ମିଆଁମାର୍‌ରେ ସୃଷ୍ଟି ହେଲା ଲଘୁଚାପ, ୨୫ରୁ ୩ ଦିନ ବର୍ଷିବ

Advertisment
ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ମିଆଁମାର୍‌ ୟାଙ୍ଗନ୍‌ ସହରର ଦକ୍ଷିଣ ଉପକୂଳ‌ରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ରାଜ୍ୟରେ ୩ ଦିନ ଧରି ବର୍ଷା କରାଇବ। ଏହା ପ୍ରଭାବରେ ଆସନ୍ତା ୨୫ରୁ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟ‌ର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଭୁବନେଶ୍ବର ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ୨୫ ତାରିଖ ଅପରାହ୍‌ଣରୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଯିବ। ୨୬ ତାରିଖ ଦିନ ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲା‌ରେ ବର୍ଷା ହେବ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଗୁରୁବାର ସକାଳେ ମିଆଁମାରର ୟାଙ୍ଗନ୍‌ ସହରର ଦକ୍ଷିଣ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯାଇଛି। ଶୁକ୍ରବାର ସୁଦ୍ଧା ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ ଓ ମଧ୍ୟାହ୍ନ ସୁଦ୍ଧା ଏହା ମିଆଁମାର ସ୍ଥଳଭାଗ‌ ଦେଇ ଉତ୍ତର ଉପକୂଳରେ ଅବସ୍ଥିତ ହେବ। ଏହାପରେ ପ୍ରାୟତଃ ପଶ୍ଚିମକୁ ଗତି କରି ୨୬ ତାରିଖ ରାତିରେ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ରହିବ। ୨୭ ତାରିଖରେ ଉତ୍ତର ଭାରତରେ ଥିବା ଲଘୁଚାପବଳୟ ସହ ମିଶିଯିବ। ୨୮ ତାରିଖ ସୁଦ୍ଧା ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ଏହା ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ ଓ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍‌। ଏହା ଫଳରେ ୨୫ ତାରିଖ ରାତିରୁ ରାଜ୍ୟର ଦକ୍ଷିଣ ଭାଗରେ ଓ ୨୬ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୨୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ରହିବ। ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା କମ୍‌ ରହିବ ଓ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଜଗତସିଂହପୁର ଜିଲ୍ଲାର ଦକ୍ଷିଣରେ ଥିବା ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ଧରଣର ଓ କେତେକ ସ୍ଥାନରେ ପ୍ରାୟତଃ ଭାରୀ (୫୦ ମିମି ପର୍ଯ୍ୟନ୍ତ) ବର୍ଷାର ସମ୍ଭାବନା ରହିଛି। ଆଭନ୍ତରୀଣ ଦକ୍ଷିଣରେ ମଧ୍ୟମ ଧରଣର ବର୍ଷା ହେବ। ରାଜ୍ୟରେ ବିସ୍ତୃତ ଭାରିବର୍ଷାର ସମ୍ଭାବନା କମ୍‌। ଅନ୍ୟ ଏକ ଦୃଶ୍ୟପଟ କହୁଛି, ଲଘୁଚାପଟି ଯଦି ଆନ୍ଧ୍ର ଉପକୂଳରେ ୨୭ ଓ ୨୮ ଦୁଇ ଦିନ ରହିବ ତେବେ ଓଡ଼ିଶାରେ ବର୍ଷା କମ୍‌ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe