାନେ ପ୍ରଥମେ ବାଇକ୍ ଚୋରି କଲା ପରେ ନମ୍ବର ବଦଳାଇ ଡକାୟତି କରିଥାନ୍ତି ବୋଲି ପୁଲିସ ଜାଣିବାକୁ ପାଇଛି। ଏହି ଚଢ଼ଉରେ ଏସ୍‌ଆଇ ବିଜୟ ବାରିକ, ଏଏସ୍ଆଇ ସୁରୁ ବିଶ୍ବାଳ, ଓଏପିଏଫ୍ ଫୋର୍ସ ଟୁନା କଅଁର ଓ ସୁଧିର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଏ ସଂକ୍ରାନ୍ତରେ ବୀରମହାରାଜପୁର ଥାନାରେ ମାମଲା ରୁଜୁ ହୋଇ ଏସ୍‌ଆଇ ଶ୍ରୀ ବାରିକ ତଦନ୍ତ କରୁଛନ୍ତି। ଏସ୍‌ଡିଜେଏମ୍ ଅଭିଯୁକ୍ତ ମାନଙ୍କ ଜାମିନ୍ ନାମଞ୍ଜୁର କରିଦେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe