‘ଆମେ ଗାଧୋଇକି ଆସୁଛୁ, ଖାଇବା’! ପୋଖରୀରେ ବୁଡ଼ିଗଲେ ୩ ସାଙ୍ଗ

Advertisment
ନଦୀରେ ବୁଡ଼ି ୩ ମୃତ

Dna India

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ସାତଭାୟା ଥଇଥାନସ୍ଥଳୀରେ ହୃଦୟ ବିଦାରକ ଘଟଣା ଘଟିଛି। ଭୋଜି ଖାଇବା ପୂର୍ବରୁ ଗାଧୋଇବାକୁ ଯାଇଥିବା ବେଳେ ୩ଜଣ ସାଙ୍ଗଙ୍କ ଜୀବନ ଯାଇଛି। ଏହି ଘଟଣା କେବଳ ସାତଭାୟା ନୁହେଁ, ପୂରା ରାଜନଗରକୁ ସ୍ତବ୍ଧ କରିଦେଇଛି।

ସୂଚନା ଅନୁସାରେ, ବଡ଼ଦିନ ଛୁଟି ପାଇଁ ଏବେ ବିଦ୍ୟାଳୟ ବନ୍ଦ ରହିଛି। ବିଦ୍ୟାଳୟ ଛୁଟି ଥିବାରୁ ସାତଭାୟାର ୧୭/୧୮ଜଣ ପିଲା ସେମାନେ ପଢୁଥିବା ଟ୍ୟୁସନ୍‌ ସାର୍‌ଙ୍କ ନିକଟରେ ଶୁକ୍ରବାର ଦିନ ଭୋଜି କରିଥିଲେ। ଦେଶୀ କୁକୁଡା, ଭାତ, ପାମ୍ପଡ଼ ପ୍ରସ୍ତୁତ ହୋଇ ସାରିଥିଲା। ଭଜା ହେବାପାଇଁ କଉମାଛ ବି କଟା ସରିଥିଲା। ସାଲାଡ ପାଇଁ କାକୁଡି, ପିଆଜ, ଲେମ୍ବୁ ମଧ୍ୟ ଆସିଥିଲା। ମାଂସ ରୋଷେଇ ପରେ ଯେଉଁ ୩ଜଣ ସାଙ୍ଗ ବୁଡି ମରିଗଲେ, ସେମାନେ କଦଳୀପତ୍ର କାଟି ଆଣି ଥୋଇଥିଲେ। ‘ଆମେ ଗାଧୋଇକି ଆସୁଛୁ, ଖାଇବା’ ବୋଲି କହି ସାତଭାୟା ପଞ୍ଚାୟତ କାନପୁର ଗାଁର ସୁକାନ୍ତ ରାଉତଙ୍କ ପୁଅ ବିଶାଲ ରାଜ ରାଉତ (୧୩), ଶୈଶବ ସାହୁଙ୍କ ପୁଅ ସମ୍ବିତ ସାହୁ (୧୩), ବୀରକିଶୋର ପରିଡ଼ାଙ୍କ ପୁଅ ବ୍ରିଙ୍ଗ୍ ବ୍ରିଟେନ ପରିଡ଼ା (୧୩)ଙ୍କ ସହିତ କାହ୍ନା ରାଉତ (୪ଜଣ) ଆସିଥିଲେ। ଘର ପାଖ ନଳକୂପରେ ଗାଧୋଇବା ବଦଳରେ ସେମାନେ ଘରଠାରୁ ଦେଢ଼କିମି ଦୂର ବିଲ ମଝିରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ।

publive-image

ପ୍ରଥମେ ରାଜା (ସମ୍ବିତ), ତା’ପରେ ପରେ ବ୍ରିଟେନ ଓ ବିଶାଲ ବିଲରେ ଦୌଡ଼ିଦୌଡ଼ି ଯାଇ ପୋଖରୀକୁ ଲମ୍ବ ଡିଆଁ ମାରିଥିଲେ। ପଛରେ ଯାଉଥିବା ସାଙ୍ଗ କାହ୍ନା ପୋଖରୀ କୂଳରେ ପହଁଚିବା ବେଳକୁ କେବଳ ୩ଜଣଙ୍କ ମୁଣ୍ଡ ଚୁଟି ଦେଖାଯାଉଥିଲା। ସେମାନଙ୍କ ଏପରି ଅବସ୍ଥା ଦେଖି କାହ୍ନା ପୋଖରୀକୁ ଡେଇଁବା ବଦଳରେ ଦୌଡ଼ିଦୌଡ଼ି ଗାଁକୁ ଆସି ଡାକ ପକାଇଥିଲା। ପାଖରେ ଥିବା ଲୋକେ ଦୌଡ଼ାଦୌଡ଼ି କରି ପୋଖରୀ କୂଳରେ ପହଁଚି ପୋଖରୀ ଭିତରକୁ ଲମ୍ଫ ମାରି ଖୋଜି ୩ଜଣଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ। ସେତେବେଳକୁ ବିଶାଲ ଓ ବ୍ରିଟେନ୍‌ ଜିଭ କାମୁଡି ସାରିଥିଲେ, ରାଜା ହାତ ହଲାଉଥିଲା। ଗାଁ ଲୋକେ ବାଇକ୍ ଯୋଗେ ସମସ୍ତଙ୍କୁ ଗୁପ୍ତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ଏଭଳି ଘଟଣାରେ କାନ୍ଦବୋବାଳିରେ ମେଡିକାଲ ପରିସର ଫାଟି ପଡ଼ିଥିଲା। ପ୍ରାଣ ହରାଇଥିବା ସମସ୍ତ ୩ ନାବାଳକ ସାତଭାୟା ପଂଚୁବରାହୀ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁ୍‌ଥିଲେ। ବ୍ରିଟେନ୍‌ଙ୍କ ବାପା ସେହି ବିଦ୍ୟାଳୟରେ ଶିକ୍ଷକ ଥିବାବେଳେ ସମ୍ବିତ୍‌ ଓ ବିଶାଲ୍‌ଙ୍କ ବାପା କେରଳ ପ୍ଲାଏଉଡ୍‌ କାରଖାନାରେ ଶ୍ରମିକ ଅଛନ୍ତି। ସମସ୍ତେ ସେମାନଙ୍କ ବାପମାଙ୍କର ଗୋଟିଏ ଗୋଟିଏ ପୁଅ ଥିଲେ। ଠିକ୍ ଖାଇବା ସମୟରେ ଏହି ଦୁଃଖଦ ଖବର ଯୋଗୁଁ ପୂରା ସାତଭାୟା ଆଜି ଉପବାସରେ ଶୋକ ପାଳିଛି। ସମସ୍ତଙ୍କ ଘରେ ରନ୍ଧା ହୋଇଥିବା ଖାଦ୍ୟ ସାମଗ୍ରୀ ପଡ଼ି ରହିଛି। ୩ ସାଙ୍ଗଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆଳି ପଠାଯାଇଛି। ଗାଁରେ ଏକାଠି ୩ ସାଙ୍ଗଙ୍କ ଜୁଇ ଜଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe