The Statesman
ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍ ଠାକୁରପଡ଼ା ଗ୍ରାମରେ ସୋମବାର ଦିନ ମହୁମାଛି ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସିଂହବିଲା ଗ୍ରାମର ଅନିଲ କୁମାର ମିଶ୍ର (୪୦)ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଶ୍ରୀ ମିଶ୍ର ଠାକୁରପଡ଼ାରେ ଥିବା ଶିଦ୍ଧେଶ୍ୱର ମନ୍ଦିରକୁ ରୋଷେଇ କରିବା ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ସେହିପରି ହରିଡ଼ାଗୋଠ ଗ୍ରାମର ଦୁଇଜଣ ଯୁବକ ଏକ ବାଇକ୍ରେ ମନ୍ଦିର କଡ଼ ଦେଇ ଟୁଲୁକାଖମଣ ଗ୍ରାମକୁ ଯାଉଥିବା ବେଳେ ସେମାନେ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଉଭୟ ବାଇକ୍ ଛାଡ଼ି ଦୌଡ଼ି ପଳାଇଥିଲେ।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ମନ୍ଦିର ନିକଟରେ ଥିବା କଲ୍ୟାଣମଣ୍ଡପରେ ପଞ୍ଚାୟତର ଜନପ୍ରତିନିଧିଙ୍କୁ ନେଇ ଏକ କର୍ମଶାଳା ଅୟୋଜିତ ହୋଇଥିଲା। ସଭା ପରେ ମହୁମାଛି ଆକ୍ରମଣରେ ୧୮ଜଣ ଆହତ ହୋଇଥିଲେ। କଲ୍ୟାଣମଣ୍ଡପ ନିକଟ ଗଛରେ ୮/୧୦ ଟି ମହୁଫେଣା ରହିଛି। ବାଜପକ୍ଷୀ ମହୁ ଖାଇବା ପାଇଁ ଆସିଲେ ମହୁମାଛି ଉଡ଼ି ଲୋକଙ୍କୁ ଆକ୍ରମଣ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ବନ ବିଭାଗ ତୁରନ୍ତ ଏହି ମହୁଫେଣା ଭାଙ୍ଗି ସଫା କରିବାକୁ ଦାବି ହେଉଛି।
Follow Us