ଖଡ଼ିଆଳ/ବଲାଙ୍ଗୀର/କଣ୍ଟାମାଳ: ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ତିନିଟି କଲରାପତରିଆ ବାଘ ଛାଲ ଜବତ ସହ ୯ ଜଣଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ବିଭାଗ ପକ୍ଷରୁ ଖଡ଼ିଆଳ ଅଞ୍ଚଳର ଦୁଇଟି ସ୍ଥାନ ଶ୍ୟାମକୁଞ୍ଜ ଲଜ୍ ଓ ବରପଦର ଛକରେ ଚଢ଼ଉ କରାଯାଇ ୨ଟି ବାଘ ଛାଲ, ୬ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ସୂଚନା ଅନୁସାରେ, ବାଘଛାଲ ବିକ୍ରି ନେଇ ମୂଲଚାଲ ହେଉଥିବା କୌଣସି ସୂତ୍ରରୁ ବନ ବିଭାଗକୁ ଖବର ମିଳିଥିଲା। ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା କମିଟି ଗଠନ କରାଯାଇ ପ୍ରଥମେ ଖଡ଼ିଆଳ ଶ୍ୟାମକୁଞ୍ଜ ଲଜ୍ରେ ଚଢ଼ଉ କରି ଖଡ଼ିଆଳ ଥାନା ବୋରକୁଟି ଗାଁର ଯୋଗେଶ୍ବର ପଟେଲ (୪୮), ସୁଶୀଳ ପଟେଲ, ପୋଡ଼ାପାଲି ଗାଁର ଜଗଦୀଶ ମାଝୀ (୪୫) ଓ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବୋରୋବାହାଲ ଗାଁର ଚିତମନ ପଟେଲ (୪୯) ଏବଂ ବରପଦର ଛକରୁ ଖଇରପଦର ଗାଁର ଲିଙ୍ଗରାଜ ମାଝୀ (୫୦), ଚୁମ୍ବକଲାଲ ପଟେଲ (୩୮) ଓ ବିରିଘାଟ ମହୁଲଝରଣ ଗାଁର ନିରଞ୍ଜନ ମାଝୀ (୫୦)ଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବାଘଛାଲ ଜବତ କରାଯାଇଥିଲା। ଗୁରୁବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଖଡ଼ିଆଳ ଏସିଏଫ୍ ମହମ୍ମଦ ମୁସ୍ତାଫା ସାଲିହା ସୂଚନା ଦେଇଛନ୍ତି। ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଂସ୍କୃତା ବଡ଼ନାୟକଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉରେ ଫରେଷ୍ଟର କନ୍ଦର୍ପ ସୁନାନୀ, ନରେଶ ଦଣ୍ଡସେନା, ସୁଦାମ ବାଗ, ପ୍ରସନ୍ନ ହଂସ, ତରୁଣ ତେଜି, ବୀରେନ୍ଦ୍ର ମାଝୀ ଓ ତୁଷାର ଭୋଇ ସାମିଲ ହୋଇଥିଲେ।
ସେହିପରି ବଲାଙ୍ଗୀର ବନ ବିଭାଗ ଚାଘ ଛାଲ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଦିବ୍ୟଶଙ୍କର ବଗର୍ତ୍ତୀ ଓ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କୋଟଗାଁର ମୁକେଶ ମନହୀରାକୁ ଗିରଫ କରିଛି। ଦିବ୍ୟଶଙ୍କର ପାଖରେ ବାଘ ଛାଲ ଥିବା ଗୁଇନ୍ଦା ସୂଚନା ମିଳିଥିଲା। ବଲାଙ୍ଗୀର ଡିଏଫ୍ଓ ନିତିଶ କୁମାରଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ ହୋଇଥିଲା। ଗ୍ରାହକ ବେଶରେ ବନ କର୍ମଚାରୀ ଦିବ୍ୟଶଙ୍କର ପାଖକୁ ବାଘ ଛାଲ କିଣିବାକୁ ଯାଇଥିଲେ। ତୁଷୁରା ଥାନା ଜାମୁଟ୍ରେ ଦିବ୍ୟଶଙ୍କର ସେମାନଙ୍କୁ ଏହି ବାଘଛାଲ ଦେଖାଇଥିଲା। ତୁରନ୍ତ ବନ ବିଭାଗ କର୍ମଚାରୀ ଛାଲକୁ ଜବତ କରିବା ସହ ଦିବ୍ୟଶଙ୍କର ଓ ସାଥୀ ମୁକେଶକୁ ଗିରଫ କରି ବଲାଙ୍ଗୀର ଆଣି ତଦନ୍ତ ଚଳାଇଥିଲେ। ବୁଧବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ବୋଲି ଡିଏଫ୍ଓ ନିତିଶ କୁମାର ସୂଚନା ଦେଇଛନ୍ତି।
Follow Us