ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ସଦର ମହକୁମାସ୍ଥିତ ବାମରା ବାଳିକା ଉଚ୍ଚବିଦ୍ୟାଳୟରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲରୁ ରବିବାର ସନ୍ଧ୍ୟା ୫ଟାରେ ୩ ଜଣ ଛାତ୍ରୀ ନିଖୋଜ ହୋଇଥିବା ନେଇ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ପ୍ରତିଦିନ ଭଳି ରବିବାର ସନ୍ଧ୍ୟା ପ୍ରାର୍ଥନା ସମୟରେ ଗଣନା ବେଳେ ଅନ୍ତେବାସିନୀଙ୍କ ମଧ୍ୟରୁ ୩ ଜଣ ନଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଗୋବିନ୍ଦପୁର ଥାନା ଓ କୁଚିଣ୍ଡା ଥାନା ଅଞ୍ଚଳର ଜଣେ ଲେଖାଏଁ ନବମ ଶ୍ରେଣୀର ଛାତ୍ରୀ ଏବଂ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଛାତ୍ରୀ ନିଖୋଜ ଥିଲେ। ଘଟଣା ଜଣାପଡ଼ିବା ପରେ ହଷ୍ଟେଲ ପରିସର, ଆବାସିକ କୋଠରି, ଶୌଚାଳୟ, ଶ୍ରେଣୀ କୋଠରି ଆଦି ଚାରିଆଡ଼େ ଖୋଜାଖୋଜି ଆରମ୍ଭ ହୋଇଥିଲା।
ହଷ୍ଟେଲର ୱାର୍ଡେନ୍, ସିସିଏ, ଶିକ୍ଷୟିତ୍ରୀମାନେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଫୁଲମଣି ମାଝୀ ଏବଂ ଡବ୍ଲୁଇଓ ମନୋଜ ଶତପଥୀଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ନିଖୋଜ ଛାତ୍ରୀଙ୍କ ପରିବାର ଲୋକ ରାତି ୧୦ଟାରେ ବାମରା ପହଞ୍ଚିବା ପରେ ଘଟଣା ପଦାକୁ ଆସିଥିଲା। ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମାଝୀଙ୍କ ଅନୁପସ୍ଥିତିରେ ଶିକ୍ଷୟିତ୍ରୀ ପୂଜା ମାଝୀ ଥାନାରେ ଛାତ୍ରୀ ନିଖୋଜ ସଂପର୍କିତ ଲିଖିତ ଅଭିଯୋଗ କରିଛନ୍ତି। ଗୋବିନ୍ଦପୁର ଥାନା ଅଧିକାରୀ ରାଜେନ୍ଦ୍ର ବେହେରା, ଇନ୍ସପେକ୍ଟର ଆଶିଷ ପ୍ରଧାନ, ଏସ୍ଆଇ ଶକ୍ତିଧର ରାଉତ ପ୍ରମୁଖ ତନାଘନା ଆରମ୍ଭ କରିଛନ୍ତି। ଛାତ୍ରୀଙ୍କ ଗୋଟିଏ ମୋବାଇଲ ଫୋନ୍ ସହ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ ଚାଲିଛି। ଏ ନେଇ ହଷ୍ଟେଲ ୱାର୍ଡେନ୍ ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଘଟଣାଟି ସତ ବୋଲି କହିବା ସହ ପ୍ରକୃତ କାରଣ ଜଣାନାହିଁ ବୋଲି କହିଥିଲେ। ତେବେ ଛାତ୍ରୀମାନେ କାହିଁକି ଓ କେଉଁ ପରିସ୍ଥିତିରେ ହଷ୍ଟେଲରୁ ଫେରାର ହୋଇଗଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
Follow Us