jvsschool.com
ଖୋର୍ଦ୍ଧା: ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ବୋଲି ଖୋର୍ଦ୍ଧା ଜିଲ୍ଲାର ତିନି ଗୋଟି ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ। କିଛି ମାସ ତଳେ ଦୁଇ ଗୋଟି ବନ୍ଦ ହୋଇଯାଇଥିଲା, ଚଳିତ ଏପ୍ରିଲ୍ ପହିଲାରୁ ଖୋର୍ଦ୍ଧା ବ୍ଲକ୍ର ଆଉ ଗୋଟିଏ ସ୍କୁଲ୍ ଉପରେ ସରକାର ତାଲା ଝୁଲାଇଛନ୍ତି। ପ୍ରଥମ ଥର ପାଇଁ ଜିଲ୍ଲାର ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଚ ପ୍ରାଥମିକ ସ୍କୁଲ୍ରେ ସରକାର ତାଲା ଝୁଲାଇବା ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହି କ୍ରମରେ ଶିକ୍ଷକଙ୍କ କାର୍ଯ୍ୟକାଳ ପୂରି ଆସୁଥିବା ଜିଲ୍ଲାର ମୋଟ୍ ୪୨ଗୋଟି ଉଚ୍ଚ ପ୍ରାଥମିକ ବ୍ଲକ୍ ଗ୍ରାଣ୍ଟ୍ ସ୍କୁଲ୍ ସବୁଦିନ ପାଇଁ ବନ୍ଦ ହେବାକୁ ଦିନ ଗଣିବା ଆରମ୍ଭ କଲେଣି। କେଉଁଠି ବିଦ୍ୟାଳୟର ଅନ୍ତିମ ଶିକ୍ଷକଙ୍କ ଚାକିରି କାଳ ମାତ୍ର ଦୁଇ ମାସ ଥିବା ବେଳେ ଆଉ କେଉଁଠି ମାତ୍ର ଛଅ ମାସ ଅଛି। ଆଜି ନୁହେଁ ତ କାଲି, ଶିକ୍ଷକଙ୍କ ଚାକିରି ସରିବା କ୍ଷଣି ବିଦ୍ୟାଳୟ ବନ୍ଦ ହେବା ଏକ ପ୍ରକାର ଥୟ ହୋଇଛି।
ସୂଚନା ମୁତାବକ, ଏ ବ୍ଲକ୍ ଗ୍ରାଣ୍ଟ୍ ସ୍କୁଲ୍ ଗୁଡ଼ିକ ଯଦିଓ ସରକାରଙ୍କ ଦ୍ବାରା ଅନୁମୋଦିତ କିନ୍ତୁ ସରକାରୀ ନୁହେଁ। ଅତୀତରେ ଯେଉଁ ଗାଁରେ ବିଦ୍ୟାଳୟ ନ ଥିଲା, ସେହି ଅଞ୍ଚଳରେ ଗାଁ ଲୋକେ ନିଜସ୍ବ ଉଦ୍ୟମରେ ସ୍କୁଲ୍ ଗଢ଼ିଥିଲେ। ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକଙ୍କୁ ନିୟୋଜିତ କରିଥିଲେ। ସମୟ କ୍ରମେ ସରକାର ଏହି ଲୋକଙ୍କ ତିଆରି ବିଦ୍ୟାଳୟକୁ ବ୍ଲକ୍ ଗ୍ରାଣ୍ଟ୍ର ମାନ୍ୟତା ଦେଇଥିଲେ ଓ ଶିକ୍ଷକଙ୍କ ଦରମା ବି ଦେଇଥିଲେ। କିନ୍ତୁ, ଗାଁ ଲୋକଙ୍କ ଦ୍ବାରା ନିଯୁକ୍ତ ଶିକ୍ଷକ ସବୁ ଅବସର ନେଲା ପରେ ସେ ବିଦ୍ୟାଳୟର ଅବସ୍ଥା କ’ଣ ହେବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଗ୍ରାମବାସୀ କିମ୍ବା ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ବି ଦିଆଯାଉନାହିଁ। ତେଣୁ, ଯେଉଁ ବିଦ୍ୟାଳୟର ଅନ୍ତିମ ଶିକ୍ଷକଙ୍କ ଚାକିରି କାଳ ଶେଷ ହେଉଛି ଓ ସେ ଅବସରଗ୍ରହଣ କଲା ପରେ ସେ ବିଦ୍ୟାଳୟକୁ ସରକାର ବନ୍ଦ କରିବା ଆରମ୍ଭ କଲେଣି। ଏହି କ୍ରମରେ ବେଗୁନିଆ ବ୍ଲକ୍ ହୀରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଟାଙ୍ଗୀ ବ୍ଲକ୍ ଭୋବରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଖୋର୍ଦ୍ଧା ବ୍ଲକ୍ ପୋଡ଼ାପୁଟ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମ ଥର ପାଇଁ ବନ୍ଦ କରାଯାଇଛି। ଏ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପଠାଯାଇଛି।
ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ମୋଟ୍ ୧୦ଗୋଟି ବ୍ଲକ୍ରେ ଆହୁରି ୪୨ଟି ସ୍କୁଲ୍ ସବୁଦିନ ପାଇଁ ତାଲା ଝୁଲିବାକୁ ବସିଛି। ଏହି ତାଲିକାରେ ସବୁଠାରୁ ବେଶି ବେଗୁନିଆ ବ୍ଲକ୍ର ମୋଟ୍ ୯ଗୋଟି ବିଦ୍ୟାଳୟ ଥିବା ବେଳେ ବୋଲଗଡ଼ ବ୍ଲକ୍ର ୭ଟି, ଖୋର୍ଦ୍ଧା ବ୍ଲକ୍ର ୬ଗୋଟି, ବାଲିଅନ୍ତା ବ୍ଲକ୍ର ୩ଟି, ବାଲିପାଟଣା ବ୍ଲକ୍ର ୪ଗୋଟି, ବାଣପୁର ବ୍ଲକ୍ର ୩ଟି, ଚିଲିକା ବ୍ଲକ୍ର ଗୋଟିଏ, ଜଟଣୀ ବ୍ଲକ୍ର ୩ଟି, ଟାଙ୍ଗୀ ବ୍ଲକ୍ର ଗୋଟିଏ ଏବଂ ଭୁବନେଶ୍ବର ପୌର ନିଗମର ୫ଟି ସ୍କୁଲ୍ ରହିଛି। ଏହି ବିଦ୍ୟାଳୟରୁ ଅନେକ ଶିକ୍ଷକ ଅବସରଗ୍ରହଣ କରି ସାରିଲେଣି। ବାକି ହାତ ଗଣତି ଶିକ୍ଷକ ନିଜର ଅବସର ସମୟକୁ ଅପେକ୍ଷା କରିଛନ୍ତି। ସେମାନଙ୍କର ଚାକିରି ସରିଲେ, ବିଦ୍ୟାଳୟ ସବୁଦିନ ପାଇଁ ବନ୍ଦ ହେବା ଥୟ ହୋଇଛି।
Follow Us