ବାଂଶପାଣି ନିକଟରେ ମାଲବୋଝେଇ ଟ୍ରେନ୍‌ ଧକ୍କାରେ ୩ ହାତୀ ଗୁରୁତର

ବାଂଶପାଣି ନିକଟରେ ମାଲବୋଝେଇ ଟ୍ରେନ୍‌ ଧକ୍କାରେ ୩ ହାତୀ ଗୁରୁତର

ଯୋଡ଼ା : ମାଲବୋଝେଇ ଟ୍ରେନ୍‌ ଧକ୍କାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅଧୀନସ୍ଥ ବାଂଶପାଣି ନିକଟରେ ୩ଟି ହାତୀ ଗୁରୁତର ଆହତ ହୋଇଛନ୍ତି। ସେ ମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ବନ ବିଭାଗ ଏ ନେଇ ସ୍ପଷ୍ଟ କରିନହିଁ।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ୨୨ଟିକିଆ ହାତୀପଲ ବାଂଶପାଣିଠାରେ ‌ରେଳଲାଇନ୍ ପାର ହେଉଥିବା ବେଳେ ଏହି ସମୟରେ ଏକ ମାଲବାହୀ ଟ୍ରେନ୍‌ ଧକ୍କା ଦେଇଥିଲା। ଟ୍ରେନ୍‌ ଧକ୍କାରେ ଦୁଇଟି ଛୁଆ ହାତୀ ଏବଂ ଗୋଟିଏ ମାଈ ହାତୀ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ମରିଯାଇଥିବା ‌ସନ୍ଦେହ କରାଯାଉଛି। ବାକି ୧୯ଟି ହାତୀ ସେଠାରେ ଘେରି ରହିଥିବା ବେଳେ ପ୍ରବଳ ଗର୍ଜନତର୍ଜନ କରୁଛନ୍ତି। ଖବର ପାଇ ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡା ସଦଳବଳେ ସେଠାରେ ପହଞ୍ଚିଥିଲେ ହେଁ ଆହତ ହାତୀଙ୍କ ପାଖକୁ ଯାଇ ପାରି ନାହାନ୍ତି। କୌଣସି ପରିସ୍ଥିତିରେ ବି ହାତୀମାନେ ସେ ସ୍ଥାନ ଛାଡ଼ି ଯାଉ ନଥିବାରୁ ବନ ବିଭାଗ ଚିନ୍ତାରେ ପଡ଼ିଯାଇଛି। ଆହତ ହାତୀଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ବି ହୋଇ ପାରୁ ନାହିଁ। ହାତୀମାନେ ସେ ସ୍ଥାନ ଛାଡ଼ି ଯିବା ପରେ ଯାଇ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ବନପାଳ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

publive-image

ଘଟଣା ସଂପର୍କରେ କେନ୍ଦୁଝର ଡିଏଫଓ ଏଚ୍‌ଡି ଧନରାଜଙ୍କୁ ଯୋଗାଯୋଗ କରାଯିବାରୁ ସଂପୃକ୍ତ ଅଞ୍ଚଳରେ ହାତୀପଲ ରହିଥିବା ବନ ବିଭାଗ ପାଖରେ ସୂଚନା ରହିଥିଲା। ବନ କର୍ମଚାରୀମାନେ ହାତୀ ପଲର ଗତିବିଧି ଉପରେ ଦିନସାରା କଡ଼ା ନଜର ରଖିଥିଲେ। ଏ ନେଇ ରେଳ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ତେଣୁ ଟ୍ରେନ୍‌ର ଗତି ଘଣ୍ଟା ପ୍ରତି ମାତ୍ର ୨୫ କିଲୋମିଟର ରହିଥିଲା। ହାତୀ ପଲ ଅନ୍ଧାରରେ ରେଳ ଧାରଣା ଉପରୁ ଚାଲିଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି କହିଛନ୍ତି। ତିନୋଟି ହାତୀ ଗୁରୁତର ଆହତ ହୋଇଛନ୍ତି। ଗୋଟିଏର ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ବନ କର୍ମଚାରୀ ଏବଂ ପ୍ରାଣୀଧନ ଚିକିତ୍ସକ ପହଞ୍ଚି ଅନୁଧ୍ୟାନ କରିବା ପରେ ଯାହା କିଛି ସ୍ପଷ୍ଟ ହେବ ବୋଲି ଡିଏଫ୍‌ଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe