ଅସହ୍ୟ ହେଲା ଦାରିଦ୍ର୍ୟ : ୩ ଭଉଣୀଙ୍କ ଆତ୍ମହତ୍ୟା

Advertisment
ଅସହ୍ୟ ହେଲା ଦାରିଦ୍ର୍ୟ : ୩ ଭଉଣୀଙ୍କ ଆତ୍ମହତ୍ୟା

ମାଲକାନଗିରି : ଦାରିଦ୍ର୍ୟର ନିଆଁରେ ଜଳୁଥିଲେ ଅହରହ। ଶେଷ ଭରସା ଥିଲେ ବୃଦ୍ଧ ବାପା। ସେ ମଧ୍ୟ ୧୨ଦିନ ତଳେ ଆରପାରିକୁ ଚାଲିଗଲେ। ପୂର୍ବରୁ ମା’କୁ ହରାଇ ମର୍ମାହତ ୩ ଭଉଣୀ ବାପାଙ୍କ ମୃତ୍ୟୁରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଶେଷରେ ଚରମ ନିଷ୍ପତ୍ତି ନେଇ ଆଜି ଆତ୍ମଦାହ କରିଛନ୍ତି। ମୃତ ୩ ଭଉଣୀ ହେଲେ ମାଲକାନଗିରି ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ମେନକା, ରେଣୁକା ଏବଂ ମାଙ୍ଗା। ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରି ଦେଇଛି।

ସୂଚନା ଅନୁଯାୟୀ, ସ୍ଥାନୀୟ କେ. ଗଣପତି ଘରେ ବିଭିନ୍ନ ଜିନିଷ ତିଆରି କରି ବିକ୍ରି କରୁଥିଲେ। ସୀମିତ ଆୟରେ ୩ ପୁଅ ଓ ୩ ଝିଅଙ୍କୁ ବହୁ କଷ୍ଟରେ ବଡ଼ କରିଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ବିବାହ ଯୋଗ୍ୟ ୩ ଝିଅଙ୍କ ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ। ତେବେ ୧୨ ଦିନ ତଳେ ଗଣପତିଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ପରିବାର ଉପରେ ଖସି ପଡ଼ିଥିଲା ଦୁଃଖର ପାହାଡ଼। ୩ ଭାଇଙ୍କ ରୋଜଗାର ସ୍ୱଳ୍ପ ହୋଇଥିବାରୁ ସେମାନଙ୍କ ଉପରେ ବୋଝ ହେବାକୁ ଚାହୁଁ ନଥିଲେ ୩ ଭଉଣୀ ମେନକା (୩୫), ରେଣୁକା (୩୦) ଏବଂ ମାଙ୍ଗା (୨୮)। ତେଣୁ କାହାକୁ କିଛି ନଜଣାଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ସଠିକ୍‌ ସମୟକୁ ଅପେକ୍ଷା କରିଥିଲେ। ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ବଡ ଭାଇ ପ୍ରସାଦ ଏବଂ ସାନ ଭାଇ ଜଗଦୀଶ ଆନ୍ଧ୍ରର ଭଦ୍ରାଚଲମ ଯିବା ପରେ କେବଳ ମଝିଆ ଭାଇ ଶ୍ରୀନିବାସ ଘରେ ଥିଲେ। ଆଜି ସକାଳ ପ୍ରାୟ ୧୦ଟାରେ ଶ୍ରୀନିବାସଙ୍କୁ ବି କୌଣସି କାମରେ ସେମାନେ ଘର ବାହାରକୁ ପଠାଇ ଦେଇଥିଲେ। ଏହାପରେ ରୋଷେଇ ଘରେ ଆତ୍ମଦାହ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ହେଲା ସକାଳ ପ୍ରାୟ ୧୦ଟାରେ ଘରୁ ଧୂଆଁ ବାହାରୁଥିବା ପ୍ରଥମେ ଦେଖିଥିଲେ। ନିକଟକୁ ଯାଇ ଦେଖିବା ବେଳକୁ ହୁତ୍‌ହୁତ୍‌ ହୋଇ ଘର ଜଳୁଥିଲା। ୩ ଭଉଣୀ ଭିତରେ ଥିବା ଜଣା ପଡିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ କବାଟ ଭିତର ପଟୁ ବନ୍ଦ ରହିଥିବାରୁ ସମ୍ଭବ ହୋଇ ନଥିଲା। ବାଧ୍ୟ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେବାରୁ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ସହ ୩ ଭଉଣୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କବାଟ ଭାଙ୍ଗି ଭିତରକୁ ପଶିବା ବେଳକୁ ରୋଷେଇ ଘରେ ୩ଭଉଣୀଙ୍କ କଙ୍କାଳ ବ୍ୟତୀତ ଆଉ ସବୁ ପୋଡି ଯାଇଥିଲା। ଲୋକଙ୍କ ଠାରୁ ଖବର ପାଇ ଶ୍ରୀନିବାସ ଘରକୁ ଫେରି ଏହି ଲୋମଟାଙ୍କୁରା ଦୃଶ୍ୟକୁ ଦେଖି ହତବାକ୍‌ ହୋଇଯାଇଥିଲେ। ବାପାଙ୍କ ମୃତ୍ୟୁ ପରେ ୩ ଭଉଣୀ ନିଜ ନିଜ ଭବିଷ୍ୟତ ପାଇଁ ଚିନ୍ତାରେ ରହିଥିଲେ। ଭାଇମାନଙ୍କ ପାଇଁ ସମସ୍ୟା ହେବାକୁ ଚାହୁଁ ନଥିବାରୁ ଏଭଳି କରିଥିବା ଶ୍ରୀନିବାସ କହିଛନ୍ତି। ଖବର ପାଇ ମାଲକାନଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ ୩ ଭଉଣୀ ଘରର ସବୁ କବାଟ, ଝରକା ବନ୍ଦ କରି ରୋଷେଇ ଘରକୁ ଯାଇଥିଲେ। ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ଠିପି ଖୋଲି ଦେଇ ସଂପୂର୍ଣ୍ଣ ଖାଲି କରି ଦେଇଥିଲେ। ପୂରା ଘରେ ଗ୍ୟାସ୍‌ ବ୍ୟାପିବା ପରେ ନିଆଁ ଲଗାଇଥିଲେ। ତେବେ ଆତ୍ମଦାହ ପୂର୍ବରୁ ସେମାନେ ବାପା, ମା’ଙ୍କ ଫଟୋ ନିକଟରେ ଦୀପ ଲଗାଇ ଧୂପ ଦେଇଥିଲେ। ଅଗ୍ନିଶମ ବିଭାଗ ବିଭାଗ ଘର ଭିତରକୁ ପଶିବା ବେଳକୁ ଘରେ ସଂପୂର୍ଣ୍ଣ ଛାରଖାର ହୋଇଯାଇଥିଲେ ମଧ୍ୟ ଦୀପ ସେମିତି ଜଳୁଥିଲା। ପୂର୍ବରୁ ବାପା, ମା’ଙ୍କୁ ଓ ଆଜି ଗୋଟିଏ ଦିନରେ ୩ ଭଉଣୀଙ୍କୁ ହରାଇ ୩ ଭାଇଙ୍କ ଆଖିରୁ ଲୁହ ଶୁଖୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe