ନୂଆବର୍ଷରେ ଭିତରକନିକାରୁ ବାରହା ଶିକାର, ବୋଲେରୋ ଜବତ, ୩ ଗିରଫ

ନୂଆବର୍ଷରେ ଭିତରକନିକାରୁ ବାରହା ଶିକାର, ବୋଲେରୋ ଜବତ, ୩ ଗିରଫ

ରାଜନଗର : ନୂଆବର୍ଷ ମଉଜ ପାଇଁ ଭିତରକନିକା ଜାତୀୟ ଉଦ୍ୟାନରୁ ବାରହା ଶିକାର କରାଯାଇଛି। ମାଂସକୁ ଏକ କିଲୋ ଓ ଦୁଇ କିଲୋ ପ୍ୟାକେଟ୍‌ କରାଯାଇ ବୋଲେରୋ ଗାଡ଼ିରେ ବ୍ଲକ୍‌ ବାହାରକୁ ଚାଲାଣ କରାଯାଉଥିବା ବେଳେ ଧରାପଡ଼ିଛି। ପୂର୍ବରୁ ସୂଚନା ପାଇ ଜଗି ରହିଥିବା ବନବିଭାଗ ଟିମ୍‌ ଗାଡ଼ି ତନଖି ବେଳେ ୧୧ କିଲୋ ବାରହା ମାଂସ ସହ ବୋଲେରୋକୁ ଜବତ କରିଛନ୍ତି। ବୋଲେରୋ ଡ୍ରାଇଭର ସହିତ ବାରହା ଶିକାରୀ ଓ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। କିଲୋ ପ୍ରତି ୫ ଶହ ଟଙ୍କା ଦରରେ ଏହା ବିକ୍ରି କରାଯାଇଥାନ୍ତା ବୋଲି ସୂଚନା ମିଳିଛି।

ଶନିବାର ସକାଳ ୭ଟା ୩୦ରେ କନିକା ରେଞ୍ଜ୍‌ ଅଫିସର ମାନସ କୁମାର ଦାସଙ୍କ ନେତୃତ୍ବରେ ଫରେଷ୍ଟର୍‌ କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ସୁନିଲ ରଂଜନ ରାଉତରାୟ, ଶ୍ରୀରାମ ମୁର୍ମୁଙ୍କ ସହିତ ବନବିଭାଗ କର୍ମଚାରୀମାନେ ଖୋଳା ଚେକ ଗେଟରେ ପୂର୍ବରୁ ଜଗି ରହିଥିଲେ। ଡାଙ୍ଗମାଳ ପଟୁ ଆସୁଥିବା ଓଡି-୦୫ଏପି-୩୭୯୬ ନମ୍ବର ବିଶିଷ୍ଟ ବୋଲେରୋ ଗାଡ଼ିକୁ ବନବିଭାଗ ଅଟକାଇ ତନଖି କରିଥିଲେ। ବୋଲେରୋ ପଛପଟେ ପଲିଥିନ୍‌ରେ ଗୁଡ଼ାହୋଇ ଛିଣ୍ତା ପ୍ଲାଷ୍ଟିକ୍‌ ବ୍ୟାଗରେ ପଶିଥିବା ବାରହା ମାଂସ ମିଳିଥିଲା। ୭ଟି ଏକ କିଲୋ ଓ ଦୁଇଟି ଦୁଇ କିଲୋର ପ୍ୟାକେଟ୍‌ ମିଳିଥିଲା। ଏଥିସହ ବୋଲେରୋରୁ ଏକ କଟୁରୀ ମଧ୍ୟ ମିଳିଥିଲା।

ବୋଲେରୋ ଡ୍ରାଇଭର ବାଙ୍କୁଆଳ ଗାଁର ଦୁର୍ଗା ଚରଣ ପାଢ଼ୀଙ୍କ ସହିତ ବରାଡ଼ିଆ ଗାଁର ଗୌରାଙ୍ଗ ସେଠୀ ଓ ପଟ୍ଟାମୁଣ୍ତାଇ ଥାନା ଅନ୍ତର୍ଗତ ବଡ଼ଝରିଆ ଗାଁର ସୁଶାନ୍ତ ଦାସଙ୍କୁ ବନବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ, ଗୌରାଙ୍ଗ ଜଣେ ନିୟମିତ ଶିକାରୀ। ନୂଆ ବର୍ଷ ମଉଜ ପାଇଁ ମାଂସର ଚାହିଦା ଥିବାରୁ ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ପଶି ଗତକାଲି ରାତିରେ ସେ ବାରହା ଶିକାର କରିଥିଲା। ବଡ଼ଝରିଆ ଗାଁର ସୁଶାନ୍ତ ସହ ମିଶି ବାରହାକୁ କାଟି ମାଂସ ବନାଇଥିଲା।

ବୋଲେରୋରେ ମାଂସକୁ ପଟ୍ଟାମୁଣ୍ତାଇ ଓ ଆଳି ନିଆଯାଉଥିଲା। ପୂର୍ବରୁ ଗ୍ରାହକ ଯୋଗାଡ଼ ହୋଇଥିଲେ। ମାଂସ କିଲୋ ପଟ୍ଟାମୁଣ୍ତାଇ ଓ ଆଳିରେ ୫ ଶହ ଟଙ୍କା ଦରରେ ବିକିଥାନ୍ତା ବୋଲି ଗୌରାଙ୍ଗ ବନବିଭାଗ ନିକଟରେ କହିଛି। ଡାଙ୍ଗମାଳ ଫରେଷ୍ଟ ବ୍ଲକ୍‌ର ଢୋଢୋଇଆ ଜଙ୍ଗଲରୁ ଗତକାଲି ରାତିରେ କ୍ଲଚ୍‌ ତାରରେ ପ୍ରସ୍ତୁତ ଫାଶ ମାଧ୍ୟମରେ ବାରହା ଶିକାର କରାଯାଇଥିଲା। ବାରହାର ମୁଣ୍ତ ଓ ଚମଡ଼ା ମିଳିପାରିନାହିଁ। ଗତ ଏକମାସ ତଳେ ବଗପାଟିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ପଶି ଅନ୍ୟ ସାଥୀ ଶିକାରୀଙ୍କ ସହିତ ହରିଣ ଶିକାର କରି ଜେଲ୍‌ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe