Three children die: ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁଙ୍କ ଜୀବନ ଗଲା

ବଡ଼ମ୍ବା ବ୍ଲକ୍‌ ଅନ୍ତର୍ଗତ ରଗଡ଼ିପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁଙ୍କ ଜୀବନ ଯାଇଛି। ମାମୁଘରକୁ ବୁଲିବାକୁ ଆସିଥିବା ଦୁଇ ଭଉଣୀଙ୍କ ୩ ଜଣ ପିଲା ଏକାଠି ଖେଳୁଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଛନ୍ତି।

Dead

ବଡ଼ମ୍ବା: ବଡ଼ମ୍ବା ବ୍ଲକ୍‌ ଅନ୍ତର୍ଗତ ରଗଡ଼ିପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁଙ୍କ ଜୀବନ ଯାଇଛି। ମାମୁଘରକୁ ବୁଲିବାକୁ ଆସିଥିବା ଦୁଇ ଭଉଣୀଙ୍କ ୩ ଜଣ ପିଲା ଏକାଠି ଖେଳୁଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଛନ୍ତି। ମୃତ ୩ ଶିଶୁ ହେଲେ ଇଚ୍ଛାପୁର ଗ୍ରାମର ସୁଶାନ୍ତ ନାୟକଙ୍କ ପୁଅ ଶୁଭମ ନାୟକ (୩), ବଡ଼ବାରେଣା ଗ୍ରାମର ଅନୁଜ ନାୟକଙ୍କ ଝିଅ ଶିବାନୀ ନାୟକ (୭) ଓ ପୁଅ ଅଙ୍କିତ ନାୟକ (୯)। ଅର୍ଥାତ୍‌ ଏହି ଘଟଣାରେ ଜଣେ ଭଉଣୀଙ୍କର ଗୋଟିଏ ପୁଅ ଓ ଅନ୍ୟ ଜଣେ ଭଉଣୀଙ୍କର ଉଭୟ ପୁଅ ଓ ଝିଅ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ, ତିନି ଶିଶୁ ଆଜି ବଡ଼ମ୍ବା ବ୍ଲକ୍‌ ରଗଡିପଡ଼ା ଗ୍ରାମର ତଅଳାସାହିରେ ଥିବା ମାମୁଘରକୁ ଆସିଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ଏହି ୩ ଜଣ ଶିଶୁ ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି ଉପରେ ଖେଳୁଥିଲେ। ପାଇଖାନା ଟାଙ୍କିର ଉପରି ଭାଗ ଭାଙ୍ଗିଯିବାରୁ ସେମାନେ ଭିତରକୁ ଖସି ପଡ଼ିଥିଲେ। କିନ୍ତୁ ଏହି ଘଟଣା କେହି ଜାଣିପାରି ନଥିଲେ। 

ଅନେକ ସମୟ ପର୍ଯ୍ୟନ୍ତ ସେମାନେ ନ ଆସିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି ଭାଙ୍ଗି ଯାଇଥିବା ଦେଖି ସେଠାରେ ପହଞ୍ଚି ଖୋଜାଖୋଜି କରିବାରୁ ଏଭଳି ଦୁଃଖଦ ଘଟଣା ସାମନାକୁ ଆସିଥିଲା। ଦିନ ପ୍ରାୟ ଗୋଟାଏ ବେଳେ ପରିବାର ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ୩ ଶିଶୁଙ୍କୁ ଟାଙ୍କିରୁ ଉଦ୍ଧାର କରାଯାଇ ବଡ଼ମ୍ବା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ମ୍ବା ଥାନା ପୁଲିସ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଆଠଗଡ଼ ଏସ୍‌ଡିପିଓ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି। ୩ ଶିଶୁଙ୍କ ଏଭଳି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe