ମାନିଲା ସ୍ୱାସ୍ଥ୍ୟ ବିଭାଗ : ଡେଙ୍ଗୁରେ ୩ଜଣଙ୍କ ମୃତ୍ୟୁ ହୋଇଛି

Advertisment

୬୬୦ ଆକ୍ରାନ୍ତ, ଖୋର୍ଧାରେ ସର୍ବାଧିକ ୨୮୧

୬୬୦ ଆକ୍ରାନ୍ତ, ଖୋର୍ଧାରେ ସର୍ବାଧିକ ୨୮୧

ମଶା କବଳରେ ସମ୍ବଲପୁର ମହାନଗର

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟରେ ୩ଜଣ ବ୍ୟକ୍ତି ଡେଙ୍ଗୁରେ ପ୍ରାଣ ହରାଇଥିବା ଘଟଣାକୁ ଶେଷରେ ସ୍ୱାସ୍ଥ୍ୟ ବିଭାଗ ମାନି ନେଇଛି। ରାଜଧାନୀରେ ଜଣେ ଓ ଏସ୍‌ସିବିରେ ୨ଜଣ ବ୍ୟକ୍ତି ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ବୋଲି ବିଭାଗ ପକ୍ଷରୁ ସ୍ୱୀକାର କରାଯାଇଛି। ପୂର୍ବରୁ ଏହି ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ଅସ୍ୱୀକାର କରି ଆସୁଥିଲା।

ଚଳିତବର୍ଷ ରାଜ୍ୟର ୨୨ଟି ଜିଲ୍ଲା ଡେଙ୍ଗୁ କବଳରେ ରହିଛି। ଜାନୁଆରି ପହିଲାରୁ ଏ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୬୬୦ ଛୁଇଁଛି। ରାଜଧାନୀରେ ଡେଙ୍ଗୁ ମଧ୍ୟ ନିୟନ୍ତ୍ରଣରେ ନାହିଁ। ଚନ୍ଦ୍ରଶେଖରପୁର, ସାଲିଆସାହି, ନୂଆପଲ୍ଲୀ ଓ ଅନ୍ୟାନ୍ୟ ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଜୁନ୍‌ରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ଡେଙ୍ଗୁରେ ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ଆରମ୍ଭରୁ ଏହାକୁ ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁଜନିତ ମୃତ୍ୟୁ ନୁହେଁ ବୋଲି କହିବା ଆରମ୍ଭ କରିଥିଲା। ମାତ୍ର ପରବର୍ତୀ ସମୟରେ ଏହା ଡେଙ୍ଗୁ ଜନିତ ମୃତ୍ୟୁ ବୋଲି ବିଭାଗ ମାନିଥିଲା।

ଏହାସହ ଜୁନ୍‌ ୨୬ ତାରିଖରେ କେନ୍ଦୁଝର ଅଞ୍ଚଳର ଜଣେ ବ୍ୟକ୍ତି ଡେଙ୍ଗୁ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଥିଲେ। ପରବର୍ତୀ ସମୟରେ ଚଳିତମାସ ୯ ତାରିଖରେ ପୁରୀ ଅଞ୍ଚଳର ଆଉ ଜଣେ ବ୍ୟକ୍ତି ମଧ୍ୟ ଏସ୍‌ସିବିରେ ଡେଙ୍ଗୁରେ ପ୍ରାଣ ହରାଇଥିବା ଏସ୍‌ସିବି କର୍ତୃପକ୍ଷ ସୂଚନା ଦେଇଥିଲେ। ମାତ୍ର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଚଳିତବର୍ଷ ରାଜଧାନୀରେ ପ୍ରାଣ ହରାଇଥିବା ମହିଳାଙ୍କୁ ଏକମାତ୍ର ଡେଙ୍ଗୁଜନିତ ମୃତ୍ୟୁ ବୋଲି ଜିଦ୍‌ରେ ଅଟଳ ରହିଥିଲେ। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଆଜି ବାକି ୨ଟି ମୃତ୍ୟୁ ମଧ୍ୟ ଡେଙ୍ଗୁଜନିତ ବୋଲି ମାନି ନେଇଛି।

ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ୨୫ତାରିଖରେ ବିଭାଗକୁ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ସମୀକ୍ଷା ରିପୋର୍ଟ ମିଳିଛି। ଏସ୍‌ସିବିରେ ଡେଙ୍ଗୁରେ ପ୍ରାଣ ହରାଇଥିବା ଦୁଇ ଜଣ ବ୍ୟକ୍ତି ରାଜ୍ୟ ବାହାରେ କାମ କରୁଥିଲେ। କେନ୍ଦୁଝର ଅଞ୍ଚଳର ପ୍ରାଣ ହରାଇଥିବା ବ୍ୟକ୍ତି ଆନ୍ଧ୍ରର ଏକ ପ୍ଲାଇଉଡ୍‌ ଶିଳ୍ପରେ କାମ କରୁଥିଲେ। ସେଠାରେ ତାଙ୍କୁ ଜ୍ୱର ହେବା ପରେ ସେ ଏକ ଘରୋଇ ହସ୍ପିଟାଲରେ ନିଜର ଚିକିତ୍ସା କରାଇଥିଲେ। ପରବର୍ତୀ ସମୟରେ ଘରକୁ ଆସିବା ପରେ ଏସ୍‌ସିବିରେ ଭର୍ତି ହୋଇଥିଲେ। ସେହିପରି ପୁରୀ ଅଞ୍ଚଳର ପ୍ରାଣ ହରାଇଥିବା ବ୍ୟକ୍ତିଜଣକ ଚେନ୍ନାଇରେ କାମ କରୁଥିଲେ।

ରାଜ୍ୟରେ ଯଦି କୌଣସି ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ ହୁଏ, ସେସବୁ ବ୍ୟକ୍ତିମାନଙ୍କର ମୃତ୍ୟୁର ଏକ ଡାକ୍ତରୀଦଳ ସମୀକ୍ଷା କରିଥାଏ। ଏସ୍‌ସିବିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ଟିକେଟ୍‌ ଯାଞ୍ଚଠାରୁ ଆରମ୍ଭ କରି ଆକ୍ରାନ୍ତଙ୍କ ରୋଗ ସଂପର୍କରେ ଟିକିନିଖି ଯାଞ୍ଚ ହୋଇଥାଏ। ପରୀକ୍ଷାଗାରରେ ରକ୍ତ ପରୀକ୍ଷା ହୋଇଛି କି ନାହିଁ, ଏପରିକି ଆକ୍ରାନ୍ତଙ୍କ ଘରକୁ ବିଭାଗର ଅଧିକାରୀ କ୍ଷେତ୍ର ନିରୀକ୍ଷଣ କରିଥାନ୍ତି। ପରେ ତାହା ଡେଙ୍ଗୁ ଜନିତ ମୃତ୍ୟୁ କି ନାହିଁ ସ୍ପଷ୍ଟ ହୋଇଥାଏ। ରାଜଧାନୀରେ ପ୍ରାଣ ହରାଇଥିବା ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମୀକ୍ଷା ହୋଇଥିଲା। ମହିଳା ଜଣକ ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିବାରୁ ସ୍ୱାସ୍ଥ୍ୟସେବା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏହାର ସମୀକ୍ଷା ହୋଇଥିଲା। ଏଥିରେ ଆରଏମ୍‌ଆରସିର ଅଧିକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତର ଉପସ୍ଥିତ ରହିଥିଲେ। ପରେ ଏହା ଡେଙ୍ଗୁ ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଥିଲା।

ଅପରପକ୍ଷରେ ଚଳିତବର୍ଷ ଖୋର୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାନୁଆରି ପହିଲାରୁ ଏ ପର୍ଯ୍ୟନ୍ତ ଖୋର୍ଧା ଜିଲ୍ଲାରେ ୨୮୧, କଟକରେ ୯୬, ରାୟଗଡ଼ାରେ ୫୯, ପୁରୀ ୩୧ ଓ ଯାଜପୁର ଜିଲ୍ଲାରେ ୨୭ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ଆଜି ଏସ୍‌ସିବିରେ ପରୀକ୍ଷା ହୋଇଥିବା ୬୫ଟି ରକ୍ତ ନମୁନାରୁ ୧୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ କଟକର ରହିଛନ୍ତି ୧୨ଜଣ। ଢେଙ୍କାନାଳ ଓ ସୋନପୁରର ୨ଜଣ, ଅନୁଗୁଳ, ଜଗସିଂହପୁର, ଭଦ୍ରକରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ୩୯ଜଣ ଡେଙ୍ଗୁ ରୋଗୀ ଏସ୍‌ସିବିରେ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୫ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe