ThePrint
ସମ୍ବଲପୁର : ବରଗଡ଼ଠାରୁ ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ହାୱଡ଼ା ପର୍ଯ୍ୟନ୍ତ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ପଶ୍ଚିମାଞ୍ଚଳ ବିକାଶ ପାର୍ଟି ଦାବି କରିଛି। ବରଗଡ଼ରୁ ହାୱଡ଼ା ପର୍ଯ୍ୟନ୍ତ କୌଣସି ସିଧାସଳଖ ଦ୍ରୁତଗାମୀ ଟ୍ରେନ୍ ନଥିବାରୁ ଲୋକଙ୍କ ସୁବିଧା ପାଇଁ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଦେବାକୁ ଦଳ ପକ୍ଷରୁ ସଭାପତି ଲକ୍ଷ୍ମଣ କୁମାର ଭୋଇ ପ୍ରସ୍ତାବ ଦେଇଛନ୍ତି। ଅପରପକ୍ଷରେ ବିଶିଷ୍ଟ ଶିକ୍ଷାବିତ୍ ପ୍ର. ଶଂକର ପ୍ରସାଦ ପତି ପଶ୍ଚିମ ଓଡ଼ିଶା ପାଇଁ ୨ଟି ବନ୍ଦେ ଭାରତ ଏକ୍ସେପ୍ରସ୍ ମଞ୍ଜୁର କରିବାକୁ ଦାବି କରିଛନ୍ତି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଦେଇଥିବା ପତ୍ରରେ ସେ ରାଉରକେଲାରୁ ସମ୍ବଲପୁର, ଟିଟିଲାଗଡ଼, ରାୟଗଡ଼ା ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଗୋଟିଏ ଓ ଭୁବନେଶ୍ବରରୁ ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବିଳାସପୁର ଦେଇ ଆଉ ଗୋଟିଏ ବନ୍ଦେ ଭାରତ ଚଳାଚଳ କରିବାକୁ ପ୍ରସ୍ତାବ ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ଏଠାକାର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଉପଲବ୍ଧ ଥିବା ସହର ଗୁଡ଼ିକ ସହ ଯୋଡ଼ିବା ପାଇଁ ଏହି ପଦକ୍ଷେପ ନେବା ଜରୁରୀ ବୋଲି ସେ ଉଲ୍ଲେଖ କରିଛନ୍ତି।
ପ୍ର. ଶଂକର ପ୍ରସାଦ ପତିଙ୍କ ମତରେ ପଶ୍ଚିମ ଓଡ଼ିଶାରେ ଗୋଟିଏ ବି ଉନ୍ନତ ମାନର ସୁପର୍ ସ୍ପେସାଲିଟି ଡାକ୍ତରଖାନା ନାହିଁ। ବୁର୍ଲା ବଡ଼ ଡାକ୍ତରଖାନାର ଅବସ୍ଥା ଶୋଚନୀୟ। ଉନ୍ନତ ସ୍ବାସ୍ଥ୍ୟ ସେବା ପାଇବାକୁ ହେଲେ ଏଠାକାର ଲୋକଙ୍କୁ କଟକ, ଭୁବନେଶ୍ବର ବା ରାଜ୍ୟ ବାହାରର ସହରମାନଙ୍କୁ ଯିବାକୁ ପଡ଼ୁଛି। ଏଠାରେ ଏକ ଉନ୍ନତ ସୁପର୍ ସ୍ପେସାଲିଟି ଡାକ୍ତରଖାନା ହେଉ ବୋଲି ବହୁ ଦିନରୁ ଦାବି ହୋଇ ଆସୁଥିଲେ ବି ସରକାର ଧ୍ୟାନ ଦେଉ ନାହାନ୍ତି। ତେଣୁ ଅତି କମ୍ରେ ଏହି ଅଞ୍ଚଳ ପାଇଁ ଦ୍ରୁତ ସଂଯୋଗକାରୀ ଟ୍ରେନ୍ର ବ୍ୟବସ୍ଥା କରାଗଲେ ଲୋକେ ନିଜ ସୁବିଧାରେ ଅନ୍ୟ ସହରକୁ ଯାଇ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି ପ୍ର. ପତି ଦର୍ଶାଇଛନ୍ତି। ଭୁବନେଶ୍ବର, ରାୟପୁର, ବିଳାସପୁର ଓ ବିଶାଖାପାଟଣାରେ ବହୁ ଉନ୍ନତ ସୁପର୍ସ୍ପେସାଲିଟି ଡାକ୍ତରଖାନା ଥିବାରୁ ଏହି ସହର ଗୁଡ଼ିକୁ ପଶ୍ଚିମ ଓଡ଼ିଶା ସହ ବନ୍ଦେ ଭାରତରେ ଯୋଡ଼ାଗଲେ ସ୍ଥାନୀୟ ଲୋକଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି ସେ ଦର୍ଶାଇଛନ୍ତି।
Follow Us