ନାବାଳିକାଙ୍କୁ ଅପହରଣ ପରେ ପରିବାରକୁ ଟଙ୍କା ଡିମାଣ୍ଡ; ୩ ଗିରଫ, ନାବାଳିକା ଉଦ୍ଧାର

Advertisment
ନାବାଳିକାଙ୍କୁ ଅପହରଣ ପରେ ପରିବାରକୁ ଟଙ୍କା ଡିମାଣ୍ଡ; ୩ ଗିରଫ, ନାବାଳିକା ଉଦ୍ଧାର

ସମ୍ବଲପୁର : ଫିଲ୍ମ ଷ୍ଟାଇଲ୍‌ରେ ସମ୍ବଲପୁର ଅଞ୍ଚଳରେ ଜଣେ ନାବାଳିକା(୧୭)ଙ୍କୁ ଅପହରଣ କରାଯିବା ଏବଂ ତାଙ୍କ ପରିବାରକୁ ଟଙ୍କା ମଗାଯିବା ଘଟଣା ସାମ୍ନାକୁ ଆସିଛି। ଯାହା ପୂରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରେଙ୍ଗାଲି ଥାନା ଅଧୀନ ଅଞ୍ଚଳର ଜଣେ ନାବାଳିକାଙ୍କୁ ଭଲପାଉଥିବା ଯୁବକ ହିଁ ତା ବାପା ସହ ମିଶି ଅପହରଣ କରି ନେଇଥିଲା। ପରେ ନାବାଳିକାଙ୍କ ଭାଇକୁ ଫୋନ୍‌ କରି ଟଙ୍କା ନଦେଲେ ଝିଅକୁ ମାରିଦେବୁ ବୋଲି ଧମକ ଦେଇଥିଲା। ନାବାଳିକା ଜଣକ ଅପହରଣ ହେବା ପରେ ତାଙ୍କ ବାପା ରେଙ୍ଗାଲି ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ବୁଧବାର ୩ ଜଣଙ୍କୁ ଗିରଫ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ପୁଲିସ ରେଙ୍ଗାଲି ଥାନା ନିସାନଭଙ୍ଗାର ଭରତ ନାଏକ ଓରଫ ଅମନ(୨୦) ଓ ତା ବାପା ସାରଙ୍ଗ ନାଏକ(୪୩) ଏବଂ ସେମାନଙ୍କୁ ସହଯୋଗ କରିଥିବା ଅତାବିରା ରେଙ୍ଗାଲି କ୍ୟାମ୍ପର ରାଜେନ୍ଦ୍ର ଧରୁଆ(୨୯)କୁ ପୁଲିସ ଗିରଫ କରିଛି।

ବାପ-ପୁଅ ମିଶି ରଚିଥିଲେ ଅପହରଣ ନାଟକ
ଅପହରଣ କରି ଟଙ୍କା ମାଗିବା ଘଟଣାରେ ପୁଲିସ ମିଳିଥିବା ସୂଚନା ଅନୁଯାୟୀ, ଅମନ ଓ ତା ବାପା ସାରଙ୍ଗ ମିଶି ନାବାଳିକାଙ୍କୁ ଅପହରଣ କରିନେବା ଯୋଜନା କରିଥିଲେ। ଗିରଫ ହୋଇଥିବା ୨ ବାପପୁଅକୁ ରାଜେନ୍ଦ୍ର ସହଯୋଗ କରିଥିଲା। ଯୋଜନା ମୁତାବକ ନାବାଳିକାଙ୍କୁ ପ୍ରେମ କରୁଥିବା ଅମନ ପ୍ରଲୋଭନ ଦେଖାଇ ଦୀପାବଳି ଦିନ ଘରୁ ନେଇଯାଇଥିଲା। ନାବାଳିକାଙ୍କ ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ତାଙ୍କ ବାପା ଥାନାରେ ଲିକିତ ଅଭିଯୋଗ କଲେ। ପୁଲିସ ମଧ୍ୟ ନାବାଳିକାଙ୍କୁ କିଏ କେଉଁଠାରେ ଅପହରଣ କରି ରଖିଚି, ତାର ଟେର୍‌ ପାଇ ନଥିଲା। ତେବେ ଗତ ସୋମବାର ସନ୍ଧ୍ୟାରେ ନାବାଳିକାଙ୍କ ଭାଇକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା ଏବଂ ୪ ଲକ୍ଷ ଟଙ୍କା ଦେଲେ ତୋ ଭଉଣୀକୁ ଛାଡ଼ିବୁ ବୋଲି ଦୁର୍ବୃତ୍ତ ଜଣକ କହିଥିଲା। ତମ ପରିବାର ଲୋକେ ଥାନାରେ ବସି ରହୁଛ, ଏକଥା ଆମେ ଜାଣିଛୁ ବୋଲି କହିବା ସହ ଟଙ୍କା ମାଗିବା ନେଇ ଯଦି କାହାକୁ ଜଣାଇଲୁ ତୁ ତୋ ଭଉଣୀକୁ ଭୁଲିଯିବୁ ବୋଲି ଦୁର୍ବୃତ୍ତ ଜଣକ କହିଥିଲା। ୬ଟା ସୁଦ୍ଧା ଟଙ୍କା ନପଠାଇଲେ ନାବାଳିକାଙ୍କୁ ମାରିଦେବୁ ବୋଲି ମଧ୍ୟ ଧମକ ଦେଇଥିଲା। ଏଭଳି ଧମକ ପରେ ପରିବାର ଲୋକେ ଭୟରେ ପୁଲିସକୁ ଜଣାଇବୁ କି ନାହିଁ ବୋଲି ଚିନ୍ତାରେ ଥିବା ବେଳେ ନାବାଳିକାଙ୍କ ଭାଇ ସାହସ ଦେଖାଇ ଥାନାଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ଥାନାରେ କଥା ନହୋଇ ବାହାରେ କଥା ହେବାକୁ କହିଥିଲେ। ତାପରେ ପୁଲିସ ପକ୍ଷରୁ ୨ଟି ଟିମ୍‌ ଗଠନ କରାଯାଇ ମୋବାଇଲ୍‌ ନମ୍ବର ଟ୍ରାକିଂ କରିବା ସହ ଅନ୍ୟ ଯାନ୍ତ୍ରିକ କୌଶଳ ସହାୟତାରେ ଅଜଣା ନମ୍ବରରୁ କଲ୍‌ କରିଥିବା ଦୁର୍ବୃତ୍ତ ରାଜେନ୍ଦ୍ରକୁ ଗୋଡ଼ଭଗାର ଏକ ଏଟିଏମ୍‌ ଭିତରୁ ଧରିଥିଲା। ତାକୁ ପଚରା ଉଚରା ପରେ ସେ ନାବାଳିକାଙ୍କୁ ଅପହରଣ କରି ରଖାଯାଇଥିବା ସ୍ଥାନକୁ ନେଇଥିଲା। କୁଚିଣ୍ଡା ଥାନା ଅଧୀନ ଅଞ୍ଚଳରୁ ୨ ବାପପୁଅକୁ ପୁଲିସ ଗିରଫ କରିବା ସହ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe