ରେଳ ଷ୍ଟେସନରୁ ୩ ନାବାଳକ ଉଦ୍ଧାର, ଦଲାଲ ଫେରାର

Advertisment
ରେଳ ଷ୍ଟେସନରୁ ୩ ନାବାଳକ ଉଦ୍ଧାର, ଦଲାଲ ଫେରାର

ରାଉରକେଲା: ମାତ୍ର ଦଶ ଦିନର ବ୍ୟବଧାନପରେ ଆଜି ପୁଣି ରାଉରକେଲା ଷ୍ଟେସନରେ ୩ ଜଣ ନାବାଳକ ଉଦ୍ଧାର ହୋଇଛନ୍ତି। ତେବେ ଏମାନଙ୍କୁ ଚାଲାଣ କରୁଥିବା ଦଲାଲ ଫେରାର ହୋଇଯାଇଛି। ତିନି ନାବାଳକ ଝାଡ଼ଖଣ୍ଡ ଗଡ଼ୱା ଜିଲ୍ଲାର। ସେମାନଙ୍କୁ ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରାଯାଇଛି।

ଜଣେ ଗଡ଼ୱା ଜିଲ୍ଲାର ଏହି ତିନି ନାବାଳକଙ୍କ ପରିବାରକୁ ଯଥାକ୍ରମେ ୪ ଶହ, ୫ ଶହ ଓ ୧୫ ଶହ ଟଙ୍କା ଦେଇଥିଲେ। ଏହାସହ ରାଉରକେଲାରେ ଚାକିରି ଦେବାକୁ ଲୋଭ ଦେଖାଇଥିଲା ଦଲାଲ। ପରିବାରର ଆର୍ଥିକ ସ୍ଥିତି ଏତେ ସ୍ବଚ୍ଛଳ ନଥିବାରୁ ସେମାନେ ହଁ ଭରିଥିଲେ। ପରେ ସେମାନେ ଜାମ୍ମୁତାୱି ଏକ୍ସପ୍ରେସ୍‌ରେ ଆଜି ରାଉରକେଲା ଅଭିମୁଖେ ବାହାରିଥିଲେ। ଦିନ ପ୍ରାୟ ୧ଟାରେ ଟ୍ରେନ୍‌ରେ ରାଉରକେଲାରେ ପହଞ୍ଚିଥିଲା। ସଂପ୍ରତି ଷ୍ଟେସନରେ ସମସ୍ତ ଯାତ୍ରୀଙ୍କର କୋଭିଡ୍‌ ଟେଷ୍ଟ୍‌ କରାଯାଉଛି।

ଏହି କ୍ରମେରେ ଷ୍ଟେସନରେ ନିୟୋଜିତ ସିଭିଲ ଡିଫେନ୍ସ କମ୍ପାନି କମାଣ୍ଡର ଶୁଭେନ୍ଦୁ କୁମାର ପଣ୍ଡା, ସ୍ବେଚ୍ଛାସେବୀ ଅଜିତ ପ୍ରସାଦ ଓ ପରିକ୍ଷୀତ ବେହେରା ଏମାନଙ୍କର କୋଭିଡ୍‌ ଯାଞ୍ଚ୍‌ କରିଥିଲେ। ତେବେ ସେମାନଙ୍କ ପ୍ରକୃତ ଠିକଣା, ଗନ୍ତବ୍ୟ ସ୍ଥଳ ବିଷୟରେ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ବେଶ୍‌ କିଛି ସମୟ ପଚରାଉଚରା କରିବାପରେ ରାଜାମୁଣ୍ଡା ଅଞ୍ଚଳରେ ରାସ୍ତା କାମ କରିବାକୁ ଯାଉଥିବା କହିଥିଲେ।

ତେବେ କାହା ଅଧିନରେ କାମ କରୁଛନ୍ତି, କାହାସହ ଆସୁଥିଲେ ସେ ବିଷୟରେ ସାମାନ୍ୟ ସୂଚନା ବି ଦେଇପାରିନଥିଲେ। ସନ୍ଦେହ ଦୃଢ଼ୀଭୂତ ହେବାରୁ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ ଖୋଲତାଡ଼ ଜାରି ରଖିଥିଲେ। ଜଣେ ନାବାଳକଙ୍କ ମୋବାଇଲ ଫୋନ୍‌ରୁ ଏକ ନମ୍ବର ବାହାରିଥିଲା। ଏଥିରେ ଯୋଗାଯୋଗ କରିବାରୁ ରାଜାମୁଣ୍ଡା ଅଞ୍ଚଳରେ ଜାତୀୟ ରାଜପଥ କାମରେ ନିୟୋଜିତ ଜଣେ ଠିକା ଶ୍ରମିକ ଫୋନ ଉଠାଇଥିଲେ। ତାଙ୍କୁ ନାବାଳକଙ୍କ ବିଷୟରେ ପଚାରିବାରୁ ଠିକା ଶ୍ରମିକ କିଛି ଜାଣିନଥିବା କହିବାରୁ ଶେଷରେ ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe