ପ୍ରଖର ସ୍ରୋତରେ ୩ ଭାସି ଗଲେ: ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ଗାଧେଇବାକୁ ଯାଇ ଭାସିଗଲେ ଦୁଇ ସାଙ୍ଗ; ଜଣେ ନିଖୋଜ, ଅନ୍ୟ ଜଣେ ଉଦ୍ଧାର

ବାଲିଗୁଡ଼ା/ଜଗନ୍ନାଥପ୍ରସାଦ: ଗତ ଦୁଇଦିନର ଲଗାଣ ବର୍ଷା ପରେ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଶନିବାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପୃଥକ୍ ଘଟଣାକ୍ରମରେ ପାଣିର ପ୍ରଖର ସ୍ରୋତରେ ଭାସି ଜଣେ ପ୍ରାଣ ହରାଇଥିବା ବେଳେ ଜଣେ ଏଯାବତ୍ ନିଖୋଜ ଅଛନ୍ତି। ସେହିପରି ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଯୋଡ଼ାବାଲି ପଞ୍ଚାୟତ ସାଲିର୍ଗାଡ଼ି ଗ୍ରାମରେ ସାଲିର୍ ନଦୀକୁ ଦୁଇଜଣ ସାଙ୍ଗ ଆଲୋନି ଗାଉଁଟିଆ (୧୪) ଓ ଚାନ୍ଦିନୀ ମଳିକ (୧୪) ଗାଧୋଇବାକୁ ଯାଇ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ପରିବାରବର୍ଗ ଖୋଜାଖୋଜ କରିବା ପରେ କୋଟଗଡ଼ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ। କର୍ମଚାରୀମାନେ ଆଲୋନିକୁ ନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। କିନ୍ତୁ ଚାନ୍ଦିନୀର ପତ୍ତା ମିଳୁନି। ଫଳରେ ପରିବାରବର୍ଗ ଚିନ୍ତାରେ ପଡ଼ିଛନ୍ତି। କୋଟଗଡ ଅଗ୍ନିଶମ କର୍ମଚାରୀ ବିଡିଓ ଅର୍ଜୁନ ପ୍ରଧାନ ଓ ତହସିଲଦାର ଦିବାକର ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି କୋଟଗଡ଼ ଥାନାଧିକାରୀ ପ୍ରଦୀପ କୁମାର ରାଉଳ ସୂଚନା ଦେଇଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଡୁଙ୍ଗାପଲ୍ଲୀ ଗ୍ରାମରେ ଭୂଷଣ୍ଡ ନାଳରେ ଭାସିଯାଇ ଦିବାକର ବେହେରା(୪୬)ଙ୍କ ମୃତ୍ୟୁ ଘଟିଛି। ଦିବାକର ଶନିବାର ଭୋର୍‌ରେ ଭୂଷଣ୍ଡ ନାଳକୁ ଶୌଚ ପାଇଁ ଯାଇଥିଲେ। କିନ୍ତୁ ପାଣିର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ଭାସିଯାଇଥିଲେ।। ସକାଳ ୧୦ଟା ‌ବେଳେ ନାଳତୁଠକୁ ଲାଗି ରହିଥିବା ଲଟାବୁଦା ଭିତରୁ ତାଙ୍କ ଶବ ଠାବ ହୋଇଥିଲା। ଅଗ୍ନିଶମବାହିନୀ ପହଞ୍ଚି ଶବକୁ ଜବତ କରି ପୁଲିସକୁ ହସ୍ତାନ୍ତର କରଥିଲା। ଏନେଇ ଜଗନ୍ନାଥପ୍ରସାଦ ଥାନାରେ କେସ୍ ନମ୍ବର ୧୨ ଅନୁସ‌ାରେ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଥାନାଧିକାରୀ ଅରୁଣ କୁମାର ସିଂ ପ୍ରକାଶ କରିଛନ୍ତି। ତେବେ ଦୁଇଦିନ ଧରି ଲଗାଣ ବର୍ଷା କାରଣରୁ ନାଳରେ ଜଳସ୍ତର ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe