Outlook India
ଭବାନୀପାଟଣା / ଲାଞ୍ଜିଗଡ଼ / କୋକସରା : କିଛିଦିନ ଧରି ପୋଷ୍ଟର ମାରି ମାଓବାଦୀମାନେ ନିଜର ଉପସ୍ଥିତି ଜାହିର୍ କରି ଆସୁଥିବା ବେଳେ ଆଜି ଏକ ଭିନ୍ନଦୃଶ୍ୟ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ସିକେରକୁପା ଫାଣ୍ଡି ଅଧୀନ ଡେଙ୍ଗେନ ଛକ କୁଚେଇଯୋରଠାରେ ଲଗାଇଥିବା ପୋଷ୍ଟର୍ରେ ୩ଜଣ ସାମ୍ବାଦିକଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲ ଉଲ୍ଲେଖ କରିଛନ୍ତି। ସାମ୍ବାଦିକଙ୍କ ବିରୋଧରେ ଏହିଭଳି ଖୋଲାଖୋଲି ଘୋଷଣାକୁ କେହିକେହି ବେଶ୍ କିଛିବର୍ଷ ବ୍ୟବଧାନରେ ପ୍ରଥମ ଘଟଣା ବୋଲି କହୁଛନ୍ତି।
ଏହି ୩ ସାମ୍ବାଦିକମାନେ ହେଲେ, ପାଷ୍ଟିକୁଡିର ଲାଲୁ ନିଆଲ, ଭବାନୀପାଟଣା ବଡ଼ପଡାର ବିନ୍ଦୁ ନାଏକ ଓ ଜୟପାଟଣା ବ୍ଲକ ପାଣିଗାଁର ଭଦ୍ରାଞ୍ଚଳ ନାଏକ। ମାଓବାଦୀମାନେ ଅଭିଯୋଗ କରିଛନ୍ତି ଯେ ସଂପୃକ୍ତ ୩ ଜଣ ସାମ୍ବାଦିକ ବିଭିନ୍ନ ଆଳରେ ସରକାରୀ ଶିକ୍ଷକ, ସରକାରୀ କର୍ମଚାରୀଙ୍କୁ ହଇରାଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଚାକିରି କରାଇଦେବା ନାଁରେ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ବ୍ଲାକ୍ମେଲିଂ କରୁଛନ୍ତି। ଏଥିସହିତ ମାଓବାଦୀ ବିରୋଧୀ ବନ୍ଦ କରିବା, ଠକ ମିଡିଆ କାମ ବନ୍ଦ କରିବା ଆଦି ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏହି ୩ ଜଣ ସାମ୍ବାଦିକ ଏଭଳି ଘଟଣାରୁ ନିବୃତ୍ତ ନରହିଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସମ୍ପୃକ୍ତ ସମ୍ବାଦିକମାନଙ୍କ ମଧ୍ୟରୁ ଦୁଇଜଣ ୱେବ୍ ଚେନାଲ୍ ଏବଂ ଜଣେ ଛାପା ଗଣମାଧ୍ୟମର ବୋଲି ଜଣାଯାଇଛି।
ଏଥିସହିତ, ହିନ୍ଦୀରେ ଲେଖାଥିବା ଏହି ପୋଷ୍ଟରରେ ସ୍ଥାନୀୟ ଜନପ୍ରତିନିଧି ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତିସଭ୍ୟଙ୍କୁ ଚେତାବନୀ ଦିଆଯାଇଛି। ଏଥିରେ ଓଡ଼ିଶା-ଛତିଶଗଡ଼ ସୀମାରେ ସେମାନେ ସକ୍ରିୟ ରହିଥିବା ଉଲ୍ଲେଖ ରହିଛି। ଜଙ୍ଗଲ ଜମିପଟ୍ଟା, ଆବାସ ଘର, ପିଡିଏସ୍ର ସୁପରିଚାଳନା ନକଲେ ପରିଣାମ ଭୟଙ୍କର ହେବ ଏବଂ ଏଥିପାଇଁ ମୁଣ୍ଡକାଟ ହେବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ମାଓ ପୋଷ୍ଟର ଲାଗିଥିବା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ସଂପର୍କରେ ଖବରପାଇ ଘଟଣାସ୍ଥଳରେ ପୁଲିସ୍ ପହଁଚି ପୋଷ୍ଟର ଗୁଡ଼ିକୁ ହଟାଇ ଦେଇଥିବା ଜଣାପଡ଼ିଛି।
Follow Us