Tathya
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥାର ତିନିଟି ନୂଆ ମଡ୍ୟୁଲ୍ର ଆଜି ଶୁଭାରମ୍ଭ ହୋଇଛି। ଏଗୁଡ଼ିକ ହେଲା ଅନ୍ଲାଇନ୍ରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପରିଚାଳନା, ସରକାରୀ ଆବାସ ପରିଚାଳନା ଓ ସର୍ଭିସ୍ ବୁକ୍ ବ୍ୟବସ୍ଥା। ରାଜ୍ୟ ସରକାରଙ୍କ ସେଣ୍ଟର୍ ଫର୍ ମର୍ଡନାଇଜିଂ ଗଭର୍ଣ୍ଣମେଣ୍ଟ୍ ଇନିସିଏଟିଭ୍ସ୍(ସିଏମ୍ଜିଆଇ) ପକ୍ଷରୁ ଏହି ଇ-ମଡ୍ୟୁଲ୍ଗୁଡ଼ିକ ପ୍ରସ୍ତୁତ କରାଯାଇଛି।
ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତିନିଟି ନୂଆ ମଡ୍ୟୁଲ୍ର ଶୁଭାରମ୍ଭ କରି କହିଥିଲେ ଯେ ଏହା ଦ୍ବାରା ସରକାରୀ ଅଧିକାରୀ ଓ ବିଭାଗଗୁଡ଼ିକ ବିେଶଷ ଉପକୃତ ହେବେ। ସରକାରୀ ଅଧିକାରୀ, କର୍ମଚାରୀଙ୍କ ସମସ୍ତ କାରବାର ଅନ୍ଲାଇନ୍ ମାଧ୍ୟମରେ ତ୍ବରାନ୍ବିତ ହେବ। ଛୁଟି, ଦରମା ବୃଦ୍ଧି, ପେନ୍ସନ୍, ବିଭିନ୍ନ ଦେୟ ପ୍ରଦାନ ଆଦି ସ୍ବଚ୍ଛ ଓ ସୁଗମ ହେବ। ଏହି ବ୍ୟବସ୍ଥାର ପୂର୍ଣ୍ଣ ବ୍ୟବହାର ପାଇଁ ଶ୍ରୀ ମହାପାତ୍ର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିସନର୍ ପ୍ରଦୀପ କୁମାର ଜେନା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ସିଏମ୍ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Follow Us