ଚଳିତ ନିର୍ବାଚନରେ ଚର୍ଚ୍ଚାରେ ରହିଛି ନୀଳଗିରି: ତିନି ପ୍ରମୁଖ ଦଳ ଘୋଷଣା କରିପାରୁ ନାହାନ୍ତି ପ୍ରାର୍ଥୀ

ବାରବାଟୀ-କଟକରେ ବିଜେପି ଓ କଂଗ୍ରେସରୁ କାହାକୁ ମିଳିବ ଟିକେଟ୍‌?

ଚଳିତ ନିର୍ବାଚନରେ ଚର୍ଚ୍ଚାରେ ରହିଛି ନୀଳଗିରି: ତିନି ପ୍ରମୁଖ ଦଳ ଘୋଷଣା କରିପାରୁ ନାହାନ୍ତି ପ୍ରାର୍ଥୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଉଛନ୍ତି। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡି ୧୪୪ଟି, ବିଜେପି ୧୪୦ ଓ କଂଗ୍ରେସ ୧୩୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। କିନ୍ତୁ ବାଲେଶ୍ବର ସଂସଦୀୟ କ୍ଷେତ୍ର ଅଧୀନ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିପାରୁ ନାହାନ୍ତି। ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ନୀଳଗିରିର ଭୂମିକା ଗୁରୁତ୍ବପୂର୍ଣ୍ଣ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଘର ହେଉଛି ନୀଳଗିରି। ସେ ଚଳିତ ନିର୍ବାଚନରେ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଶଶୁର ଘର ନୀଳଗିରି ହୋଇଥିବା ବେଳେ ବାଲେଶ୍ବରର ବିକାଶ ପୁରୁଷ ଭାବେ ଜଣାଶୁଣା କଂଗ୍ରେସର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କର ମଧ୍ୟ ନୀଳଗିରିରେ ପ୍ରଭାବ ରହିଛି। ନୀଳଗିରିରେ ଉପଯୁକ୍ତ ପ୍ରାର୍ଥୀ ନଦେଲେ ଦଳ ପାଇଁ କ୍ଷତି ପହଞ୍ଚାଇପାରେ ବୋଲି ତିନି ଦଳ ପୂର୍ବାନୁମାନ କରୁଛନ୍ତି। କେବଳ ସେତିକି ନୁହେଁ,  ନୀଳଗିରିର ପ୍ରାର୍ଥୀ ଚୟନ ବାଲେଶ୍ବର ସଂସଦୀୟ କ୍ଷେତ୍ର ଅଧୀନ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ତିନି ପ୍ରମୁଖ ଦଳ ନୀଳଗିରିରେ ପ୍ରାର୍ଥୀ ଘୋଷଣା କରି ନପାରିବାର ଆହୁରି ମଧ୍ୟ ଅନ୍ୟ କାରଣ ହୋଇପାରେ। ନୀଳଗିରିରେ ଦୀର୍ଘ ବର୍ଷ ହେଲା ସନ୍ତୋଷ ଖଟୁଆ ବିଜେଡିର ସଂଗଠନ କରିଛନ୍ତି। ଏଠାକାର ବିଧାୟକ ସୁକାନ୍ତ ନାୟକ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ଏଥର ବିଜେଡି ଟିକେଟ୍‌ ଆଶାୟୀ ଅଛନ୍ତି। ବିଜେଡି ଉଭୟ ନେତାଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି। ଏହି ୨ ନେତାଙ୍କ ମଧ୍ୟରୁ ବିଜେଡି କାହାକୁ ପ୍ରାର୍ଥୀ କରିବ, ସେନେଇ ସ୍ପଷ୍ଟ ହୋଇପାରୁ ନାହିଁ। ବିଜେପି ମଧ୍ୟ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଥିବା କୁହାଯାଉଛି। ଯଦି ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ୍‌ ମିଳେ, ତାହେଲେ ସନ୍ତୋଷ ଦଳ ଛାଡ଼ି ବିଜେପିରେ ଯୋଗ ଦେଇ ଟିକେଟ୍‌ ହାସଲ କରିପାରନ୍ତି। କଂଗ୍ରେସର ସ୍ଥାନୀୟ ପ୍ରାର୍ଥୀ ରାଣୀ ତଥା ରାଜ୍ୟ କଂଗ୍ରେସର ସହସଂପାଦିକା ମନୋଜ ମଂଜରୀ ଦେବୀ ପୂର୍ବରୁ ଏଆଇସିସି ଚିଠି ଲେଖି ନିର୍ବାଚନ ଲଢ଼ିବେ ନାହିଁ ବୋଲି ମନା କରିଦେଇଥିଲେ। କଂଗ୍ରେସ ପାଖରେ ଏବେ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଦୁଇ ଥରର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଓ ସମାଜସେବୀ ତପନ ରାଉତ ଆଶାୟୀ ପ୍ରାର୍ଥୀ ଅଛନ୍ତି। ନିକଟରେ ତପନ ରାଉତଙ୍କୁ ବାଲେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଭେଟିଥିଲେ। ନୂତନ ମୁହଁ ହୋଇଥିଲେ ବି ତପନ ରାଉତଙ୍କୁ କଂଗ୍ରେସ ଟିକେଟ୍‌ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

୨୦୧୪, ୨୦୧୯ ନିର୍ବାଚନ

୨୦୧୯ ନିର୍ବାଚନରେ ବିଜେପି ଟିକେଟ୍‌ରେ ସୁକାନ୍ତ ନାୟକ ୬୯,୫୧୭ ଖଣ୍ଡ ଭୋଟ୍‌ ପାଇଥିଲେ। ସେ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ୧୫୭୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ସୁକାନ୍ତ ନାୟକ ବିଜୟୀ ହୋଇଥିଲେ। ସେହି ସମୟରେ ଶ୍ରୀ ନାୟକ ବିଜେଡିରୁ ପ୍ରାର୍ଥୀ ହୋଇ ୫୦,୫୧୪ ଖଣ୍ଡ ଭୋଟ୍‌ ପାଇଥିଲେ ଏବଂ ବିଜେପିର ପ୍ରାର୍ଥିନୀ ସୁଷମା ବିଶ୍ବାଳଙ୍କୁ ୧୩,୭୦୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ।

ବିଜେଡି ଗତ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍‌ ଘୋଷଣା କରିଥିଲା। ସେଦିନ ୭୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ବିଜେଡି ଏଯାବତ ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ଏଥିରେ ଖଣ୍ଡପଡ଼ା ଓ ଭୋଗରାଇ ମଧ୍ୟ ସାମିଲ ରହିଛି। ବିଜେପିର ପ୍ରାର୍ଥୀ ଘୋଷଣା ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହୋଇଥିଲା। ନୀଳଗିରି ସହ ବିଜେପି ଘୋଷଣା କରି ନଥିବା ଅନ୍ୟ ଆସନଗୁଡ଼ିକ ହେଲା ଘସିପୁରା, ଭୋଗରାଇ, ଭଣ୍ଡାରିପୋଖରୀ, ବାରବାଟୀ-କଟକ, ବରୀ ଓ ବେଗୁନିଆ। ସେହିପରି କଂଗ୍ରେସ ଗତ ୨ ତାରିଖ ଠାରୁ ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଆରମ୍ଭ କରିଥିଲେ ବି ଏଯାବତ ନୀଳଗିରି ସହ ପାଳଲହଡ଼ା, ଜଳେଶ୍ବର, ବାଲେଶ୍ବର, କଟକ-ବାରବାଟୀ, ଜଗତସିଂହପୁର, ବଡ଼ଚଣା, କାକଟପୁର ଓ ଛତ୍ରପୁରରେ ପ୍ରାର୍ଥୀ ଘୋଷଣା କରିନାହିଁ। ପ୍ରାର୍ଥୀ ଘୋଷଣା ହୋଇପାରି ନଥିବା ଆସନଗୁଡ଼ିକରେ ଏକାଧିକ ନେତା ଅଛନ୍ତି। ପ୍ରାର୍ଥୀ ଘୋଷଣା ହେଲା ପରେ ବିଦ୍ରୋହ ଆଶାରେ ଦଳର ଶୀର୍ଷସ୍ତରର ନେତାମାନେ ପ୍ରଥମେ ରଣନୀତି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe