ଶରଧାବାଲିରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ

ଶରଧାବାଲିରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ

ପୁରୀ: ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ପହଂଚିଛି। ଲକ୍ଷ ଲକ୍ଷ ଭକ୍ତ ହର୍ଷୋଲ୍ଲାସର ସହିତ ତିନି ରଥକୁ ସିଂହଦ୍ୱାର ସମ୍ମୁଖରୁ ଟାଣି ନେଇ ଶରଧାବାଲିରେ ପହଂଚିଛନ୍ତି। ମହାପ୍ରଭୁଙ୍କ ମହିମା ଅପାର ହୋଇଥିବାରୁ ନିର୍ଦ୍ଧାରିତ ଲକ୍ଷ୍ୟ ପୂର୍ବରୁ ଭଗବାନ ଶ୍ରୀଜଗନ୍ନାଥ ନିଜ ଭାଇ-ଭଉଣୀଙ୍କୁ ନେଇ ଗୁଣ୍ଡିଚା ଘର ସମ୍ମୁଖକୁ ପହଂଚିଛନ୍ତି।

ବଡଠାକୁରଙ୍କ ତାଳଧ୍ୱଜ ଏବଂ ମା’ ସୁଭଦ୍ରାଙ୍କ ଦର୍ପଦଳନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶେଷରେ କଳାଠାକୁରଙ୍କ ନନ୍ଦିଘୋଷ ଶରଧାବାଲିରେ ପହଞ୍ଚିଛି। ଭାବମୟ ପରିବେଶରେ ଘଣ୍ଟକାହାଳୀ ନାଦରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଟାଣିନେଇଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ଜନ୍ମବେଦୀକୁ ଆଜି ଯାତ୍ରା କରିଛନ୍ତି।

publive-image

ପବିତ୍ର ରଥଯାତ୍ରାରେ ଆଜି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଜନ ସମୁଦ୍ରରେ ପରିଣତ ହୋଇଛି। ଭକ୍ତମାନେ ହରିବୋଲ-ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ତିନି ରଥକୁ ଶରଧାବାଲିରେ ପହଂଚାଇଛନ୍ତି। ଆଜି ଅପରାହ୍ଣ ୨ଟା ୧୫ରେ ପ୍ରଥମେ ଭଗବାନ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣା ଯାଇଥିଲା। ଅଳ୍ପ ସମୟ ପରେ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଶରଧାବାଲି ଅଭିମୁଖେ ଗଡ଼ିଥିଲା। ଶେଷରେ ଭକ୍ତମାନେ ଖୁସିରେ ନନ୍ଦିଘୋଷକୁ ଟାଣି ନେଇଥିଲେ।

ଏହା ପୂର୍ବରୁ ପୂର୍ବାହ୍ଣ ୮ଟାରୁ ପହଣ୍ଡି ଆରମ୍ଭ କରାଯାଇ ମଧ୍ୟାହ୍ଣ ୧୨ଟା ପୂର୍ବରୁ ତିନି ଠାକୁରଙ୍କୁ ରଥ ଉପରେ ବିଜେ କରାଯାଇଥିଲା। ଏହା ପରେ ରଥ ଉପରେ ଶଙ୍କରାଚାର୍ଯ୍ୟ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥ ଉପରେ ଛେରା ପହଁରା କରିବା ପରେ ଘୋଡ଼ା ଓ ସାରଥୀ ଲଗାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe