ଟ୍ରେନ ଧକ୍କାରେ ୩ ହାତୀ ମୃତ୍ୟୁ ଘଟଣା: ରେଳବାଇକୁ କାରଣ ଦର୍ଶାଅ ନୋଟିସ୍‌

୨୩ରେ ମିଳିତ ବୈଠକ

ଟ୍ରେନ ଧକ୍କାରେ ୩ ହାତୀ ମୃତ୍ୟୁ ଘଟଣା: ରେଳବାଇକୁ କାରଣ ଦର୍ଶାଅ ନୋଟିସ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ବାଂଶପାଣି ସ୍ଥିତ ବେହେରା ହଟିଂ ପାଖରେ ଟ୍ରେନ ଧକ୍କାରେ ୩ଟି ହାତୀ ମୃତ୍ୟୁ ପାଇଁ ବନ ବିଭାଗ ରେଳ ବିଭାଗକୁ ଦାୟୀ କରିଛି। ରେଳବାଇକୁ ସମସ୍ତ ସୂଚନା ଦିଆଯିବା ସତ୍ତ୍ବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟଣା ଘଟିଲା ତାହାର କାରଣ ଜଣାଇବାକୁ ରେଳବାଇକୁ ନୋଟିସ୍‌ ଜାରି କରାଯାଇଛି।

ରେଳବିଭାଗକୁ ହୋଇଥିବା ନୋଟିସ୍‌ରେ ଦର୍ଶାଯାଇଛି ଯେ, ହାତୀପଲର ଚଳାଚଳ ନେଇ ବହୁ ପୂର୍ବରୁ ବିଭାଗକୁ ଜଣାଇ ଦିଆଯାଇଥିଲା। ଏମିତିକି ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରେଳ ଚଳାଚଳର ଗତି କମ୍‌ ରଖିବା ସହିତ ଲମ୍ବା ହର୍ଣ୍ଣ ଦେବାକୁ ମଧ୍ୟ କୁହାଯାଇଥିଲା। ମାତ୍ର ବନ ବିଭାଗର ଏହି ସତର୍କତାକୁ ରେଳବାଇ ଅନୁସରଣ କରି ନ ଥିଲା। ଯେଉଁଥି ପାଇଁ ତିନି ତିନିଟି ହାତୀର ମୃତ୍ୟୁ ହେଲା। କଣ ପାଇଁ ଏବଂ କେଉଁ ପରିସ୍ଥିତିରେ ବନ ବିଭାଗର ସତର୍କତାକୁ ରେଳବାଇ ଅନୁସରଣ କରିଲା ନାହିଁ, ତାହାର କାରଣ ଜଣାଇବାକୁ ବନ ବିଭାଗ ପକ୍ଷରୁ ଚକ୍ରଧରପୁରସ୍ଥିତ ସିନିୟର ଡିଭିଜିନାଲ ଅପରେସନ ମ୍ୟାନେଜରଙ୍କୁ ନୋଟିସ୍‌ କରାଯାଇଛି। ଏହି କାରଣ ଦର୍ଶାଅ ନୋଟିସ ସହିତ ଆସନ୍ତା ୨୩ ତାରିଖରେ ରେଳବାଇ ଏବଂ ବନ ବିଭାଗର ଏକ ମିଳିତ ବୈଠକ ବସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବୈଠକରେ ବିଶେଷ କରି ହାତୀ ଚଲାପଥରେ କିଭଳି ରେଳ ଚଳାଚଳ କରିବ ଏବଂ ଆଗାମୀ ଦିନରେ ହାତୀମୃତ୍ୟୁ କିପରି ରୋକି ହେବ, ସେଥିନେଇ ବିସ୍ତୃତ ଆଲୋଚନା କରାଯିବ ବୋଲି ଡିଏଫଓ ଏଚଡି ଧନରାଜ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯୋଡା ବ୍ଲକର ବାଂଶପାଣି ସ୍ଥିତ ବେହେରା ହଟିଂ ପାଖରେ ଗତ ଦୁଇ ଦିନ ତଳେ ଏକ ୨୨ଟିକିଆ ହାତୀ ପଲ ରେଳଧରଣା ଅତିକ୍ରମ କରୁଥିବା ବେଳେ ଦୁଇଟି ଛୁଆ ହାତୀ ଏବଂ ଗୋଟିଏ ମାଈ ହାତୀଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆହତ ହାତୀଙ୍କର ଗୋଟିଏ ପରେ ଗୋଟିଏ ମୃତ୍ୟୁ ଘଟିଥିଲା। ହାତୀ ମୃତ୍ୟୁବରଣ ଖବର ପାଇବା ପରେ ଗତକାଲି ମଧ୍ୟାହ୍ନରେ ପିସିସିଏଫ(ବନ୍ୟପ୍ରାଣୀ) ଶଶି ପଲ, ଆରସିସିଏଫ ଅରୁଣ କୁମାର ମିଶ୍ର , ଡିଏଫ୍‌ଓ ଏଚଡି ଧନରାଜ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ବନ ବିଭାଗର  ପ୍ରାରମ୍ଭିକ ଅନୁସନ୍ଧାନରୁ ରେଳବାଇର ଅବହେଳା ଜଣାପଡ଼ିଥିଲା। ସେଥିପାଇଁ ଆଜି ରେଳବାଇକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟପଟେ ନିଜ ଦୋଷ ଢାଙ୍କିବାକୁ ବନ ବିଭାଗ ରେଳବାଇ ଉପରେ ଦୋଷ ଲଦିଦେବାକୁ ‌ଉଦ୍ୟମ କରୁଥିବା ବୁଦ୍ଧିଜୀବୀ ମହଲ ଓ ପଶୁ ବିଶାରଦମାନଙ୍କ ମଧ୍ୟରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe