ମହାନଦୀରେ ଭାସିଗଲେ ୩ ସାଙ୍ଗ: ଜଣେ ମୃତ, ୨ ନିଖୋଜ

Advertisment
ମହାନଦୀରେ ଭାସିଗଲେ ୩ ସାଙ୍ଗ: ଜଣେ ମୃତ, ୨ ନିଖୋଜ

କଟକ-ଜଗତପୁର: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍‌ ନିକଟରେ ମହାନଦୀରେ ଗାଧୋଇବା ବେଳେ ୩ଜଣ ସାଙ୍ଗ ଭାସିଯାଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କ ଭିତରୁ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଅନ୍ୟ ୨ଜଣ ନିଖୋଜ ଥିବା ବେଳେ ଓଡ୍ରାଫ୍‌ ଓ ଅଗ୍ନିଶମବାହିନୀ ସେମାନଙ୍କୁ ଖୋଜାଖୋଜି ଜାରି ରଖିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କରେ କିଛି ଖବର ମିଳିପାରି ନାହିଁ। ମୃତକ ଜଣକ ମାଲଗୋଦାମ ଥାନା ଚାରିଘରିଆସାହି ଚୂନଭାଟି ଅଞ୍ଚଳର ସେକ୍‌ ୟୁସୁଫ୍‌ଙ୍କ ପୁଅ ସେକ ସାହିଲ୍‌ (୧୭) ହୋଇଥିବା ବେଳେ ୨ ନିଖୋଜ ସେହି ସାହିର ରାଜ୍‌ ଓରଫ ସିଦ୍ଦିକ୍‌ ଖାନ୍ (୧୭) ଓ ଛୋଟୁ ଓରଫ ଆୟୋର୍‌ ଖାନ୍‌(୧୮) ବୋଲି ଜଣାପଡ଼ିଛି। ସନ୍ଧ୍ୟା ପରେ ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟକୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଆଜି ଦିନ ପ୍ରାୟ ୧ଟା ବେଳେ ଚାରିଘରିଆସାହିର କେତେଜଣ ଯୁବକ ମହାନଦୀ ଯୋବ୍ରା ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ସାହିଲ୍‌, ରାଜ୍‌ ଓ ଛୋଟୁ ପାଣି ସୁଅ ଭିତରକୁ ଚାଲିଯାଇଥିଲେ। ଅସାବଧାନତାରୁ ନଦୀର ପ୍ରଖର ସ୍ରୋତରେ ସାହିଲ୍‌ ଭାସି ଯାଇଥିଲେ। ଏହା ଦେଖିପାରି ରାଜ୍‌ ଓ ଛୋଟୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ, ସେମାନେ ଉଦ୍ଧାର କରିବେ କ’ଣ ନିଜେ ପାଣି ସୁଅରେ ଭାସିଯାଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରି କେବଳ ସାହିଲ୍‌ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିପାରିଥିଲେ। ତୁରନ୍ତ ତାଙ୍କୁ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସାହିଲ୍‌ ଖ୍ରୀଷ୍ଟ କଲେଜର +୨ ପ୍ରଥମବର୍ଷ ଛାତ୍ର ବୋଲି ସୂଚନା ମିଳିଛି। ଅନ୍ୟ ଦୁଇ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଓ ଦମକଳବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର କରାଯାଇପାରି ନାହିଁ। ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ଜୋନ୍‌-୧ ଏସିପି ଶୁଭନାରାୟଣ ମୁଦୁଲି, ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଓ ମାଲଗୋଦାମ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିବା ବେଳେ ୨ଟି ଡଙ୍ଗା ସାହାଯ୍ୟରେ ମାଛଧରାଳିମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ସନ୍ଧ୍ୟା ପରେ ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe