ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୩ ମୁଖ୍ୟ ଅଭିଯୁକ୍ତ ଗିରଫ

Advertisment
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ବିଂଝାରପୁର/ଯାଜପୁରସଦର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ବାଛୋଳ ପଞ୍ଚାୟତର ବାମଦେବପୁରରେ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ୩ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ୧୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ଏହି ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଖୁବ୍‌ଶୀଘ୍ର ଧରାପଡ଼ିବ ବୋଲି ପୁଲିସ ଅଧିକାରୀ ଦୃଢ଼ୋକ୍ତି କରିଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ; ବାମଦେବପୁର ଗ୍ରାମର ପ୍ରଶାନ୍ତ ମଲିକ(୩୮), ପ୍ରଦୀପ ମଲିକ(୨୬) ଓ ଶରତ ମଲିକ(୨୨)। ସେମାନଙ୍କୁ ଥାନା କେସ୍‌ ନମ୍ବର ୧୨୬/୨୨ ଓ ୧୨୭/୨୨ରେ କୋର୍ଟଚାଲାଣ କରାଯାଇଛି। ଏହି ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି ରାହୁଲ ପିଆର୍‌ । ଉଲ୍ଲେଖଯୋଗ୍ୟ ଯେ ଗତ ୨୦ ତାରିଖରେ ବିଂଝାରପୁର ବ୍ଲକ୍‌ ବାଛୋଳ ପଞ୍ଚାୟତ ବାମଦେବପୁର ୨ ନମ୍ବର ବୁଥ୍‌ରେ ନିର୍ବାଚନ ଚାଲୁଥିବା ସମୟରେ କିଛି ଦୁର୍ବୃତ୍ତ ଭୋଟ୍‌ବାକ୍ସ ଫିଙ୍ଗିଦେବାକୁ ଉଦ୍ୟମ କରିଥିଲେ। ଏହାର ଫଟୋ ଉତ୍ତୋଳନ କରୁଥିବା ଜଣେ ଟିଭି ସାମ୍ବାଦିକଙ୍କୁ ହଠାତ୍‌ ଅଭିଯୁକ୍ତମାନେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ୩୦ରୁ ଅଧିକ ଅସାମାଜିକ ଲୋକ ଉକ୍ତ ସାମ୍ବାଦିକଙ୍କୁ ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ। ଏହିସମୟରେ ଅନ୍ୟ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯିବା ସହ ସେମାନଙ୍କର ଏକ କାର୍‌କୁ ମଧ୍ୟ ଅଭିଯୁକ୍ତମାନେ ଭାଙ୍ଗି ଦେଇଥିଲେ। ଏହି ଘଟଣା ସାରାରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ, ଏହି ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe