ଅହମ୍ମଦାବାଦରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା : କାନ୍ଦରେ ଫାଟି ପଡୁଛି ଯମଧର ଗାଁ, ଆମ୍ବୁଲାନ୍ସରେ ଅଣାଯାଉଛି ଶବ

Advertisment
ଅହମ୍ମଦାବାଦରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା : କାନ୍ଦରେ ଫାଟି ପଡୁଛି ଯମଧର ଗାଁ, ଆମ୍ବୁଲାନ୍ସରେ ଅଣାଯାଉଛି ଶବ

ଯାଜପୁରସଦର/ବ୍ରହ୍ମବରଦା :  ପରିବାର ପେଟକୁ ଦାନା ଯୋଗାଡ଼ ପାଇଁ ଦାଦନ ଖଟିବାକୁ ଯାଇଥିଲେ। ଗୁଜରାଟର ଅହମ୍ମଦାବାଦ ନିକଟରେ ଏକ ସୂତାକଳରେ କାମ କରୁଥିଲେ। ହେଲେ ଗତକାଲି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟି ୩ଜଣଙ୍କ ଜୀବନ ପ୍ରଦୀପ ଲିଭିଗଲା। ଗୋଟିଏ ଗାଁର ୩ ସଂପର୍କୀୟଙ୍କ ମୃତ୍ୟୁକୁ ପ୍ରଥମେ ବିଶ୍ବାସ କରିପାରି ନଥିଲେ ପରିବାରବର୍ଗ। ଏହି ଘଟଣା ଜଣାପଡ଼ିବା ପରଠାରୁ ଯାଜପୁର ସଦର ଥାନା ଅନ୍ତର୍ଗତ ଯମଧର ଗ୍ରାମରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଆଜି ଅହମ୍ମଦାବାଦର  ଏକ ଚିକିତ୍ସାଳୟରେ ୩ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ଏକ ଆମ୍ବୁଲାନ୍ସରେ ଜନ୍ମମାଟିକୁ ଶବ ଅଣାଯାଉଛି।

ଯାଜପୁର ସଦର ଥାନା ଯମଧର ପଞ୍ଚାୟତ ଅନ୍ତର୍ଗତ ଯମଧର ଏବଂ ଏହ‌‌ାର ଆଖପାଖ ଅଞ୍ଚଳର ଶହଶହ ଯୁବକ  ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ପ୍ରାୟ ୩ବର୍ଷ ପୂର୍ବେ ଯମଧର ଗ୍ରାମର ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ପୁଅ ଦୟାନିଧି ଖୁଣ୍ଟିଆ (୩୩), ଶୁକଦେବ ଖୁଣ୍ଟିଆଙ୍କ ପୁଅ ଚିନ୍ମୟ ଖୁଣ୍ଟିଆ (୨୫), ଅଶୋକ କୁମାର ସିଂଙ୍କ ପୁଅ କାମେଶ ସିଂ (୨୩) ଏବଂ ଅନ୍ୟ କିଛିଜଣ ଯାଇଥିଲେ। ଏମାନେ ଅହମ୍ମଦାବାଦ ନିକଟ ଓଡମ୍ବାରେ ଥିବା ଲୋଟସ୍‌ ସୂତା କଳରେ କାମ କରୁଥିଲେ। ଗତକାଲି ସେଠାରେ ଅଗ୍ନିକାଣ୍ଡ ଘଟି ୫ଜଣ ଶ୍ରମିକ ଜିଅନ୍ତା ଜଳିଯାଇଥିଲେ। ମୃତକଙ୍କ ମଧ୍ୟରେ ଯମଧର ଗ୍ରାମର ଏହି ୩ଜଣ ରହିଥିଲେ। ଚନ୍ମୟ ଓ କାମେଶ ଅବିବାହିତ ଥିବା ବେଳେ ଦୟାନିଧି ବିବାହିତ ଏବଂ ତାଙ୍କର ୨ଟି ଝିଅ ଅଛନ୍ତି। ଆଜି କ୍ରନ୍ଦନରତ ଦୟାନିଧିଙ୍କ ପତ୍ନୀଙ୍କ ଆଖିରୁ ତାଙ୍କ କୁନିଝିଅ ଲୁହ ପୋଛି ଦେଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ରୋଜଗାର ପାଇଁ ଘରୁ ଗୋଡ଼ କାଢ଼ିଥିବା କାମେଶ ସିଂ ଦୁଇ ବର୍ଷ ହେଲା ଗାଁକୁ ଫେରି ନଥିଲେ। ସେହିପରି ଚିନ୍ମୟ  ସପ୍ତାହେ ପୂର୍ବରୁ ଘରକୁ ଆସି କର୍ମସ୍ଥଳକୁ ଫେରିଥିଲେ। ସେମାନଙ୍କ ପୁରୁଣା ସ୍ମୃତିକୁ ମନେ ପକାଇ ପରିବାର ଲୋକେ ବାହୁନି କାନ୍ଦୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe