ନିଲମ୍ବିତ ହେଲେ ତିନି ଅଧ୍ୟାପକ: ପଦ୍ମପୁର ଉପନିର୍ବାଚନ ପାଇଁ ସଭା ଆୟୋଜନ କରିବା ମହଙ୍ଗା ପଡ଼ିଲା

ପଦ୍ମପୁର ବିଇଓଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଜାଲ୍ ସିଟି ପ୍ରମାଣପତ୍ରରେ ଚାକିରି: ଛତ୍ରପୁର ବ୍ଲକ୍‌ରୁ ବିଦା ହେଲେଣି ୬ ଶିକ୍ଷକ

ଭୁବେନଶ୍ବର: ପଦ୍ମପୁର ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଞ୍ଚଳ କଲେଜର ଇତିହାସ ବିଭାଗ ଅଧ୍ୟାପକ କୃଷ୍ଣମୋହନ ପଣ୍ଡା, ମାଣ୍ଡୋସିଲ୍ ଡିଗ୍ରି କଲେଜର ପ୍ରିନ୍ସିପାଲ (ଇନ୍‌ଚାର୍ଜ) ବିନୟ ରଞ୍ଜନ ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଡଭା ଉଚ୍ଚ ମାଧ୍ୟମିକ ସ୍କୁଲର ରାଜନୀତି ବିଜ୍ଞାନର ଅଧ୍ୟାପକ ସୁଧୀର କୁମାର ରଥଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୁପାରିସ୍‌ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଯୋଗ୍ୟ ଯେ ଗତ ୧୯ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗୋଟିଏ ସରକାରୀ ସ୍କୁଲ ଏବଂ ସରକାରୀ କଲେଜ ପରିସରରେ ସରକାରୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ ଓ ପ୍ରଧ୍ୟାପକଙ୍କ ସହ ବୈଠକ କରିଥିଲେ। ଏଥିରେ ପଦ୍ମପୁର ଉପନିର୍ବାଚନ ସମ୍ପର୍କରେ ଆଲୋଚନା ହେବା ସହ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ନେଇ ବିଜେପି ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରମାଣ ସହ ଅଭିଯୋଗ କରାଯାଇଥିଲା। ଏହାପରେ ତିନି ଅଧ୍ୟାପକ ଏହି ସଭା ଆୟୋଜନ କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ଉପନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କ ମୁଖ୍ୟାଳୟ ପଦ୍ମପୁର ନିର୍ବାଚନମଣ୍ଡଳୀ ବାହାରେ ରହିବ ବୋଲି କୁହାଯାଇଛି। ହେଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ସିଇଓ ତାଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେବେ? କେବେ ତାଙ୍କୁ ପଦ୍ମପୁର ନିର୍ବାଚନମଣ୍ଡଳୀରୁ ଦୂରରେ ରଖିବେ? ଆଗକୁ ମଧ୍ୟ ସରକାରୀ କର୍ମଚାରୀ ଯଦି ଶାସକ ବିଜେଡି ସପକ୍ଷରେ ଭୋଟ କାର୍ଯ୍ୟ କରିବେ, ତାହେଲେ ସେମାନେ ମଧ୍ୟ ନିଜ ନିଜ ଚାକିରିରୁ ବିଦା ହେବେ। ଶାସକ ଦଳର ପ୍ରଲୋଭନରେ ସରକାରୀ ଚାକିରିଆ ନଆସି ତାଙ୍କ ଦାୟିତ୍ୱ ତୁଲାନ୍ତୁ ଓ ରାଜନୀତିରୁ ନିବୃତ ରୁହନ୍ତୁ।

ସେହିପରି ଆଜି ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାଳିଚରଣ ଦୁବେଙ୍କ ନାମରେ ଅଭିଯୋଗ କରିଛି। ଶ୍ରୀ ‌ଦୁବେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା, ବିଜେଡିର କାର୍ଯ୍ୟକ୍ରମ ଓ ପ୍ରଚାରର ଫଟୋ ପକାଇ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ତେଣୁ ଶ୍ରୀ ଦୁବେଙ୍କ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ତାଙ୍କୁ ନିଲମ୍ବନ କରିବାକୁ ବିଜେପି ସିଇଓଙ୍କ ନିକଟରେ ଦାବି କରିଛି। ବିଜେପିର ଏହି ପ୍ରତିନିଧି ଦଳରେ ମୁଖପାତ୍ର ଠାକୁର ରଣଜିତ୍‌ ଦାସ, ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ, ରାଜ୍ୟ ଲିଗାଲ୍‌ ସେଲ୍‌ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe