ଦେବୀନଦୀରେ ବୁଡ଼ିଗଲେ ୩ ସାଙ୍ଗ

Advertisment
ଦେବୀନଦୀରେ ବୁଡ଼ିଗଲେ ୩ ସାଙ୍ଗ

phenomenal.com.ng

ବାଲିକୁଦା : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁ ନିକଟ ଦେବୀ ନଦୀରେ ସୋମବାର ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି। ଦିନ ପ୍ରାୟ ୧୦ଟା ବେଳେ ୪ ଜଣ ନାବାଳକ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଛନ୍ତି। ସଂଧ୍ୟା ସୁଦ୍ଧା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଆମ୍ବଶାଳ ଚନ୍ଦ୍ରପଡ଼ା ଗ୍ରାମର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟଜିତ ବାରିକ (ବବ୍‌ଲୁ, ୧୬ ବର୍ଷ) ଓ ଚନ୍ଦ୍ରପଡ଼ା ଗ୍ରାମର ମାନସ ବାରିକଙ୍କ ପୁଅ ସ୍ୱାଭିମାନ ବାରିକ (କାହ୍ନା,୧୬ ବର୍ଷ)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର କୁନା ପାତ୍ରଙ୍କ ନବମ ଶ୍ରେଣୀ ପଢ଼ୁଥିବା ପୁଅ ଶୁଭମ୍‌ ପାତ୍ର(୧୬)ଙ୍କର ଏଯାଏ ପତ୍ତା ମିଳିନାହିଁ।

ଏହି ୪ ଜଣ ସାଙ୍ଗ ଆମ୍ବଶାଳ ଗ୍ରାମରୁ ୨ଟି ସାଇକଲରେ ପ୍ରାୟ ୪ କିମି ଦୂର ଦେବୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀ କୂଳରେ ସାଇକଲ ରଖି ଗାଧୋଇକୁ ଯିବା ବେଳେ ସେଠାରେ ଥିବା କେତେକ ସ୍ଥାନୀୟ ଯୁବକ ସେମାନଙ୍କୁ ବାରଣ କରିଥିଲେ। କିନ୍ତୁ ସେମାନେ କଥାକୁ ଗୁରୁତ୍ବ ନଦେଇ ନଦୀ ଭିତରକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ଦୀପକ କୁମାର ମାର୍ଥାଙ୍କ ୧୪ ବର୍ଷୀୟ ପୁତ୍ର ତପନ ମୋବାଇଲରେ ଗାଧୋଇବା ସମୟର ଦୃଶ୍ୟକୁ ଭିଡିଓ କରୁଥବା ବେଳେ ଅନ୍ୟ ୩ ଜଣ ପାଣି ଭିତରେ ପଶି ଥିଲେ। ତେବେ ଜଣକ ପରେ ଜଣେ ପାଣିରେ ବୁଡ଼ି ଯାଉଥିବା ଦେଖି ଭିଡିଓ କରୁଥିବା ତପନ ତୁରନ୍ତ ନଈବନ୍ଧରେ ବସିଥିବା ସେହି ଯୁବକଙ୍କୁ ଡାକ ପକାଇ ସାହାଯ୍ୟ ମାଗିଥିଲା। ବୁଡି ଯାଉଛନ୍ତି ଉଦ୍ଧାର କର ବୋଲି ଚିତ୍କାର ଶୁଣି ସେହି ଯୁବକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ପାଣି ଭିତରେ କାହାକୁ ଦେଖିବାକୁ ପାଇ ନଥିଲେ।

ବାଲିକୁଦା ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ ଖୋଜା ଖୋଜି କରିବା ପରେ ଦିନ ପ୍ରାୟ ଗୋଟାଏ ବେଳକୁ ସତ୍ୟଜିତଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବାଲିକୁଦା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରାହ୍ନ ପ୍ରାୟ ୫ଟାରେ ଏନ୍‌ଡିଆର୍‌ଏଫ୍‌ ଟିମ ପହଞ୍ଚି ଖୋଜାଖୋଜି କଲା ବେଳେ ଘଟଣାସ୍ଥଳର କିଛି ଦୂରରେ ସ୍ବାଭିମାନ (କାହ୍ନା)ଙ୍କ ମୃତଦେହ ମିଳି ଥିଲା। ଶୁଭମ୍‌ର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ବାଲିକୁଦା ଥାନା ଅଧିକାରୀ ସଲିଳ ପ୍ରଧାନ, ତହସିଲଦାର ଅଂଶୁମାନ ଶତପଥୀ, ବିଡ଼ିଓ ଜିତେନ୍ଦ୍ର ନାୟକ ଓ ଅଗ୍ନିଶମ ବିଭାଗ ଅଧିକାରୀ ରାଜ କିଶୋର ଜେନା ପ୍ରମୁଖ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭିଡିଓ ସୁଟିଂ କରୁଥିବା ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ଦୀପକ କୁମାର ମାର୍ଥାଙ୍କ ୧୪ ବର୍ଷୀୟ ପୁତ୍ର ତପନ ବାଲିକୁଦା ପୁଲିସ ହେପାଜତରେ ରହିଛି। ବାଲିକୁଦା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ସତ୍ୟଜିତ ଓ ସ୍ବାଭିମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଯାଇଛି।
ବୁଡ଼ି ଯାଇଥିବା ପିଲାଙ୍କ ଭିତରୁ ସ୍ବାଭିମାନ( କାହ୍ନା) ଭୁବନେଶ୍ବରରେ ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ର। ତାଙ୍କ ବାପା ଏକ ପାର୍ଲର କରିଛନ୍ତି। ସେ ଗାଁକୁ ବୁଲିବାକୁ ଆସିବା ବେଳେ ତା ସହିତ ନବମ ପରୀକ୍ଷା ଦେଇଥିବା ପଡ଼ୋଶୀ ସାଙ୍ଗ ଶୁଭମ୍‌ ପାତ୍ର ଓ ଭିଡିଓ କରୁଥିବା ତପନ ମାର୍ଥା ଆମ୍ବଶାଳକୁ ଆସିଥିଲେ। ଆଜି ସେହି ଗାଁର ମାଟ୍ରିକ୍‌ ପରୀକ୍ଷା ଦେଇଥିବା ସତ୍ୟଜିତ(ବବ୍‌ଲୁ) ସାଥୀରେ ନଦୀକୁ ଗାଧୋଇଯିବାକୁ ଯୋଜନା କରିଥିଲେ। ଘରେ ବଜାରକୁ ଯାଉଥିବା କହି ଦୁଇଟି ସାଇକଲରେ ୪ ସାଙ୍ଗ ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe