ଝାରସୁଗୁଡ଼ା: ଝାରସୁଗୁଡ଼ା-ବିଜୁ ଏକ୍ସପ୍ରେସ ୱେ ରାସ୍ତାର ନିଖିଲ ଡାବା ନିକଟରେ ଏକ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତାହତଙ୍କ ସଂଖ୍ୟା ଅଧିକ ହେବ ବୋଲି ଜଣାପଡ଼ିଛି। ଭୂଷଣ କାରଖାନାରୁ ଝାରସୁଗଡ଼ାକୁ କର୍ମଚାରୀ ମାନଙ୍କୁ ନେଇ ଫେରୁଥିବା ଏକ ବସ( ଓଡି୨୩ଏମ୍ ୮୧୩୧) ଓ ଏକ କୋଇଲା ବୋଝେଇ ହାଇୱା( ଓଆର୍ ୧୬ ଜି୦୯୫୦) ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।
ହାଇୱାଟି ଭୁଲ ରାସ୍ତାରେ ଯାଇ ବସ୍କୁ ଘସି ଦେବାରୁ ବସ୍ରଛାତ ଓ କଭର ଚିରି ହୋଇ ଯାଇଛି। ଏଥିରେ ଥିବା ପ୍ରାୟ ସମସ୍ତ କର୍ମଚାରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।
ଆଇଆଇସି ଶ୍ରୀ ପଣ୍ଡାଙ୍କ ସୂଚନା ଅନୁଯାୟୀ ବସରେ ଥିବା ୧୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସଦର ଥାନା ଆଇଆଇସି ଶୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି ଯେ, ସମଲେଶ୍ବରୀ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୋଟ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୫ରେ ପହଞ୍ଚି ଥିବା ବେଳେ ଗୁରୁତର ଆହତଙ୍କ ମଧ୍ୟରୁ ୮ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। କିଛି ଆହତ ସମଲେଶ୍ବରୀ ମେଡିକାଲରେ ମଧ୍ୟ ଚିକିତ୍ସିତ ହେଉଥିବା ଜଣାଯାଇଛି। ଜିଲ୍ଲାପାଳ ସାରୋଜ କୁମାର ସାମଲ ମୁଖ୍ୟ ଡାକ୍ତରଖାନା ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି। ମୃତକ ମାନେ ହେଲେ ରାଜେନ୍ଦ୍ର ତିୱାରୀ, ସେର ବାହାଦୂର,ବ୍ରିଜପାଲ ସିଂହ, ପଙ୍କଜ ଝା ଓ ବିକାଶ କୁମାର ବୋଲି ପ୍ରାଥମିକ ରିପୋର୍ଟରୁ ସଦର ଆଇଆଇସି ଶ୍ରୀମତୀ ମହାନ୍ତି ଜଣାଇଛନ୍ତି।
Follow Us