୨୪ ଘଣ୍ଟାରେ ଆଖି ବୁଜିଲେ ୩ କରୋନା ଯୋଦ୍ଧା

Advertisment

କନଷ୍ଟେବଳ, ପ୍ରଧାନଶିକ୍ଷକ ଓ ଅଙ୍ଗନବାଡ଼ି ସୁପରଭାଇଜର୍‌ଙ୍କ ମୃତ୍ୟୁ

କନଷ୍ଟେବଳ, ପ୍ରଧାନଶିକ୍ଷକ ଓ ଅଙ୍ଗନବାଡ଼ି ସୁପରଭାଇଜର୍‌ଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଆଖି ବୁଜିଲେ ୩ କରୋନା ଯୋଦ୍ଧା

ଆସିକା/ବ୍ରହ୍ମପୁର : କରୋନା ମୁକାବିଲାରେ ନିଃସ୍ବାର୍ଥ ଓ ଉତ୍ସର୍ଗୀକୃତ ସେବା ଜାରି ରଖିଥିବା ଗଞ୍ଜାମ ଜିଲ୍ଲାର ଅନେକ କରୋନା ଯୋଦ୍ଧାଙ୍କ ଜୀବନ ଏବେ ସଂକଟରେ। ଏଯାଏ ୬୪୫ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ଆଉ ୩ କରୋନା ଯୋଦ୍ଧା ପ୍ରାଣ ହରାଇଛନ୍ତି। ଫଳରେ ଏହାକୁ ମିଶାଇ ଆଜି ସୁଦ୍ଧା ମୋଟ ୭ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି।

ଆସିକା ବ୍ଲକ୍ ଓ ଥାନା ଇଲାକାରେ ଜଣେ କନେଷ୍ଟବଳ ଓ ଜଣେ ପ୍ରଧାନଶିକ୍ଷକ ଏବଂ ସାନଖେମୁଣ୍ତି ବ୍ଲକ୍‌ରେ ଅଙ୍ଗନବାଡ଼ି ସୁପରଭାଇଜର୍ ଭାବେ କାମ କରୁଥିବା କେ.ଅଶାନ୍ତ ପାତ୍ରଙ୍କ ମୃତ୍ୟୁ ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଆସିକା ଥାନା କୋଟିନଡ଼ା ଫାଣ୍ଡିରେ କାର୍ଯ୍ୟରତ କନଷ୍ଟେବଳ ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ଗ୍ରାମର ଗୋଲକ ନାୟକ (୫୫)ଙ୍କ ଗତକାଲି ସନ୍ଧ୍ୟାରେ ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଛି। ଗତ ୧୦ ତାରିଖରେ ତାଙ୍କ ସ୍ବାବ୍ ନମୁନା ପଜିଟିଭ୍ ଆସିଥିଲା। ଗତକାଲି ଗୋଲକଙ୍କୁ ପ୍ରଥମେ ପାରଳା ‌ମହାରାଜା ଇଞ୍ଜିନିୟରିଂ କଲେଜ କୋଭିଡ୍ କେୟାର୍ ସେଣ୍ଟର୍‌ ଏବଂ ପରେ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ଼୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଗୋଲକଙ୍କ ମୃତ୍ୟୁ ହୋଇଛି। ।

publive-image

ସେହିପରି ଆସିକା ବ୍ଲକ୍ ଅଧୀନ ମୁନିଗାଡ଼ି ପଞ୍ଚାୟତ ସିଙ୍ଗିପୁର ଗ୍ରାମ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରହରି ବେହେରା (୪୮) ମଧ୍ୟ ପ୍ରାଣ ହରାଇଛନ୍ତି। ସେ ସିଙ୍ଗିପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ମେ ୧୬ ତାରିଖରୁ ଜୁନ୍ ମାସ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ତଦାରଖ ଦାୟିତ୍ବରେ ଥିଲେ। ଗତ ୭ ଦିନ ହେଲା ସେ ଜ୍ବରରେ ଆକ୍ରାନ୍ତ ଥିଲେ। ବ୍ରହ୍ମପୁରସ୍ଥିତ ଭଡ଼ା‌ ଘରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବକୁ ଆମ୍ବୁଲାନ୍ସ୍ ଯୋଗେ ତାଙ୍କ ନିଜ ଗାଁ ଆସିକା ବ୍ଲକ୍ ଅଧୀନ ବାଙ୍ଗରଡ଼ା ଗ୍ରାମକୁ ଅଣାଯାଇଥିଲା। ବିଇଓ କୃତ୍ତିବାସ ବାରିକଙ୍କ ଗାଁ ଶ୍ମଶାନରେ ହିଁ ସ୍ବାସ୍ଥ୍ୟବିଭାଗ କର୍ମଚାରୀ ମାନେ ତାଙ୍କ ସ୍ବାବ୍ ନମୁନା ସଂଗ୍ରହ କରିଥିଲେ। ପରେ ଶବ ଦାହ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କୋଭିଡ୍ ଡ୍ୟୁଟି ସାରି ହୋମ୍ କ୍ବାରାଣ୍ଟିନ୍‌ରେ ଥିବା ସାନଖେମୁଣ୍ତି ବ୍ଲକ୍‌ର ଅଙ୍ଗନବାଡ଼ି ସୁପ୍‌ଭାଇଜର୍‌ କେ.ଅଶାନ୍ତ ପାତ୍ର ଗତକାଲି ପ୍ରାଣ ହରାଇଥିଲେ। କଙ୍କୋରଡ଼ା ପଞ୍ଚାୟତରେ ସେ କୋଭିଡ୍‌ ଡ୍ୟୁଟିରେ ଥିଲେ। ଡ୍ୟୁଟି ସାରି ସେ ବ୍ରହ୍ମପୁର ଶ୍ରୀରାମନଗରସ୍ଥିତ ନିଜ ଘରକୁ ଫେରି ହୋମ୍ କ୍ବାରାଣ୍ଟିନ୍‌ରେ ଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଅଟୋରେ କୋଭିଡ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୩ଜଣ କରୋନା ଯୋଦ୍ଧାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe