୨ଟି ହାତୀର ଦାନ୍ତକୁ ବିକ୍ରି କରିବାକୁ ଯୋଜନା ଚାଲିଥିଲା; ମାଡ଼ିବସିଲା ବନ ବିଭାଗ, ୩ ଅଟକ

Advertisment
୨ଟି ହାତୀର ଦାନ୍ତକୁ ବିକ୍ରି କରିବାକୁ ଯୋଜନା ଚାଲିଥିଲା; ମାଡ଼ିବସିଲା ବନ ବିଭାଗ, ୩ ଅଟକ

ସମ୍ବଲପୁର: ସମ୍ବଲପୁର ସହରରୁ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ନେଇ ସମ୍ବଲପୁର ଡିଏଫ୍‌ଓ ବିଶ୍ବନାଥ ନିଲନ୍ନଵର ସୂଚନା ଦେଇଛନ୍ତି। ଗୁରୁବାର ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଦାନ୍ତ କାରବାରରେ ସଂପୃକ୍ତ ୩ ଜଣଙ୍କୁ ଅଟକ ରଖା ଯାଇଥିବା କହିଥିଲେ। ତାଙ୍କ ସୂଚନା ଅନୁଯାୟୀ, ବୌଦ୍ଧ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ୨ଟି ହାତୀର ଦାନ୍ତକୁ ବିକ୍ରି କରିବାକୁ ଯୋଜନା ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଥିଲା। ତା’ପରେ ସମ୍ବଲପୁର ବନ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା। ଅଇଁଠାପାଲି ବାସନ୍ତୀ ଲଜ୍‌ରେ ବୌଦ୍ଧରେ ମୃତ୍ୟୁବରଣ କରିଥିବା ପ୍ରଥମ ହାତୀ ଦାନ୍ତର ବିକ୍ରି ପାଇଁ କଥାବାର୍ତ୍ତା ଚାଲିଥିଲା।

ଏ ନେଇ ସୂଚନା ପାଇବା ପରେ ବୁଧବାର ରାତି ୧୨ଟା ୩୦ ପରେ ସମ୍ବଲପୁର ଓ ବୌଦ୍ଧ ଡିଭିଜନ୍‌ର ବନ କର୍ମଚାରୀ ମିଳିତ ଭାବେ ଲଜ୍‌ରେ ଚଢ଼ଉ କରିଥିଲେ। ଘଟଣାସ୍ଥଳରେ ୫ ଜଣ ଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା। କିନ୍ତୁ ୨ ଜଣ ଖସି ପଳାଇବାରେ ସଫଳ ହୋଇଥିଲେ। ଏକ ଯୋଡ଼ା ବଡ଼ ହାତୀ ଦାନ୍ତ ସହ ୩ ଜଣ ଅଭିଯୁକ୍ତ ଧରା ପଡ଼ିଥିଲେ।

publive-image

ତେବେ ଜବତ ହୋଇଥିବା ହାତୀଦାନ୍ତ ବୌଦ୍ଧର ମୃତ ହାତୀର କି ନୁହେଁ ତାହା ଡିଏଫ୍‌ଓ ସ୍ପଷ୍ଟ କରି ନାହାନ୍ତି। ତଦନ୍ତ ଜାରି ରହିଥିବା ବେଳେ ୩ ଜଣଙ୍କୁ ପଚରା ଉଚରା ଚାଲିଥିବା କହିଛନ୍ତି। ଦାନ୍ତ ଗୁଡ଼ିକ କିଏ ଦାନ୍ତ ବିକ୍ରି କରୁଥିଲା ଓ କିଏ କିଣିବାକୁ ଆସିଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଅଭିଯୁକ୍ତ ମାନେ ଅଟକ ଅଛନ୍ତି ଓ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇ ନାହାନ୍ତି, ତେଣୁ ସେମାନଙ୍କ ନାମ ପ୍ରକାଶ କରାଯାଇ ପାରିବ ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଡିଏଫ୍‌ଓ କହିଥିଲେ। ତଦନ୍ତ ଶେଷ ହେବା ପରେ ନାମ ପ୍ରକାଶ କରାଯିବ ବୋଲି ଡିଏଫ୍‌ଓ କହିଥିଲେ। ଏହି ଅବସରରେ ବୌଦ୍ଧ ଡିଏଫ୍‌ଓ ମଧ୍ୟ ଉପସ୍ଥିତ ଥିଲେ। ଗୋଟିଏ ପଟେ ଡିଏଫ୍‌ଓ ସାମ୍ବାଦିକ ସମ୍ମିଳନୀ ଡାକୁଥିବାବେଳେ ସେଥିରେ ସାମ୍ବାଦିକଙ୍କୁ ବିଶେଷ ସୂଚନା ଦେଉ ନଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ଯୁଯୁମୁରା ସାପଲହରା ହାତୀ ମୃତ୍ୟୁ ମାମଲାରେ ଜଣେ ଶିକାରୀକୁ ବନବିଭାଗ ଗିରଫ କରିଥିଲା। ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା, କିନ୍ତୁ ସେଥର ମଧ୍ୟ ଅଭିଯୁକ୍ତର ପରିଚୟ ଗୋପନ ରଖା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe