ଅତଡ଼ା ଧସି ୩ ଶ୍ରମିକ ମୃତ

Advertisment
ଅତଡ଼ା ଧସି ୩ ଶ୍ରମିକ ମୃତ

କେନ୍ଦୁଝର : ଗାୟତ୍ରୀ କଂପାନିର ଖୋଲା ପଡ଼ିଥିବା ଏକ ମୋରମ ଖାଦାନରେ ମାଟି ଅତଡ଼ା ଧସିଯିବାରୁ ୩ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ‌ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତୁଳସୀଚଉରା ଗ୍ରାମରେ । ମୃତ ଶ୍ରମିକମାନେ ହେଲେ କାଞ୍ଜିପାଣି ଥାନା ତାଳପଦା ଗାଁର ରେଖା ଦେହୁରୀ, ନିର ଜୁଆଙ୍ଗ ଓ କେଶବ ଜୁଆଙ୍ଗ। ଆହତ ଶ୍ରମିକ ଜଣକ ହେଲେ ସେହି ଗାଁର ପାଟ ମନ୍ତ୍ରୀ। ପୁଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ‌କେନ୍ଦୁଝର ଡାକ୍ତରଖାନାକୁ ପଠାଇଛି।

ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଶ୍ରମିକମା‌ନେ ନରଣପୁରର ଏକ ଟ୍ରାକ୍ଟର ମାଲିକ ପାଖରେ ରହି ଶ୍ରମିକ ଭାବେ କାମ କରୁଥିଲେ। ଏନ୍‌ଏଚ୍‌-୨୦ର ନିର୍ମାଣ କାମ କରୁଥିବା ଗାୟତ୍ରୀ କମ୍ପାନି ପଥର ଖୋଳି ନେବା ପରେ ମାଟିଗୁଡ଼ିକୁ ତୁଳସୀ ଚଉରା ଗ୍ରାମ ନିକଟ ଏକ ସ୍ଥାନରେ ଗଦା କରିଥିଲା। ସମ୍ପୃକ୍ତ ଶ୍ରମିକମାନେ ଆଜି ଅପରାହ୍‌ଣ ସାଢ଼େ ୪ଟା ବେଳେ ଟ୍ରାକ୍ଟରରେ ମାଟି ନେବାକୁ ଉକ୍ତ ସ୍ଥାନକୁ ଆସିଥିଲେ। ଟ୍ରାକ୍ଟରରେ ମାଟି ବୋଝେଇ କରିବା ବେଳେ ହଠାତ୍‌ ମାଟି ଅତଡ଼ା ‌ଧସି ଯାଇଥିଲା। ରେଖା, ନିର ଓ କେଶବ ମାଟି ତଳେ ଚାପି ହୋଇଯାଇଥିଲେ। ସେହିପରି ପାଟଙ୍କ ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ମାଟି ତଳେ ରହିଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଖବର ପାଇ ଟାଉନ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମେସିନ ଦ୍ବାରା ମାଟି ଖୋଳିଥିଲେ। ଦୀର୍ଘ ୩ ଘଣ୍ଟା ପରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଟ୍ରାକ୍ଟରଟିକୁ ଜବତ କରିବା ସହିତ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe