ଚାଉଳର ମାନକୁ ନେଇ କେନ୍ଦ୍ରୀୟ ରିପୋର୍ଟ ପରେ ଖାଦ୍ୟ ଯୋଗାଣ ବିଭାଗର ପଦକ୍ଷେପ: ୩ ସିଏସ୍‌ଓଙ୍କୁ ହେବ କାରଣଦର୍ଶାଅ ନୋଟିସ୍‌

Advertisment
ବର୍ଷ ବର୍ଷ ଧରି ଭୂତ ଖାଉଛନ୍ତି ପିଡିଏସ୍‌ ଚାଉଳ

jagran.com

ଜଣେ କ୍ବାଲିଟି ଏନାଲିସିଷ୍ଟଙ୍କୁ ନିଲମ୍ବିତ
ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ

କଟକ : କେନ୍ଦ୍ର ସରକାରଙ୍କ କ୍ବାଲିଟି କଣ୍ଟ୍ରୋଲ ଟିମ୍‌ କଟକ, ଭୁବନେଶ୍ବର, ଢେଙ୍କାନାଳ ଗସ୍ତ କରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିଆଯାଉଥିବା ଚାଉଳର ମାନକୁ ନେଇ ଦେଇଥିବା ରିପୋର୍ଟ ପରେ ଏବେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଚେତା ପଶିଚି। ଇତିମଧ୍ୟରେ ପୁଣିଥରେ ରାଜ୍ୟରେ ଚାଉଳର ମାନ ଯାଞ୍ଚ ପାଇଁ ଦୁଇଟି  କ୍ବାଲିଟି କଣ୍ଟ୍ରୋଲ ଟିମ୍‌ ଆସିବା ପାଇଁ ଚିଠି ଆସି ଥିବାବେଳେ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ  ସଚିବ ଯୋଗାଣ ବିଭାଗର ଅତିରିକ୍ତ ସଚିବ ଧୀରେନ୍ଦ୍ର କୁମାର ସାହୁଙ୍କୁ ଚିଠି (ନଂ ୮୨୮୦, ତା ୩/୬/୨୦୨୧) ଲେଖିଛନ୍ତି। କେନ୍ଦ୍ରୀୟ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାରେ ଖୋର୍ଦ୍ଧା ଯୋଗାଣ ବିଭାଗରେ କାର୍ଯ୍ୟରତ କ୍ବାଲିଟି ଏନାଲିସିଷ୍ଟ ଶାରଦା ନାୟକଙ୍କୁ ନିଲମ୍ବିତ କରାଯାଇଛି। ୩ ଯୋଗାଣ ଅଧିକାରୀ (ସିଏସ୍‌ଓ)ଙ୍କୁ ବି କାରଣଦର୍ଶାଅ ନୋଟିସ୍‌ ଜାରି ହେବାର ସମ୍ଭାବନା ରହିଛି।

କେନ୍ଦ୍ର ଖାଉଟି ମନ୍ତ୍ରାଳୟର ଟିମ୍, ରାଜ୍ୟର ଦୁଇଟି କ୍ବାଲିଟି କଣ୍ଟ୍ରୋଲ ଟିମ୍‌ ଦେଇଥିବା ରିପୋର୍ଟକୁ ଭିତ୍ତି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋଗାଣ ନିଗମର ପରିଚାଳନା ନି‌ର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଠିର ନିର୍ଦ୍ଦେଶ ଅନୁଯାୟୀ ଯୋଗାଣ ବିଭାଗର ଫିଫୋ ବା ଫାଷ୍ଟ ଇନ୍‌ ଫାଷ୍ଟ ଆଉଟ୍‌ ବ୍ୟବସ୍ଥାର ଉଲ୍ଲଂଘନ ହୋଇଛି। ତେଣୁ ଯେଉଁମାନେ ଏହି ବ୍ୟବସ୍ଥା ସହିତ ଜଡ଼ିତ ସେମାନଙ୍କ ବିରୋଧରେ ନିୟମ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। କେନ୍ଦ୍ରର ରିପୋର୍ଟ ଅନୁସାରେ ଓ ଏସ୍‌ସିଏମ୍‌ଏସ୍‌  ଅର୍ଥାତ୍‌ ସପ୍ଲାଇ ଚେନ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌କୁ ଯେଉଁମାନେ ଚଞ୍ଚକତା କରିଛନ୍ତି, ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବ।  ଯୋଗାଣ ବିଭାଗର ପ୍ରକ୍ୟୁରମେଣ୍ଟ ଇନ୍ସପେକ୍ଟର ଓ କ୍ବାଲିଟି ଏନାଲିସିଷ୍ଟଙ୍କୁ ତୁରନ୍ତ ନିଲମ୍ବନ କରାଯିବ। ଏସ୍‌ସିଏସ୍‌ସି ଗାଇଡ୍‌ ଲାଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଖୋର୍ଦ୍ଧା, କଟକ, ଢେଙ୍କନାଳ ସିଏସ୍‌ଓଙ୍କୁ  କାରଣ ଦର୍ଶାଆ ନୋଟିସ୍‌ ଜାରି କରାଯିବ। ଖୋର୍ଦ୍ଧା ସିଏସ୍‌ଓଙ୍କୁ କ’ଣ ପାଇଁ  ନିଲମ୍ବନ କରା ନଯିବ, ସେଥିପାଇଁ  କାରଣଦର୍ଶାଅ ନୋଟିସ୍‌ ଜାରି କରାଯିବ। ସେମାନେ କ’ଣ ପାଇଁ  ଏଭଳି ନିମ୍ନମାନର ଚାଉଳ ଗ୍ରହଣ କଲେ ଏବଂ  କ’ଣ ପାଇଁ ଗୋଦାମମାନଙ୍କରେ ଯାଞ୍ଚ କରା ଯାଇନଥିଲା, ସେ ସଂପର୍କରେ ସେମାନେ ଉତ୍ତର ରଖିବେ। ଦୁର୍ବଳ ତଥା ନିମ୍ନନମାନର ଚାଉଳକୁ ପ୍ରୋତ୍ସାହନ ଦେଉଥିବାରୁ କଣ ପାଇଁ ସେମାନଙ୍କୁ ନିଲମ୍ବିତ କରା ନଯିବ ସେ ସଂପର୍କରେ ବି ଉତ୍ତର ରଖିବେ। ରାଜ୍ୟ କ୍ବାଲିଟି କଣ୍ଟ୍ରୋଲ ଟିମ୍‌ ମଧ୍ୟ ବିଭିନ୍ନ ଗୋଦାମର ଷ୍ଟକ୍‌ ଯାଞ୍ଚ କରି ନିମ୍ନମାନର ଚାଉଳକୁ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଯାଏ ସେହି ଚାଉଳକୁ ବଦଳା ଯାଉନଥିବା, ଏଫ୍‌ସିଆଇ ଅଧିକାରୀମାନେ ମଧ୍ୟ କ୍ବାଲିଟି ଯାଞ୍ଚ ପାଇଁ ଯାଉଥିବା ସମୟରେ ସେମାନଙ୍କୁ ସହଯୋଗ କରାଯାଉ ନଥିବା ନେଇ ଅଭିଯୋଗ ରହିଛି।

ଅନ୍ୟପଟେ ଏହି ନିର୍ଦ୍ଦେଶନାମା ଜାରି ହେବାର କେଇଘଣ୍ଟା ନପୂରୁଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।‌ ଖୋର୍ଦ୍ଧା ଯୋଗାଣ ବିଭାଗରେ କାର୍ଯ୍ୟରତ କ୍ବାଲିଟି ଏନାଲିସିଷ୍ଟ ଶାରଦା ନାୟକଙ୍କୁ ନିଲମ୍ବିତ କରାଯାଇଛି। ଲିଖିତ ଅନୁମତି ବିନା ସେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ, ନିୟମିତ ଯାଞ୍ଚ ପାଇଁ ୪ଟି ଟିମ୍‌ ଗଠନ କରାଯିବ। ଯେଉଁମାନେ ପ୍ରତି ଗୋଦାମର ଷ୍ଟକ୍‌କୁ ୩ ମାସ ଭିତରେ  ଯାଞ୍ଚ କରିବେ। ଯେଉଁ ମିଲରମାନେ ନିମ୍ନମାନର ଚାଉଳ ପ୍ରଦାନ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅତିରିକ୍ତ ସଚିବ ଯୋଗାଣ ନିଗମ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏଭଳି ସ୍ଥିତିରେ ଯୋଗାଣ ନିଗମ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି , ତାହା ଉପରେ ନଜର ରହିଛି। କିନ୍ତୁ ଆଜି କେନ୍ଦ୍ରର ୨ଟି ଟିମ୍‌ ଭୁବନେଶ୍ବର ପହଞ୍ଚି ଥିବାବେଳେ ଚାଉଳର ମାନ ଯାଞ୍ଚ ପାଇଁ ସେମାନେ ୮ଟି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe