ପୋଖରୀରେ ବୁଡ଼ି ୩ ମୃତ

Advertisment
ଖଲିକୋଟ : ଗାଁ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

image credit : india tv news

କଙ୍କଡ଼ାହାଡ଼/କାମାକ୍ଷାନଗର : କଙ୍କଡ଼ାହାଡ଼ ଓ କାମାକ୍ଷାନଗର ଅଞ୍ଚଳରେ ଶନିବାର ଦିନ ଭିନ୍ନ ଭିନ୍ନ ପୋଖରୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କଙ୍କଡ଼ାହାଡ଼ ବ୍ଲକ୍ ଦଶୀପୁର ଗ୍ରାମ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କମ୍ପୁଲେଇ ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ସେହିପରି କାମାକ୍ଷାନଗର ଥାନା ପଦ୍ମପୋଖରୀ ଗ୍ରାମରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦଶୀପୁର ଗ୍ରାମର ଲିଙ୍ଗରାଜ ଦେହୁରୀ (୫୨) ଶନିବାର ପୂର୍ବାହ୍ନ ରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ସେ ପାଣିରେ ବୁଡ଼ି ଯାଇଥିଲେ। ଘର ଲୋକ ଖୋଜାଖୋଜି କରିବା ପରେ ତାଙ୍କୁ ଦିନ ପ୍ରାୟ ସାଢ଼େ ୧୨ଟାରେ ପୋଖରୀରୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କ ମୃତ୍ୟୁରେ କଙ୍କଡ଼ାହାଡ଼ ବ୍ଲକ୍‌ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ ଶୋକବ୍ୟକ୍ତ କରିଛନ୍ତି।

କଙ୍କଡାହାଡ଼ ଥାନା ଅନ୍ତର୍ଗତ ମରୁଆବିଲ ପଞ୍ଚାୟତର କମ୍ପୁଲେଈ ଗ୍ରାମର ବିଜୟାନନ୍ଦ ମହାନ୍ତ (୪୦) ଶନିବାର ସନ୍ଧ୍ୟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ପାଣିରୁ ଉଦ୍ଧାର କରି ପରିବାର ଲୋକ ସଙ୍ଗେ ସଙ୍ଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ କଙ୍କଡାହାଡ଼ ଥାନା ଅଧିକାରୀ ନିର୍ମଳା ଗୋଛାୟତ କହିଛନ୍ତି ଉଭୟ ଘଟଣାର ତଦନ୍ତ ଜାରି ରହିଛି।

ସେହିପରି କାମାକ୍ଷାନଗର ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମରେ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ମହିଳା ହେଉଛନ୍ତି ରାଧା ଦେହୁରୀ (୫୫)। ଶନିବାର ଭୋର୍‌ ସମୟରେ ରାଧା ଘର ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଅସାବଧାନତା କାରଣରୁ ସେ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ସେହି ପୋଖରୀ ହୁଡ଼ାରେ ତାଙ୍କ ସ୍କାର୍ପ ଥିବା ଦେଖି ପୋଖରୀରେ ବୁଡିଯାଇଥିବା ସନ୍ଦେହ କରି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀ ପହଞ୍ଚି ରାଧାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe