ବାହୁଡ଼ା ପୂର୍ବରୁ ଯାଞ୍ଚ ହେଲା ତିନିରଥ, ସରିଲା ଆବଶ୍ୟକ ମରାମତି କାମ

ବାହୁଡ଼ା ପୂର୍ବରୁ ଯାଞ୍ଚ ହେଲା ତିନିରଥ, ସରିଲା ଆବଶ୍ୟକ ମରାମତି କାମ

ପୁରୀ : ଜୁଲାଇ ୨୦‌ରେ ବାହୁଡ଼ାଯାତ୍ରା। ଏଥିପୂର୍ବରୁ ଉତ୍ତରମୁହାଁ ତିନିରଥକୁ ଶରଧାବାଲିରେ ଦକ୍ଷିଣମୋଡ଼ ‌ଦିଆଯାଇଛି। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ିବା ପୂର୍ବରୁ ଅଘଟଣ ଏଡ଼ାଇବା ପାଇଁ ରଥ ନିର୍ମାଣ କମିଟି ତିନି ରଥର ଆବଶ୍ୟକ ଯାଞ୍ଚ କାମ ଆଜି ‌ଶେଷ କରିଛନ୍ତି। ଏଥିସହ ତିନିରଥର ଆବଶ୍ୟକ ମରାମତି କାମ ବି ଶେଷ ହୋଇଛି।

ଆଜି ମଧ୍ୟାହ୍ନରେ ୱାର୍କ୍ସ ସୁପରିଟେଣ୍ଡେଣ୍ଟ, ପୂର୍ତ୍ତ ବିଭାଗ ଯନ୍ତ୍ରୀ, ତିନି ରଥର ମୁଖ୍ୟ ବିଶ୍ବକର୍ମା, ୧୦ଜଣ ଶାଢ଼ୀବନ୍ଧା ସେବକ ତିନି ରଥର ସ୍ଥିତି ଅନୁଧ୍ୟାନ କରିଥିଲେ। କମିଟି ଚତୁଃପାର୍ଶ୍ବ ବୁଲି ଅନୁଧ୍ୟାନ କରିବା ପରେ ତିନି ରଥର ଛୋଟବଡ଼ ମରାମତି କାମ କରାଯାଇଥିଲା। ପୂର୍ବତଟ ରେଳବାଇ ପକ୍ଷରୁ ଅଧିକାରୀ, କର୍ମଚାରୀମାନେ ରହି ଆବଶ୍ୟକ ମରାମତି କରିଛନ୍ତି। ଆଜି ଅପରାହ୍ଣ ସୁଦ୍ଧା ଏହି କାମ ଶେଷ ହୋଇଛି। ଏଥିସହ ରଥ ନିର୍ମାଣ କମିଟି ବାହୁଡ଼ାଯାତ୍ରା ପାଇଁ ତିନିରଥ ପ୍ରସ୍ତୁତ ବୋଲି ପ୍ରମାଣପତ୍ର ଦେଇସାରିଛି।

ସୂଚନାଯୋଗ୍ୟ, ଅଘଟଣ ଏଡ଼ାଇବା ପାଇଁ ରଥଯାତ୍ରା ପୂର୍ବରୁ ବି ଏହି କମିଟି ତିନିରଥର ସ୍ଥିତି ଯାଞ୍ଚ କରିଥିଲେ। କମିଟି ରଥ ଗଡ଼ିବା ପାଇଁ ସବୁଜ ସଙ୍କେତ ଦେବା ପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିଲେ। ସେହିଭଳି ବାହୁଡ଼ାଯାତ୍ରା ପୂର୍ବରୁ ଏହି କମିଟି ରଥ ଠିକ୍‌ଠାକ୍‌ ଥିବା ପ୍ରମାଣପତ୍ର ଦେବା ପରେ ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe